୧୪ରେ ରତ୍ନଭଣ୍ଡାର ଖୋଲିବାକୁ ସହମତି, ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକୁ ଅପେକ୍ଷା

ପୁରୀ : ଆସନ୍ତା ୧୪ ତାରିଖରେ ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର । ଅପେକ୍ଷା ରହିଛି ସରକାରଙ୍କ ନିର୍ଦ୍ଦେଶକୁ। ରତ୍ନଭଣ୍ଡାର ଯାଞ୍ଚ କମିଟି ଯେଉଁ ପ୍ରସ୍ତାବ ଦେଇଥଲା, ଶ୍ରୀମନ୍ଦିର ପରିଚାଳନା କମିଟି ସେଥିରେ ମୋହର ମାରିଛି । ସର୍ବସମ୍ମତିକ୍ରମେ ୧୪ ତାରିଖରେ ରତ୍ନଭଣ୍ଡାର ଖୋଲିବାକୁ ସରକାରଙ୍କୁ ଅନୁମତି ମାଗିଛି। ମଙ୍ଗଳବାର ଯାଞ୍ଚ କମିଟିର ଉଚ୍ଚ ସ୍ତରୀୟ ବୈଠକ ପରେ ବୁଧବାର ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ରତ୍ନଭଣ୍ଡାର ଖୋଲିବା ନେଇ ଆଲୋଚନା ହୋଇଛି। ଗଣତି ମଣତି ପାଇଁ ଯାଞ୍ଚ କମିଟି ଶ୍ରୀମନ୍ଦିର ପରିଚାଳନା କମିଟିକୁ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡିୟୋର ବା SOP ପ୍ରସ୍ତାବ ଦେଇଥିଲେ ।
ଏହା ଉପରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ବିସ୍ତୃତ ଆଲୋଚନା ହୋଇଛି। ଏସଓପିରେ ଆବଶ୍ୟକ ସଂଶୋଧନ କରି ରାଜ୍ୟ ସରକାରଙ୍କୁ ପଠାଇଛି ପରିଚାଳନା କମିଟି। ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି ଏସଓପି ବର୍ତ୍ତମାନ ଗୋପନୀୟ ରହିବ। ୧୪ରେ ରତ୍ନଭଣ୍ଡାର ଖୋଲିବାକୁ ପ୍ରସ୍ତାବ ଦିଆଯାଇଛି। ସରକାରଙ୍କ ନିର୍ଦ୍ଦେଶ ଆସିବା ପରେ କାର୍ଯ୍ୟ ଆଗକୁ ବଢ଼ିବ।
ଅନ୍ୟପଟେ ଜୁଲାଇ ୯ରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଜଷ୍ଟିସ ବିଶ୍ବନାଥ ରଥଙ୍କ ଅଧ୍ୟକ୍ଷତାରେ ବସିଥିବା ତଦାରଖ କମିଟି ବୈଠକରେ ଚାବିରେ ଖୋଲୁ ବା ନଖୋଲୁ ଖୋଲାଯିବ ରତ୍ନ ଭଣ୍ଡାର ବୋଲି କହିଥିଲେ ଜଷ୍ଟିସ ବିଶ୍ବନାଥ । ୧୪ରେ ଚାବି ଆଣିବା ପାଇଁ ଜିଲ୍ଲାପାଳଙ୍କୁ କୁହାଯାଇଛି । ଏ ନେଇ ଏସଓପି ପ୍ରସ୍ତୁତ କରାଯାଉଥିବା କହିଛନ୍ତି ଜଷ୍ଟିସ ବିଶ୍ବନାଥ ରଥ । ରତ୍ନଭଣ୍ଡାର ଗଣତି ପାଇଁ ବିକଳ୍ପ ସ୍ଥାନ ନିର୍ଦ୍ଧାରିତ ହୋଇଛି । ଏଥିନିମନ୍ତେ ପ୍ରଥମେ ଠାକୁରଙ୍କ ଗହଣା ଚିହ୍ନି ପାରିବା ସହ ତାହାର ଗୁଣବତ୍ତା ପରଖି ପାରୁଥିବା ବଣିଆଙ୍କୁ ଚୟନ କରାଯିବ ବୋଲି କହିଛନ୍ତି ଜଷ୍ଟିସ୍ ରଥ।