ଭୁବନେଶ୍ୱର : ଆଜି ଓଡ଼ିଶାରେ ବର୍ଷା ସହ ବଜ୍ରପାତ ଆଶଙ୍କା କରାଯାଇଛି । ୯ ଜିଲ୍ଲାକୁ ପ୍ରବଳ ବର୍ଷାର ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ରାଜ୍ୟରେ ସକ୍ରିୟ ରହିଛି ଦକ୍ଷିଣ-ପଶ୍ଚିମ ମୌସୁମୀ । ଏହାର ପ୍ରଭାବରେ ଆଜି ଓଡ଼ିଶାର ପ୍ରାୟ ସମସ୍ତ ଜିଲ୍ଲାର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା କିମ୍ବା ବଜ୍ରପାତ ସହ ବର୍ଷା ହେବାର ସମ୍ଭାବନା ରହିଛି । କେତେକ ଜିଲ୍ଲାରେ ପ୍ରବଳ ବର୍ଷା ସହ ଘଣ୍ଟାପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ଝଟକା ପବନ ବହିପାରେ । ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ଉତ୍ତର-ପୂର୍ବ ମଧ୍ୟପ୍ରଦେଶ ଓ ସଂଲଗ୍ନ ଛତିଶଗଡ଼ ଅଞ୍ଚଳରେ ଥିବା ଲଘୁଚାପ କ୍ଷେତ୍ର ଏବଂ ଏହା ସହ ଜଡ଼ିତ ଘୂର୍ଣ୍ଣିବଳୟ ରାଜ୍ୟର ପାଣିପାଗକୁ ପ୍ରଭାବିତ କରୁଛି । ବାଲେଶ୍ୱର, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, କେନ୍ଦୁଝର, ମୟୂରଭଞ୍ଜ, ନବରଙ୍ଗପୁର ଓ କୋରାପୁଟ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ୱାର୍ଣ୍ଣିଂ ରହିଛି । ଏହା ସହ ରାଜ୍ୟର ଏକ ବଡ଼ ଅଞ୍ଚଳରେ ବଜ୍ରପାତ ଓ ଝଡ଼ପବନର ଆଶଙ୍କା ରହିଛି । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, କଳାହାଣ୍ଡି, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି ଓ ଗଜପତି ଜିଲ୍ଲାର କେତେକ ସ୍ଥାନରେ ବଜ୍ରପାତ ସହ ଘଣ୍ଟାପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିପାରେ ।
ଅନ୍ୟପଟେ ଭୁବନେଶ୍ୱର ଓ କଟକ ସମେତ ରାଜଧାନୀ ଅଞ୍ଚଳରେ ଆକାଶ ସାଧାରଣତଃ ମେଘୁଆ ରହିବ । ମଝିରେ ମଝିରେ ବର୍ଷା କିମ୍ବା ବଜ୍ରପାତ ସହ ବର୍ଷା ହୋଇପାରେ। ଆର୍ଦ୍ରତା ଅଧିକ ରହିବା ଯୋଗୁଁ ଗୁଳୁଗୁଳି ଅନୁଭୂତ ହୋଇପାରେ । ପ୍ରବଳ ବର୍ଷା ହେବାକୁ ଥିବା ସ୍ଥାନଗୁଡ଼ିକରେ ଅସ୍ଥାୟୀ ଜଳବନ୍ଦୀ ସମସ୍ୟା ସୃଷ୍ଟି ହୋଇପାରେ । ସେହିପରି ବଜ୍ରପାତ ସମୟରେ ଖୋଲା ସ୍ଥାନ, ଗଛ ତଳେ କିମ୍ବା ବିଦ୍ୟୁତ୍ ଖୁଣ୍ଟ ନିକଟରେ ନ ରହି ସୁରକ୍ଷିତ ସ୍ଥାନକୁ ଯିବା ପାଇଁ ପରାମର୍ଶ ଦିଆଯାଇଛି ।
Also Read: ବିଧାନସଭା ସମ୍ମୁଖରେ ବାଇକକୁ ପିଟିଲା ଟୁରିଷ୍ଟ ବସ, ହସପିଟାଲରେ ବାଇକ ଚାଳକ