ରଥଯାତ୍ରା ପ୍ରସ୍ତୁତି ନେଇ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସ୍ୱତନ୍ତ୍ର ସମୀକ୍ଷା ବୈଠକ
ପୁରୀ: ପାଖେଇ ଆସୁଛି ମହାପ୍ରଭୁଙ୍କ ଘୋଷଯାତ୍ରା । ଏଥିପାଇଁ ପୁରୀରେ ଚାଲିଛି ଜୋରସୋର ପ୍ରସ୍ତୁତି। ପୁରୀ ପୌରସଦନରେ ରଥଯାତ୍ରା ପ୍ରସ୍ତୁତି ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ସ୍ୱତନ୍ତ୍ର ସମୀକ୍ଷା ବୈଠକ ବସିଛି। ରଥ ନିର୍ମାଣ ଅଗ୍ରଗତି, ନୀତିକାନ୍ତି, ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ପାନୀୟ ଜଳ ଯୋଗାଣ, ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ, ପରିବହନ ବ୍ୟବସ୍ଥା, ସ୍ୱାସ୍ଥ୍ୟ ସେବା, ପରିମଳ ବ୍ୟବସ୍ଥା ଭଳି ସମସ୍ତ ଦିଗକୁ ଗୋଟି ଗୋଟି କରି ଅନୁଧ୍ୟାନ କରିବେ। ବୈଠକରେ ଦୁଇ ଉପ ମୂଖ୍ୟମନ୍ତ୍ରୀ,ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ,ବିଭିନ୍ନ ବିଭାଗର ସଚିବ,ପୋଲିସ ଡିଜି ,ପୁରୀ ଜିଲ୍ଲାର ସମସ୍ତ ବିଧାୟକ ,ସାଂସଦ,ରାଜ୍ୟସଭା ସାଂସଦ ଉପସ୍ଥିତ ଅଛନ୍ତି । ମୁଖ୍ୟ ସଚିବ ମନୋଜ ଆହୁଜା ମଧ୍ୟ ଉପସ୍ଥିତ ଅଛନ୍ତି।
ଏହା ସହ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରାକୁ ତ୍ରୁଟିଶୂନ୍ୟ ଭାବେ ପରିଚାଳନା ପାଇଁ ସମସ୍ତଙ୍କ ସହଯୋଗ ଲୋଡ଼ିଛନ୍ତି ମୁଖ୍ୟମନ୍ତ୍ରୀ । ଆଜି ପୁରୀରେ ସ୍ବତନ୍ତ୍ର ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଯୋଗଦେଇ ରଥଯାତ୍ରାରେ ଯାତ୍ରୀଙ୍କ ସୁରକ୍ଷା ଏବଂ ଆନୁଷଙ୍ଗିକ ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ରଥଯାତ୍ରା ପାଇଁ ୮ ତାରିଖକୁ ସରକାରୀ ଛୁଟି ଘୋଷଣା କରାଯାଇଛି । ଏଥର ରଥଯାତ୍ରାରେ ୧୮୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ ।