ବିଶ୍ୱ ମହିଳା ଦିବସରେ ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଛନ୍ତି ସୌଦାମିନୀ, ପଟ୍ଟଚିତ୍ର ପାଇଁ ପାଇଲେ ପ୍ରସିଦ୍ଧି

ଆମ ସଂସ୍କୃତି ହେଉଛି ମହାନ । ଆମ ସଂସ୍କୃତିର ଚିତ୍ରକଳା ମଧ୍ୟରେ ‘ପଟ୍ଟଚିତ୍ର’ କଳା ଏକ ସର୍ବଆଦୃତ ବିଶ୍ବ ପ୍ରସିଦ୍ଧ ଚିତ୍ରକଳା । ‘ପଟ୍ଟଚିତ୍ର’ କଳା ଆଧ୍ୟାତ୍ମିକ ବିଷୟବସ୍ତୁକୁ ନେଇ ଅଙ୍କିତ ହୋଇଥାଏ । ଏହା ଆମ ଉତ୍କଳର ଅମୂଲ୍ୟ ସମ୍ପଦ । ‘ପଟ୍ଟଚିତ୍ର’ କଳାରେ ନିଜକୁ ସମ୍ପୂର୍ଣ ଭାବେ ସମର୍ପଣ କରି ଜଗନ୍ନାଥ ସେବାରେ ନିୟୋଜିତ ଅଛନ୍ତି ପଟ୍ଟଚିତ୍ର ଶିଳ୍ପୀ ସୌଦାମିନୀ ସ୍ବାଇଁ ।
ପୁରୀ ଜିଲ୍ଲାର ନିମାପଡ଼ା ବ୍ଲକ ଅନ୍ତର୍ଗତ ନହନ୍ତରା ଗାଁର ଯଦୁମଣି ସ୍ୱାଇଁ ଓ ଶୋଭାବତା ସ୍ବାଇଁଙ୍କ ସୁକନ୍ୟା ହେଉଛନ୍ତି ସୌଦାମିନୀ । କଳାରେ ସ୍ନାତକ ପାସ୍ କରିଥିବା ସୌଦାମିନୀ ଆମ ଓଡ଼ିଶାର ଐତିହ୍ୟ ସମ୍ପନ୍ନ ଜଗନ୍ନାଥ ସଂସ୍କୃତିର ‘ପଟ୍ଟିଦିଅଁ’ ଚିତ୍ରକଳାର ଜଣେ ତାଲିମପ୍ରାପ୍ତ ପ୍ରସିଦ୍ଧ ପଟ୍ଟଚିତ୍ର ଶିଳ୍ପୀ । ସେ ତୂଳାରେ ରଙ୍ଗ ଭରି ପଟ୍ଟିଦିଅଁଙ୍କର ଚିତ୍ର ଅଙ୍କନ କରନ୍ତି । ଏହି ‘ପଟ୍ଟଚିତ୍ର’କୁ ବିଶ୍ବ ଦରବାରରେ ପରିଚିତ କରାଇ ନିଜ ଗାଁ, ରାଜ୍ୟ ତଥା ଦେଶକୁ ଗୌରବାନ୍ବିତ କରିଛନ୍ତି । ବିପୁଳ ସମ୍ମାନ ଓ ପୁରସ୍କାରର ଅଧିକାରିଣୀ ହୋଇପାରିଛନ୍ତି ।
ସୌଦାମିନୀ +୩ ପାସ୍ କରିବା ସହିତ ହିନ୍ଦୀରେ ‘ରନ୍’ ପାସ୍ କରିଛନ୍ତି । ତୁଳସୀ ଦୁଇ ପତ୍ରରୁ ବାସିଲା ଭଳି ପିଲା ଦିନରୁ ଚିତ୍ର କଳାରେ ତାଙ୍କର ଆଗ୍ରହ ରହିଥିଲା । ସପ୍ତମ ଶ୍ରେଣୀରେ ପାଠ ପଢିବା ବେଳରୁ ମାଣବସା ଓ ଦଶହରାରେ ଘର କାନ୍ଥରେ ପଦ୍ମଫୁଲ, ହାତୀ, ଘୋଡ଼ା, ଓଲଟା ଶୁଆ ଇତ୍ୟାଦି ଚିତ୍ର ଅଙ୍କନ କରିବା ସହିତ ନିଜ ସାହି ପଡ଼ିଶାଙ୍କ ଘରର କାନ୍ଥ ଓ ଚଟାଣରେ ଚକ୍ ଖଡ଼ିରେ ଚିତ୍ର ଅଙ୍କନ କରି ଆସୁଥିଲେ । ସେହି ଚିତ୍ର ଅଙ୍କନକୁ ପୁଞ୍ଜି କରି ୧୯୯୮ ମସିହାରୁ ପଟ୍ଟଚିତ୍ର ଅଙ୍କନ କାର୍ଯ୍ୟ ଆରମ୍ଭ କଲେ ।
ତାଙ୍କ ଦ୍ବାରା ସିଲେଇ କରାଯାଇଥିବା ଏକ ଗାଲିଚା ଦେଖି ଶିଳ୍ପବିକାଶ ଅଧିକାରୀ ପଟ୍ଟଚିତ୍ର ଅଙ୍କନ କରିବା ପାଇଁ ତାଙ୍କୁ ପ୍ରେରଣା ଦେଇଥିଲେ । ତାଙ୍କ ଉତ୍ସାହ ଓ ପ୍ରେରଣା ସୌଦାମିନୀଙ୍କୁ ଆଜି ଏତେ ଆଗକୁ ନେଇ ଆସିଛି । ବିଶିଷ୍ଟ ଚିତ୍ର ଶିଳ୍ପୀ ତଥା ଜାତୀୟ ପୁରସ୍କାର ପ୍ରାପ୍ତ ସୋମନାଥ ନାୟକଙ୍କ ଅଧୀନରେ ଏକ ବର୍ଷ ଟ୍ରେନିଂ ନେଲେ । ସବୁ କାର୍ଯ୍ୟକୁ ପରଖି ପରଖି ପ୍ରାୟ ବର୍ଷକ ପରେ ପଟ୍ଟଚିତ୍ର ଅଙ୍କନ କାର୍ଯ୍ୟ ଆରମ୍ଭ କରିଥିଲେ । ତାଙ୍କର ପ୍ରଥମ ପଟ୍ଟଚିତ୍ର ଯାହା କି କୃଷ୍ଣଲୀଳା ଉପରେ ଆଧାରିତ ଥିଲା, ତାକୁ ସେ ୬୫୦ ଟଙ୍କାରେ ବିକ୍ରି କରିଥିଲେ । ପରେ ଜାତୀୟ ପୁରସ୍କାର ପ୍ରାପ୍ତ ଶିଳ୍ପୀ ଶରତ କୁମାର ପ୍ରଧାନଙ୍କ ସହିତ ତାଙ୍କର ବିବାହ ହୋଇଥିଲା ।
୧୯୯୮ ରୁ ୨୦୨୫ ମସିହା ଅବଧି ମଧ୍ୟରେ ସେ ଶହ ଶହ ପଟ୍ଟଚିତ୍ର ଅଙ୍କନ କରିଛନ୍ତି । ସେ ପ୍ରାୟ ୫୦୦ ଶହ ପିଲାଙ୍କୁ ଶିକ୍ଷା ଦେଇଛନ୍ତି ଓ ସେମାନଙ୍କ ମଧ୍ୟରୁ ଶତାଧିକ ଛାତ୍ରଛାତ୍ରୀ ପଟ୍ଟଚିତ୍ର ଅଙ୍କନକୁ ନିଜର ମୁଖ୍ୟ ଜୀବିକା ରୂପେ ଗ୍ରହଣ କରିଛନ୍ତି । ଅନ୍ୟ ମହିଳାମାନେ ମଧ୍ୟ ମାସକୁ ପ୍ରାୟ ୧୦, ୦୦୦ ଟଙ୍କା ରୋଜଗାର କରି ପାରୁଛନ୍ତି ।
ତାଙ୍କ ପ୍ରତିଭା ତାଙ୍କୁ ଆଜି ରାଜ୍ୟ ହସ୍ତଶିଳ୍ପ ପୁରସ୍କାର, କଳିଙ୍ଗ ଶିଳ୍ପୀ ପୁରସ୍କାର, ପଟ୍ଟପ୍ରବୀଣ ସମ୍ମାନ, ଯୁଗଶ୍ରୀ ଯୁଗନାରୀ ସମ୍ମାନ ଆଦି ସମ୍ମାନରେ ଭୂଷିତ କରିଛି । ଏହା ସହିତ ସେ ଆଜି ‘ଜାତୀୟ ପଟ୍ଟଚିତ୍ର ଶିଳ୍ପୀ’ ସମ୍ମାନରେ ଭୂଷିତା ହୋଇଛନ୍ତି । ବହୁ ସମ୍ମାନର ଅଧିକାରିଣୀ ଶ୍ରୀମତୀ ସ୍ବାଇଁ ଜାତୀୟ ତଥା ଅନ୍ତର୍ଜାତୀୟ ଅନେକ ପ୍ରଦର୍ଶନୀରେ ନିଜର ଶିଳ୍ପ କଳାକୁ ପ୍ରଦର୍ଶିତ କରି ଆସିଛନ୍ତି । ନିଜ ଅଞ୍ଚଳରେ ‘ଭୋଳାନାଥ ଗୁରୁକୁଳ’ ସ୍ଥାପନା କରି ସେଠାରେ ହସ୍ତଶିଳ୍ପ ଶିକ୍ଷା ଦେବା ସହିତ ଯୁବଶିଳ୍ପୀ, ବୟୋଜ୍ୟେଷ୍ଠ ଶିଳ୍ପୀମାନଙ୍କୁ ସମ୍ମାନିତ କରୁଛନ୍ତି । ଶ୍ରୀମତୀ ସୌଦାମିନୀ ସ୍ବାଇଁ ଆଜି ସମାଜରେ ପ୍ରେରଣାର ଏକ ଉତ୍ସ ହୋଇ ପାରିଛନ୍ତି ।