କେଉଁଠି ଲୁଚିଛି ଗ୍ୟାଙ୍ଗଷ୍ଟର ହାଇଦର? ସୀମାବର୍ତ୍ତୀ ଅଞ୍ଚଳରେ ଡେରା ପକାଇଛନ୍ତି ପୋଲିସର ସ୍ୱତନ୍ତ୍ର ଟିମ୍‌ ଡେରା ପକାଇ

କଟକ: କେଉଁଠି ଲୁଚିଛି ଗ୍ୟାଙ୍ଗଷ୍ଟର ହାଇଦର ? ସୀମା ପାର ହୋଇ ବିଦେଶ ଫେରାର ହୋଇଯିବା ଚକ୍କରରେ ରହିଛି ହାଇଦର । ଏପରି ସୁରାକ ମିଳିବା ପରେ ସୀମାନ୍ତରେ ଜାଲ ବିଛାଇଛି ପୋଲିସ । ସୀମାବର୍ତ୍ତୀ ଅଞ୍ଚଳରେ ପୋଲିସର ସ୍ୱତନ୍ତ୍ର ଟିମ୍‌ ଡେରା ପକାଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ ପଶ୍ଚିମବଙ୍ଗ, ବିହାର, ଝାଡଖଣ୍ଡ ଏବଂ ଉତ୍ତରପ୍ରଦେଶରେ ରାଜ୍ୟ ପୋଲିସର ୪ଟି ସ୍ପେଶାଲ ଟିମ୍‌ ହାଇଦରକୁ ଖୋଜୁଛି । ହାଇଦରକୁ ଫେରାର୍‌ କରାଇବା ପଛରେ ଷଡ଼ଯନ୍ତ୍ର କରିଥିଲେ ପରିବାର ।

ଗତ ୧୦ ତାରିଖରେ ହାଇଦର ପାଖକୁ ତାର ପୁଅ, ଭାଇ କାଳିଆ, ପୁତୁରା କାଲା, ଶଳା ଗୋରା ଓ ଜ୍ୱାଇଁ ଆସିଥିଲେ । ସୁରକ୍ଷା ଦାୟିତ୍ୱରେ ଥିବା କନଷ୍ଟେବଳଙ୍କ ଉପରେ କୌଣସି ବିଷାକ୍ତ ପଦାର୍ଥ ଫିଙ୍ଗି ଥିଲେ । ଯେଉଁଥିରେ କନେଷ୍ଟବଳ ମହମ୍ମଦ ମୌସିମ୍‌ ଚେତାଶୂନ୍ୟ ହେବା ପରେ ହାଇଦର ଏସସିବି ସର୍ଜରୀ ଓ୍ଵାର୍ଡର କ୍ୟାବିନରୁ ଚମ୍ପଟ ମାରିଲା । ଫେରାର ପରଠାରୁ ପରିବାର ଲୋକଙ୍କ ଫୋନ୍‌ ସୁଇଚ୍‌ ଅଫ୍‌ ଥିବା ଜଣାପଡ଼ିଛି । ହାଇଦରର ବଡ଼ ପୁଅ ଜେଲରେ ଥିବାବେଳେ ମଝିଆଁ ପୁଅ, ସାନ ପୁଅ, ଭାଇ, ପୁତୁରା, ଶଳା, ଓ ସାନ ଜ୍ୱାଇଁର ପତ୍ତା ମିଳୁନଥିବା ଜଣାପଡ଼ିଛି । ହାଇଦର ସହିତ ଏମାନେ ମଧ୍ୟ ଫେରାର ହୋଇଯାଇଥିବା କୁହାଯାଉଛି । କେନ୍ଦ୍ରାପଡ଼ା ଜିଲ୍ଲା ଜମ୍ବୁ ବାଟ ଦେଇ ବଙ୍ଗୋପସାଗରରେ ବୋଟ୍‌ରେ ବାଂଲାଦେଶ ଚାଲିଯାଇଥିବା ସନ୍ଦେହ କରାଯାଉଛି । ସେମାନେ ହାଇଦରକୁ ଦେଶ ବାହାରକୁ ଖସାଇବାକୁ ଯୋଜନା କରୁଛନ୍ତି ।

ଅନ୍ଯପଟେ ହାଇଦରକୁ ଫେରାର କରିବା ପଛରେ ରହିଥିବା ରହସ୍ୟ ଖୋଲିବାରେ ଲାଗିଛି । ହାଇଦରର ଏସକର୍ଟ ବ୍ୟବସ୍ଥାରେ ଓଡ଼ିଶା ପୋଲିସ ମାନୁଆଲରେ ସାଂଘାତିକ ଉଲଂଘନ ହୋଇଥିବା ଘଟଣା ସାମ୍ନାକୁ ଆସିଛି । ମାନୁଆଲରେ ହାଇଦାର ଭଳି ହାର୍ଡକୋର ଅପରାଧୀଙ୍କ ପାଇଁ ସ୍ୱତନ୍ତ୍ର ଏସକର୍ଟ ବ୍ୟବସ୍ଥା କରିବା ନେଇ ବ୍ୟବସ୍ଥା ରହିଛି । ହେଲେ ଜଣେ ସାଧାରଣ କଏଦୀ ଭଳି ଏସକର୍ଟ ବ୍ୟବସ୍ଥା କାହିଁକି ଦିଆଗଲା ତାକୁ ନେଇ ଉଠିଛି ପ୍ରଶ୍ନ ।

ଏପଟେ ଏସ୍‌ସିବିରେ ୧୯ ଦିନରେ ମୋଟ୍‌ ୮ଟି ବିଭାଗ ହାଇଦର ବୁଲିଥିବା ସୂଚନା ମିଳିଛି । ଏକାଧିକ ବିଭାଗରେ ଡାକ୍ତରୀ ପରାମର୍ଶ କରିଛି । ଡିସ୍‌ଚାର୍ଜ ନହେବାକୁ ନାନା ରୋଗର ବାହାନା କରୁଥିଲା ଗ୍ୟାଙ୍ଗଷ୍ଟର ହାଇଦର । ହାଇଦରର ଏଭଳି ଅଜବ ଧରଣର ଚିକିତ୍ସା କାରନାମା ସଂପର୍କରେ ପୋଲିସ ହାତରେ ଠୋସ୍‌ କାଗଜପତ୍ର ଓ ତଥ୍ୟପ୍ରମାଣ ଲାଗିଛି ।

ହାଇଦରର ରୋଗ ଆଦୌ ଜଟିଳ ନଥିଲା । ଡାକ୍ତରଖାନାରେ ଚିକିତ୍ସାର ନାଁ ଗନ୍ଧ ନଥିବା ବେଳେ ତାର ବେଡ୍‌ ହେଡ୍‌ ଟିକେଟ୍‌ ଉପରେ ଲେଖା ହେଉଥିଲା ଯାବତୀୟ ପରାମର୍ଶ । ଡାକ୍ତରଙ୍କୁ କହି ବୋଲି ବିଭିନ୍ନ ବିଭାଗରେ ସେ ପ୍ରେସ୍‌କ୍ରିପ୍‌ସନ୍‌ ଲେଖାଇ ନେଉଥିଲା ହାଇଦର । ହେଲେ କୌଣସି ରୋଗରେ ସେ ଗୁରୁତର ଭାବେ ଆକ୍ରାନ୍ତ ନଥିବା ଟିକେଟ୍‌ ଉପରେ ଉଲ୍ଲେଖ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.