ଭୁବନେଶ୍ୱର ଭଡ଼ା ଘରେ ଗୁଣି ଗାରେଡ଼ି, ନରବଳି ଦିଆଯାଉଥିବା ସନ୍ଦେହ

ଭୁବନେଶ୍ୱର: ଭଡ଼ା ଘରେ ଗୁଣି ଗାରେଡ଼ି । ଘର ଭିତରେ ଚାରି ଆଡେ଼ ଗାତ ଖୋଳି ଚାଲିଥିଲା ତନ୍ତ୍ର ପୂଜା । ପ୍ରତ୍ୟେକ ଦିନ ଘରକୁ ଆସୁଥିଲେ ଅନେକ ଝିଅ ଓ ମହିଳା । ଘରୁ ଧୂଆଁ ବାହାରୁଥିବା ବେଳେ ମିଳିଥିଲା ହାଡ଼ । ଯାହାଫଳରେ ନରବଳି ଦିଆଯାଉଥିବା କରାଯାଇଥିଲା ସନ୍ଦେହ । ଖାଲି ସେତିକି ନୁହେଁ ଏ ବିଷୟରେ ପଚାରିବାରୁ ଘର ମାଲିକକୁ ଗୁଣି କରି ଭସ୍ମ କରିଦେବ ବୋଲି ଦେଇଥିଲା ଧମକ । ଏଭଳି ଚାଞ୍ଚଲ୍ୟକର ଘଟଣା କୌଣସି ବାହାର ରାଜ୍ୟର ନୁହେଁ ଖୋଦ୍ ଭୁବନେଶ୍ୱରରେ ଦେଖିବାକୁ ମିଳିଛି ।
ରବି ଟକିଜ୍ ବ୍ରହ୍ମେଶ୍ୱର ପାଟଣାରେ ଭଡ଼ା ନେଇ ରହୁଥିଲେ ଜଣେ ବ୍ୟକ୍ତି । ସେ ସେଠାରେ ତନ୍ତ୍ର ସାଧନା କରୁଥିବାର ଅଭିଯୋଗ ହୋଇଛି । ଘରର ଚାରି କୋଣରେ ମାଟି ହାଣ୍ଡି ରଖାଯାଇଥିବା ବେଳେ ଘର ମଝିରେ ଗୋଟିଏ ଗାତ ଖୋଳା ଯାଇଛି । ଯେଉଁ ଗାତର ଗଭୀରତା ଦଶ ଫୁଟ୍ ହେବ ବୋଲି ଅନୁମାନ କରାଯାଉଛି । ଖାଲି ସେତିକି ନୁହେଁ ସେଠାରେ ହୋମ ହଜ୍ଞ ହେଉଥିବା ମଧ୍ୟ ନଜର ରହିଛି । ହୋମ ହୋଇଥିବା କୁଣ୍ଡ ପାଖରେ ହାଡ ଓ ରକ୍ତ ଭିଜା କପଡ଼ା ପଡ଼ିଥିବାରୁ ସେଠାରେ ବଳି ଦିଆଯାଉଥିବା ମଧ୍ୟ ସନ୍ଦେହ କରାଯାଉଛି ।
ତେବେ ଘର ମାଲିକଙ୍କ କହିବା ଅନୁଯାୟୀ, ପ୍ରତିଦିନ ହୋମ ଯଜ୍ଞ କରୁଥିବା ବେଳେ ରାତିରେ ନୂଆ ନୂଆ ଝିଅକୁ ଆଣୁଥିଲା । ହେଲେ ଯୁବତୀଙ୍କ ଫେରିବା ଦେଖିନାହାନ୍ତି ବୋଲି ଘର ମାଲିକ କହିଛନ୍ତି । ତାନ୍ତ୍ରିକ ରହୁଥିବା ଘରୁ ପୋଡ଼ା ଦୁର୍ଗନ୍ଧ ବାହାରୁଥିଲା । ତେଣୁ ଘର ମାଲିକଙ୍କ ମନରେ ସନ୍ଦେହ ବଢ଼ିଥିଲା । ଘର ଛାଡ଼ିବା ପାଇଁ ଘର ମାଲିକ କହିଥିଲେ । ହେଲେ ତାନ୍ତ୍ରିକ ଜଣକ ଘର ଛାଡ଼ିବା ବଦଳରେ ଧମକ ଦେଇଥିଲେ । ଗୁଣି କରି ଦୁର୍ଘଟଣା ଘଟାଇ ମାରି ଦେବାର ଧମକ ଦେଇଥିଲେ । ଏହାଶୁଣି ଭୟଭୀତ ହୋଇଯାଇଥିଲେ ଆଉ କିଛି ପଦକ୍ଷେପ ନେବାକୁ ସାହସ କରିନଥିଲେ ଘର ମାଲିକ ଜଣକ ।
ଘର ମାଲିକ ଆହୁରୀ ମଧ୍ୟ କହିଛନ୍ତି ଯେଉଁଦିନ ତାଙ୍କୁ ଏଭଳି ଧମକ ଦିଆଯାଇଥିଲା, ସେହି ଦିନ ସ୍ୱାମୀ ଓ ସ୍ତ୍ରୀଙ୍କର ଗାଡ଼ି ଦୁର୍ଘଟଣା ହୋଇଥିଲା । ଆଉ ଉଭୟ ଆହତ ହୋଇଥିଲେ । ଏହାପରେ ସେମାନେ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପରେ କମିଶନରେଟ୍ ପୁଲିସ ଏହି ଘଟଣାର ଫୁଙ୍ଖାନୁଫୁଙ୍ଖ ତଦନ୍ତ ଚଳାଇଛନ୍ତି । ହେଲେ ତାନ୍ତ୍ରିକ ଜଣକ ଫେରାର ହୋଇଯାଇଛନ୍ତି । ଏନେଇ ତାନ୍ତ୍ରିକ ଜଣକ ପରିଚୟ ସ୍ପଷ୍ଟ ଜଣାପଡ଼ି ନାହିଁ । କିନ୍ତୁ ତାଙ୍କ ନାଁ ଚର୍ଚିଲ କାନୁନ୍ ଗୋ ବୋଲି ଘର ମାଲିକ କହିଛନ୍ତି ।