କେନ୍ଦୁ ପତ୍ର ତୋଳାଳିଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ୟାକେଜ୍ ଘୋଷଣା, ପ୍ରଥମ ପର୍ଯ୍ୟାୟରେ ମିଳିବ ୧୦୦୦ ଟଙ୍କା

ଭୁବନେଶ୍ଵର (କେନ୍ୟୁଜ): କେନ୍ଦୁପତ୍ର ତୋଳାଳିଙ୍କ ପାଇଁ ପ୍ୟାକେଜ୍‌ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଥମ ପର୍ଯ୍ୟାୟରେ ପ୍ରତି ତୋଳାଳିଙ୍କୁ ହଜାରେ ଟଙ୍କା ଓ ପ୍ରତ୍ୟେକ ସିଜିନାଲ ଷ୍ଟାଫ ଓ ବନ୍ଧାଳୀଙ୍କୁ ୧୫ଶହ ଟଙ୍କା ଲେଖାଏ ଦିଆଯିବ। ସବୁ କେନ୍ଦୁପତ୍ର ତୋଳାଳି ଓ କର୍ମଚାରୀଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ କରାଯିବ । ସବୁ କେନ୍ଦୁପତ୍ର ତୋଳାଳି ଓ କର୍ମଚାରୀଙ୍କ ପିଲାମାନଙ୍କୁ ବୃତ୍ତି ପ୍ରଦାନ କରାଯିବ ।

ମେଧାବୀ ଛାତ୍ରଛାତ୍ରୀଙ୍କୁ ଜିଲ୍ଲାସ୍ତରରେ ପୁରସ୍କୃତ କରାଯିବ। ସର୍କଲ ଚେକର୍ସ ଓ ବାଇଣ୍ଡିଂ ଚେକର୍ସମାନଙ୍କ ଗ୍ରାଚୁଇଟି ଦେୟ ୭ଦିନରୁ ବୃଦ୍ଧି କରି ୧୫ଦିନ କରାଯିବ। ସମସ୍ତ ତୋଳାଳିଙ୍କୁ ପରିଚୟପତ୍ର ପଦାନ କରାଯିବ। କେନ୍ଦୁପତ୍ର ବ୍ୟବସାୟ ଉପରେ ୧୮ପ୍ରତିଶତ ଜିଏସଟି ଲଗାଇଥିବାରୁ ଏହାକୁ ସଂପୂର୍ଣ୍ଣ ଉଚ୍ଛେଦ କରିବାକୁ କେନ୍ଦ୍ର ସରକାରଙ୍କୁ ପୁଣି ଦାବି ଜଣାଇବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ଗତକାଲି ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ କେନ୍ଦୁପତ୍ର କର୍ମଚାରୀ ସଂଘର କର୍ମକର୍ତ୍ତା। କେନ୍ଦୁପତ୍ର ଉପରୁ ଜିଏସଟି ହଟାଇବା ଦାବି ରଖିବା ସହ ଅନ୍ୟାନ୍ୟ ପ୍ରସଙ୍ଗରେ ଆଲୋଚନା କରିଥିଲେ।