ଚୌଦ୍ୱାରରେ ୭ ବର୍ଷୀୟା ଆଦିବାସୀ ନାବାଳିକା ଦୁଷ୍କର୍ମ ଘଟଣା, ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ ନିର୍ଦ୍ଦେଶ ଦେଲେ ସ୍ୱତନ୍ତ୍ର ପୋକସୋ ଅଦାଲତ

କଟକ(କେନ୍ୟୁଜ୍):ଚୌଦ୍ୱାର ଥାନା ଅଞ୍ଚଳରେ ଘଟିଥିବା ୭ ବର୍ଷୀୟା ଆଦିବାସୀ ନାବାଳିକାର ବଳାତ୍କାର ଘଟଣାରେ ଆସମୀ ମାୟାଧର ପୂର୍ତ୍ତିକୁ ଆଜୀବନ କାରାଦଣ୍ଡ ନିର୍ଦ୍ଦେଶ ଦେଇଛନ୍ତି କଟକ ସ୍ୱତନ୍ତ୍ର ପୋକସୋ ଅଦାଲତ। ଜୀଵନ ଥିବା ପର୍ଯ୍ୟନ୍ତ ଜେଲରେ ରହିବ ଏହି ନାବାଳିକା ବଳାତ୍କାରୀ। ଏହା ସହ ୧୦ ହଜାର ଜୋରିମାନା ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର କୋର୍ଟ। ୨୦୧୮ ସେପ୍ଟେମ୍ବର ୧୪ ତାରିଖରେ ଘଟିଥିଲା ଏହି ନାବାଳିକା ଦୁଷ୍କର୍ମ ଘଟଣା। ଗ୍ରାମରେ ଗଣେଶ ବିସର୍ଜନ ଶୋଭାଯାତ୍ରା ଚାଲିଥିବା ବେଳେ ଅନ୍ୟ ସାଙ୍ଗ ମାନଙ୍କ ସହ ଖେଳୁଥିବା ପିଡ଼ିତାକୁ ଜଙ୍ଗଲ ଭିତରକୁ ନେଇ ଯାଇଥିଲା ଆସାମୀ ଚୌଦ୍ୱାର ରାମଚନ୍ଦ୍ରପୁରର ମାୟାଧର ପୂର୍ତ୍ତି।

ଦୁଷ୍କର୍ମ ବିଷୟରେ ପରିବାର ଲୋକଙ୍କ ପାଖରେ କହିବା ପରେ ପରିବାର ଲୋକ ଚୌଦ୍ୱାର ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଘଟଣାର ତଦନ୍ତ କରି ସେହି ମାସ ୨୨ ତାରିଖରେ ମାୟାଧର ପୁର୍ତ୍ତିକୁ ଗିରଫ କରିଥିଲା। ଏହି ମାମଲାର ଶୁଣାଣି କରି ପିଡ଼ିତାକୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ଜିଲ୍ଲା ଆଇନସେବା ପ୍ରାଧିକରଣ ଜରିଆରେ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ପୋକସୋ କୋର୍ଟ। ନାବାଳିକା ଦୁଷ୍କର୍ମ ଘଟଣାରେ ୧୭ ଜଣ ସାକ୍ଷୀ ଓ ୧୧ ଟି ତଥ୍ୟପ୍ରମାଣକୁ ଆଧାର କରି ଏହି ଦଣ୍ଡାଦେଶ ଦେଇଛନ୍ତି କୋର୍ଟ। ପୋକସୋ କୋର୍ଟରେ ସରକାରୀ ଓକିଲ ରମେଶ ଚନ୍ଦ୍ର ମହାନ୍ତି ଏହି ମାମଲା ପରିଚାଳନା କରୁଥିଲେ।