ଟିକରପଡା : ବାଜୁଛି ଘଣ୍ଟ । ପୂଜା ହେଉଛି ଖଟ । ଏକ ଖଟ ଉପରେ ଥୁଆ ହୋଇଛି ଫୁଲ ଧୂପ । ୪ ଜଣ ଜଣ ଲୋକ ଖଟଟିକୁ ଧରି ଝୁଲାଉଛନ୍ତି । ଆଉ ତା ଚତୁପାର୍ଶ୍ୱରେ ଘେରି ଚାତକ ପରି ଚାହିଁ ରହିଛନ୍ତି ଲୋକେ । ପିଲା ଠୁ ବୁଢ଼ା ଆମ୍ଭ କରି ମା’ ମାଉସୀ ପର୍ଯ୍ୟନ୍ତ ସମସ୍ତେ ଏଠାରେ କଣ ହେଉଛି ବୋଲି ଦେଖିବାକୁ କିଏ ଝରକା ଫାଙ୍କରେ ଚାହିଁଛି ତ କିଏ ଚକା ମାଡ଼ି ବସିଛି । କୌଣସି ସେଲିବ୍ରିଟି ଆସିଲେ ମଧ୍ୟ ଏତେ ଲୋକଙ୍କର ଭିଡ଼ ଦେଖିବାକୁ ମିଳିବନି । ଯାହା ଏହି ଗାଁରେ ଦେଖିବାକୁ ମିଳିଛି । ଆପଣ ଭାବୁଥିବେ ଏଠାରେ ଚାଲିଛି କଣ ? ଫୁଲ ଧୂପରେ ପୂଜା କରାଯାଉଛି ସେ ପୁଣି ଗୋଟାଏ ଖଟକୁ । ପ୍ରକୃତରେ ଘଟଣା କଣ ଆସନ୍ତୁ ଜାଣିବା…
ଜଣେ ନିଖୋଜ ବୃଦ୍ଧଙ୍କୁ ଖୋଜିବ ଖଟ । ସେଥିପାଇଁ ଗାଁ ରେ ଚାଲିଛି ତନ୍ତ୍ର ପୂଜା । ତାନ୍ତ୍ରିକଙ୍କ ନିର୍ଦ୍ଦେଶ ରେ ଗାଁ ଦାଣ୍ଡରେ ବୁଲିଲା ଖଟ ଦେବତା । ପ୍ରଥମେ ଫୁଲ ଚାଉଳ ସିନ୍ଦୂର ଦୀପ ଧୂପ ଦେଇ ଖଟ ପୂଜା ତା ମଝିରେ ମଝିରେ ଖଟ ଉପରେ ଢ଼ଳା ଯାଉଛି କ୍ଷୀର । ଆଉ ଖଟ ଦୋହଲୁଛି । ଏଭଳି କିଛି ସମୟ ତାନ୍ତ୍ରିକ ପୂଜା କରିବା ପରେ ଗାଁ ସାରା ବୁଲିଲା ଖଟ । ଖଟ ଟି କାହା ଘରେ ପଶୁଛି ତ ପୁଣି ପଶୁଛି ବଣ ବୁଦାରେ । ଖଟକୁ ଚାରିଜଣ ଗ୍ରାମବାସୀ ଧରି ବୁଲୁଥିବା ବେଳେ ଖଟ ପଛେ ପଛେ ଧାଉଁ ଥାଆନ୍ତି ସମସ୍ତ ଗ୍ରାମବାସୀ । ଯେଉଁ ଭିଓଟି ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଛି ।
ତେବେ ବଘିଆପଡା ଫାଣ୍ଡି ଅନ୍ତର୍ଗତ ଟିକରପଡା ଅଞ୍ଚଳର ଜୈନିକ ବୃଦ୍ଧ ଘରୁ କୁଆଡେ ଚାଲିଯାଇଥିଲେ। ପରେ ଘର ଲୋକେ ଚାରିଆଡେ ଖୋଜା ଖୋଜି କରିବା ପରେ ବଘିଆପଡା ଫାଣ୍ଡିରେ ଅଭିଯୋଗ କରିଥିଲେ। ଅଭିଯୋଗର ଦୀର୍ଘ ଦିନ ପରେ ବି ବୃଦ୍ଧାଙ୍କୁ ଖୋଜିବାରେ ବିଫଳ ହୋଇଥିଲା ପୋଲିସ। ଫଳରେ ଘର ଲୋକେ ତାନ୍ତ୍ରିକର ସହାୟତା ନେଇଥିଲେ । ଲକ୍ଷାଧିକ ଟଙ୍କା ଦେଇ ଜଣେ ତାନ୍ତ୍ରିକଙ୍କୁ ଗାଁ କୁ ଡାକି କରାଯାଇଥିଲା ତନ୍ତ୍ର ସାଧନା। ଆଉ ବୃଦ୍ଧଙ୍କୁ ଖୋଜିବା ପାଇଁ ତାନ୍ତ୍ରିକ ଜଣକ ଖଟକୁ ପୂଜାର୍ଚ୍ଚନା କରି ଗାଁରେ ବୁଲାଇଥିଲେ । ଟିକେ ଆଉଥରେ ଦେଖନ୍ତୁ ଏ ଦୃଶ୍ୟ କୁ କିଭଳି ବୁଲୁଛି ଖଟ । ଏଭଳି ଗାଁ ସାରା ଖଟ ବୁଲିବା ପରେ ଗାଁ ମୁଣ୍ଡ ନଦୀ ନିକଟରେ ଯାଇ ଅଟକି ଯାଇଥିଲା ଖଟ । ଆଉ ମିଳିନଥିଲେ ବୃଦ୍ଧ । ଶେଷରେ ବୃଦ୍ଧଙ୍କୁ ଖୋଜିବାରେ ବିଫଳ ହେବା ପରେ ତାନ୍ତ୍ରିକ ଜଣକ ସେଠାରୁ ଫେରି ଯାଇଥିଲେ । ବୁଦ୍ଧ ଜଣକ ନିଖୋଜ ହେବାର ଆଜକୁ ପ୍ରାୟ ୧୫ଦିନ ବିତିଯାଇଥିଲେ ବି ଆଜ ପର୍ଯ୍ୟନ୍ତ କୌଣସି ପତ୍ତା ମିଳିପାରିନାହିଁ ବୋଲି ବିଶେଷ ସୂତ୍ରରୁ ଖବର ମିଳିଛି ।
ତେବେ ଆଜିର ଇଣ୍ଟରନେଟ ଯୁଗରେ ମଣିଷ ଯାଇ ଚନ୍ଦ୍ରରେ ପହଁଞ୍ଚିଲାଣି କିନ୍ତୁ ଆଜିବି ସଚେତନତା ଅଭାବରୁ ଲୋକେ ନିଜ ସମ୍ପର୍କୀୟଙ୍କୁ ଖୋଜିବା ପାଇଁ ତନ୍ତ୍ର ସାଧନା ଉପରେ ଭରସା କରୁଛନ୍ତି । ଯାହା ସବୁଠାରୁ ବଡ ଆଲୋଚନାର ବିଷୟ ପାଲଟିଛି । ଘଟଣା ପ୍ରଘଟ ହେବା ପରେ ଜିଲ୍ଳା ସାରା ଚର୍ଚ୍ଚାର ବିଷୟ ପାଲଟିଛି । ଅନ୍ୟପଟେ ସାମାଜିକ ଦୃଷ୍ଟିକୋଣରୁ ପରିବାରର ପରିଚୟ ଗୁପ୍ତ ରଖାଯାଇଛି ।