ଦୀର୍ଘ ସାତବର୍ଷର ବ୍ୟବଧାନ ପରେ ମା’ କୋଳକୁ ଫେରିଲା ପୁଅ

କାମାକ୍ଷାନଗର: କାହାକୁ କିଛି ନକହି କେଉଁଆଡେ ଚାଲି ଯାଇଥିଲା ପୁଅ। ପୁଅର କିଛି ଖୋଜ ଖବର ନମିଳିବାରୁ ପୁରା ପରିବାର ଦୁଃଖରେ ଭାଙ୍ଗି ପଡ଼ିଥିଲେ । ମା’ର ପ୍ରାର୍ଥନା ଶୁଣିଲେ ଭଗବାନ୍ । ଶେଷରେ ଦୀର୍ଘ ସାତବର୍ଷ ପରେ ମା’ କୋଳକୁ ଫେରିଲା ତା ପୁଅ । ଖୁସିରେ ମା’ ମନ କୋଉଠି ଲାଗୁନି । ଏତେ ଦିନ ପରେ ପୁଅକୁ ଦେଖି ଆଉଁସି ଦେଉଛି ପୋଛି ଦେଉଛି । ଆଉ ଭାବବିହ୍ଵଳ ହୋଇ ସରପଞ୍ଚ,ପୋଲିସ ଏବଂ ପ୍ରଶାସନକୁ ଧନ୍ୟବାଦ ଅଜାଡ଼ି ଦେଉଛି ।
ଦୀର୍ଘ ସାତବର୍ଷର ବ୍ୟବଧାନ ପରେ ମା କୋଳ କୁ ଫେରିଲା ଏକମାତ୍ର ପୁଅ l ଏପରି ଘଟଣା ଦେଖିବାକୁ ମିଳିଛି କାମାକ୍ଷାନଗର ଥାନା ବାଉଁଶପାଳ ଗାଁ ରେ l ଗ୍ରାମର ବୁଦ୍ଧିମନ୍ତ ନାଏକ ଓ ଟେରି ନାଏକଙ୍କ ଏକମାତ୍ର ପୁଅ ସନ୍ତୋଷ ନାଏକ ଆଜିକୁ ଦୀର୍ଘ ସାତ ବର୍ଷ ତଳୁ ପରିବାରର ଗୁଜୁରାଣ ମେଣ୍ଟାଇବା ପାଇଁ କାମ ଅନ୍ୱେଷଣ ରେ ଘରେ କାହାକୁ କିଛି ନକହି କେଉଁଆଡେ ଚାଲି ଯାଇଥିଲେ l ଏ ନେଇ ପରିବାର ଲୋକ ବହୁ ଖୋଜାଖୋଜି କରିବା ପରେ ପୁଅର କୌଣସି ସନ୍ଧାନ ପାଇପାରିନଥିଲେ l
ପୁଅ ଜୀବିତ କି ମୃତ ସେ ସମ୍ପର୍କ ରେ ମଧ୍ୟ ପରିବାର ଲୋକ କିଛି ଖବର ପାଇନଥିଲେ l ମାତ୍ର ଚାରିଦିନ ତଳେ ପୁଅ ସନ୍ତୋଷ ମଧ୍ୟପ୍ରଦେଶର ଉଗବା ନିକଟରେ ଏକ ଜଙ୍ଗଲ ମଧ୍ୟରେ ପଡ଼ିଥିବା ବେଳେ ସ୍ଥାନୀୟ ପୋଲିସ ଏ ସମ୍ପର୍କ ରେ ଖବର ପାଇ ସନ୍ତୋଷକୁ ସେଠାରୁ ଉଦ୍ଧାର କରିଥିଲେ l ପରେ ସନ୍ତୋଷର ଠିକଣା ବୁଝି ଢେଙ୍କାନାଳ ଜିଲ୍ଲା ପ୍ରଶାସନ ଓ କାମାକ୍ଷାନଗର ଥାନା ସହ ଯୋଗାଯୋଗ କରିଥିଲେ l
ଏନେଇ କାମାକ୍ଷାନଗର ଥାନା ଅଧିକାରୀ ବାଉଁଶପାଳ ସରପଞ୍ଚଙ୍କୁ ଜଣାଇବା ପରେ ସରପଞ୍ଚଙ୍କ ସହାୟତା ରେ ସନ୍ତୋଷଙ୍କ ମା ଓ କାମାକ୍ଷାନଗର ଥାନାର ଜଣେ ପୋଲିସ କର୍ମଚାରୀ ମଧ୍ୟପ୍ରଦେଶ ଯାଇ ଉଗବାଠାରେ ପହଞ୍ଚି ସ୍ଥାନୀୟ ପୋଲିସଠାରୁ ସନ୍ତୋଷଙ୍କୁ ଉଦ୍ଧାର କରି କାମାକ୍ଷାନଗରରେ ପହଞ୍ଚିଛନ୍ତି l ଦୀର୍ଘ ବର୍ଷର ବ୍ୟବଧାନ ପରେ ପୁଅକୁ ପାଖରେ ପାଇ ମା ଅତ୍ୟନ୍ତ ଭାବବିହ୍ଵଳ ହୋଇଥିବା ବେଳେ ପୁଅକୁ ପାଇବାକୁ ନେଇ ସହାୟତା ଯୋଗାଇ ଦେଇଥିବା ବାଉଁଶପାଳ ସରପଞ୍ଚ, ସ୍ଥାନୀୟ ପୋଲିସ ଓ ପ୍ରଶାସନ କୁ ଧନ୍ୟବାଦ ଜଣାଇଛନ୍ତି ମା ଟେରି ନାଏକ l ସାତ ବର୍ଷ ପରେ ପୁଅକୁ ପାଇଥିବାରୁ ପୋଲିସର ଏହି ସଫଳତା ପାଇଁ ଚାରିଆଡ଼ୁ ପ୍ରଶଂସାର ସୁଅ ଛୁଟିଛି । ପୋଲିସର ଏହି କାର୍ଯ୍ୟ ଦକ୍ଷତା ପାଇଁ ଗୋଟିଏ ମା’ କୋଳ ଶୂନ୍ୟ ହେବାରୁ ରକ୍ଷା ହୋଇଯାଇଛି ।
Also Read:ନିଆରା ଗୁରୁ ଶିଷ୍ୟ ପରମ୍ପରା, ଗୁରୁଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ୭୦ କିମି କାନ୍ଧରେ ବୋହି ଆଣିଲେ ଶିଷ୍ୟ