କୁନି କୁନି ପିଲାଙ୍କ ପାଇଁ ହୁଏ ଏହି ସ୍ୱତନ୍ତ୍ର ପର୍ବ, ରାଜା ରାଜୁଡ଼ା ଅମଳରୁ ହେଉଛି ପାଳନ

ସୁବର୍ଣ୍ଣପୁର: ଛୋଟ ଛୋଟ ପିଲାମାନଙ୍କ ମଧ୍ୟରେ ଭାବର ଆଦାନ ପ୍ରଦାନ ଓ ଦୈନନ୍ଦିନ ଜୀବନଯାପନ ଶୈଳୀ ଶିଖିବାକୁ ନେଇ ସୁବର୍ଣ୍ଣପୁର ଜିଲ୍ଲାରେ ପାଳନ କରାଯାଏ “ପୁରା ଉଆଁସ” ପର୍ବ । କେଉଁ ରାଜା ରାଜୁଡ଼ା ଅମଳରୁ ପାଳନ କରାଯାଉଥିବା ଏହି ପର୍ବରେ ଝିଅ ପିଲାମାନେ ଘର କରଣା ଜିନିଷରେ ଖେଳ ଖେଳି ଥିବାବେଳେ ପୁଅ ପିଲାମାନେ ଯୁଦ୍ଧର ପ୍ରତୀକ ସ୍ୱରୂପ (କାଠ /ମାଟି ତିଆରି) ଘୋଡ଼ା-ହାତୀ ନେଇ ରାସ୍ତାକୁ ବାହାରିଥାନ୍ତି । ଏନେଇ ସୋନପୁର ସହରର ମଝିରେ ସ୍ଵତନ୍ତ୍ର ହାଟରେ ଲାଗିଛି ଭଳିକି ଭଳି ଘୋଡା, ହାତୀ ଏବଂ ହନୁମାନ ସମେତ ମାଟି ତିଆରି ଜିନିଷ ।

ଆସନ୍ତା ସେପ୍ଟେମ୍ୱର ୨ ତାରିଖରେ ହେବ ପୁରା ଉଆଁସ ବା ସପ୍ତପୁରୀ ଅମାବାସ୍ୟା । ପୁରା ଉଆଁସ ପାଇଁ ବସିଛି ସ୍ୱତନ୍ତ୍ର ହାଟ । ସୋନପୁର ସହରର ମଧ୍ୟ ଭାଗରେ ଏହି ହାଟ ବସୁଥିବାରୁ ଲୋକଙ୍କ ଗହଳି ଲାଗି ରହିଥାଏ । ଏହି ଉତ୍ସବ ପାଇଁ ମାସେ ପୁର୍ବରୁ କାରିଗରମାନେ ପ୍ରସ୍ତୁତ ହୁଅନ୍ତି । ପଶ୍ଚିମ ଓଡିଶାର ବିଭିନ୍ନ ପର୍ବ ପର୍ବାଣୀରେ ନିଜ ହାତ ତିଆରି ସାମଗ୍ରୀ ତିଆରି କରି ବେପାରୀମାନେ ବେଶ ଦୁଇ ପଇସା ଲାଭ ପାଇଥାନ୍ତି । କୁମ୍ଭାର ଘରର ପୁରା ପରିବାର ମାଟିରେ ଜିନିଷ ତିଆରି କରି ବିକ୍ରି କରିବାରେ ଲାଗି ପଡନ୍ତି । ମାଟିରେ ଘୋଡା, ହାତୀ, କୁଣ୍ଢି ଓ କାଂଚି ଆଦି ଖେଳନା ସାମଗ୍ରୀ ତିଆରି କରନ୍ତି । କେବଳ କୁମ୍ଭାର ସମ୍ପ୍ରଦାୟ ନୁହଁନ୍ତି ମହାରଣା ସମ୍ପ୍ରଦାୟ ମଧ୍ୟ କାଠରେ ଘୋଡା ହାତୀ ଆଦି ତିଆରି କରି ତାକୁ ବିକ୍ରି କରି ଭଲ ଦୁଇ ପଇସାର ରୋଜଗାର କରିଥାନ୍ତି ।

ଏହି ଉତ୍ସବ ଯେତିକି କୌତୁହଳପୁର୍ଣ୍ଣ, ସେତିକି ଏହାର ଐତିହାସିକ ମହତ୍ତ୍ୱ ମଧ୍ୟ ରହିଛି । ଝିଅ ପିଲାମାନେ ଖେଲୁଥିବା ‘କୁଣ୍ଢିକାଚି’ ଖେଳରେ ସମାଜରେ ନାରୀର ଭୂମିକା ଦେଖିବାକୁ ମିଳେ । ଆଉ ପୁଅ ପିଲାମାନଙ୍କୁ ଯୋଦ୍ଧାର ପ୍ରତୀକ ରୂପେ ଦେଖିବାକୁ ମିଳିଥାଏ । ହାଟ ମାନଙ୍କରେ ଉଖୁଡା, ଚଣା, ରାଶି ଲଡୁ, ତିଆସି, ହରଡ, ଆଦି କ୍ରୟକରି ଘରକୁ ନିଅନ୍ତି । ପୁରା ଉଆଁସ ଦିନ ଏସବୁ ଜିନିଷକୁ ଏକ ଡାଲିଆରେ ସଜାଯାଏ । ଗାଁର ଛୋଟ ଛୋଟ ପୁଅଝିଅମାନେ ସୁସଜିତ ବେଶରେ ଗାଁ ମୁଣ୍ଡକୁ ଯାଇ ଖେଳିଥାନ୍ତି । ଏହି ପରମ୍ପରା ଆଜି ବି ଦେଖିବାକୁ ମିଳୁଛି । ପରମ୍ପରାକୁ ବଞ୍ଚାଇ ରଖିବାପାଇଁ ଆଜି ଗାଁ ଗାଁରେ ଏହି ସାମିଗ୍ରୀ ବିକ୍ରି ହେଉଛି ।

ଖେଳ ମାଧ୍ୟମରେ ପାଳନ କରାଯାଉଥିବା ଏହି ପୁରା ଉଆଁସ ପର୍ବ ବାସ୍ତବରେ ଛୋଟ ଛୋଟ ପିଲାମାନଙ୍କ ପାଇଁ ବେଶ ଶିକ୍ଷଣୀୟ । ସୁବର୍ଣ୍ଣପୁରରେ ପାଳନ କରାଯାଉଥିବା ଏହି ପର୍ବ କେବଳ ମନୋରଞ୍ଜନ ଯୋଗାଉଛି ତା ନୁହେଁ ପୁର୍ବ ପରମ୍ପରାକୁ ମଧ୍ୟ ବଜାୟ ରଖିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like