୨୬ରେ ଖୋଲିବ ଦଶମ ଓ ଦ୍ୱାଦଶ ଶ୍ରେଣୀ,ହଷ୍ଟେଲ ଖୋଲିବା ନେଇ ଆସିଲା ଏସଓପି

କେନ୍ୟୁଜ୍(ବ୍ୟୁରୋ): ଆସନ୍ତା ୨୬ ତାରିଖରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ହଷ୍ଟେଲ ଖୋଲିବା ନେଇ ଆସିଲା ଏସଓପି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏସଓପି ଜାରି କରାଯାଇଛି । ହଷ୍ଟେଲକୁ ଛାତ୍ରଛାତ୍ରୀ ଆସିବା ପୂର୍ବରୁ ସେମାନଙ୍କ ଅଭିଭାବକଙ୍କ ସମ୍ମତି ଜରୁରୀ । ହଷ୍ଟେଲରେ ଛାତ୍ରଛାତ୍ରୀମାନେ ଯେପରି ସାମାଜିକ ଦୂରତା ବଜାୟ ରଖିବେ ସେଥିପ୍ରତି ଶିକ୍ଷାନୁଷ୍ଠାନ-ହଷ୍ଟେଲ ମୁଖ୍ୟ ସୁନିଶ୍ଚିତ କରିବେ । ହଷ୍ଟେଲରେ ଥିବା ମେସ ଓ ଶୌଚାଳୟକୁ ନିୟମିତ ବ୍ୟବଧାନରେ ବିଶୋଧନୀକରଣ କରାଯିବ ।
ଅନ୍ତେବାସୀଙ୍କ ବ୍ୟବହାର ପାଇଁ ପର୍ଯ୍ୟାପ୍ତ ସାବୁନ ଓ ସାନିଟାଇଜର ରଖାଯିବ । ସ୍ୱାସ୍ଥ୍ୟ ଓ ପରିଷ୍କାର ପରିଚ୍ଛନ୍ନତା ବାବଦରେ ସେମାନଙ୍କୁ କାଉନସେଲିଂ କରାଯିବ । ହଷ୍ଟେଲ ପରିସରରେ ଅନ୍ତେବାସୀମାନେ ଏକଜୁଟ ହେବେ ନାହିଁ । ଏହା ଉପରେ ହଷ୍ଟେଲ କର୍ତ୍ତୃପକ୍ଷ ନଜର ରଖିବେ । ହଷ୍ଟେଲ ପରିସରରେ ସଙ୍ଗରୋଧ ରୁମ ରହିବ । କୌଣସି ଅନ୍ତେବାସୀ ଅସୁସ୍ଥତା ଅନୁଭବ କଲେ ତାଙ୍କୁ ତୁରନ୍ତ ସଙ୍ଗରୋଧରେ ରଖି ଉପଯୁକ୍ତ ଚିକିତ୍ସା କରିବା ପାଇଁ ଏସଓପିରେ ଉଲ୍ଲେଖ ରହିଛି । ସବୁ ସରକାରୀ ଓ ଘରୋଇ ଶିକ୍ଷାନୁଷ୍ଠାନ ହଷ୍ଟେଲ ପାଇଁ ଏହା ଲାଗୁ ହେବ ।