ଚାଲିଛି କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମାଆ ମାଣିକେଶ୍ବରୀଙ୍କ ଛତର ଯାତ୍ରା, ଜାଣନ୍ତୁ କଣ ଏହି ପର୍ବର ଇତିହାସ

କଳାହାଣ୍ଡି : ଛତର ଯାତ୍ରା… ଓଡ଼ିଶାର କଳାହାଣ୍ଡି ଜିଲ୍ଲାର ଏକ ପାରମ୍ପରିକ ପର୍ବ । ଏହି ପର୍ବଟି କଳାହାଣ୍ଡି ରାଜପରିବାର ସ‌ହ ଜଡ଼ିତ ମାଆ ମାଣିକେଶ୍ୱରୀଙ୍କର ଏକ ମୁଖ୍ୟ ପର୍ବ । କଳାହାଣ୍ଡି ଜିଲ୍ଲାର ପ୍ରମୁଖ ଦେବୀ ହେଲେ ମାଆ ମାଣିକେଶ୍ବରୀ । ଆଉ ଆଜି ହେଉଛି ମାଆ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । ଆସ୍ଥା ବିଶ୍ବାସ ଓ ପରମ୍ପରାର ପର୍ବ ଛତର ଯାତ୍ରା । କଳାହାଣ୍ଡି ଜିଲ୍ଲା ଭବାନୀପାଟଣାର ନାଗ ବଂଶୀୟ ରାଜ ପରିବାରର ତଥା କଳାହାଣ୍ଡି ବାସିନ୍ଦାଙ୍କ ଆରାଧ୍ୟ ଦେବୀ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ଆଜି ଆରମ୍ଭ ହୋଇଛି । ଏନେଇ ଚଳଚଞ୍ଚଳ ହୋଇ ଉଠିଛି ଗାଁ ଗଣ୍ଡା । ଭବାନୀପାଟଣା ସହର ପଶ୍ଚିମ ଉପକଣ୍ଠରେ ଥିବା ଫାଶୀ ଡଙ୍ଗର ଜେନାଖାଲରେ ମାଣିକେଶ୍ୱରୀଙ୍କ ଗୁପ୍ତ ରୀତିନୀତିରେ ପୂଜାର୍ଚ୍ଚନା ସାରି ମନ୍ଦିର ଅଭିମୁଖେ ବାହାରିଛି ମାଆଙ୍କ ବିଜୟ ପ୍ରତିମା ଛତର । ସହର ଉପକଣ୍ଠରେ ଥିବା ଜେନାଖାଲରୁ ଭୋର ୪ଟା ପରେ ମାଙ୍କ ବିଜୟ ଛତର ବାହାରିଛି । ଦିନ ୧୨ଟା ପରେ ରାଜବାଟି ସ୍ଥିତ ମାଆ ମାଣିକେଶ୍ବରୀ ମନ୍ଦିରରେ ପହଞ୍ଚିଛି ଛତର ।

ମାଣିକେଶ୍ବରୀଙ୍କ ମହତ୍ତ୍ବ

ମହାଷ୍ଟମୀର ମଧ୍ୟରାତ୍ରୀରେ ସ୍ଵତନ୍ତ୍ର ଗୁପ୍ତ ପୂଜା ପରେ ମା’ଙ୍କ ବିଜୟ ପ୍ରତିମା ଛତରକୁ ନେଇ ଯାତ୍ରା ଆରମ୍ଭ ହୁଏ । ମୁଣ୍ଡଚିନା ଜେନା ବାଦ୍ୟର ତାଳେ ତାଳେ ମା’ଙ୍କ ବିଜୟ ପ୍ରତିମା ଛତରକୁ ନେଇ ସହରର ପଶ୍ଚିମରେ ଥିବା ଫାଶୀ ଡଙ୍ଗର ତଳେ ଥିବା ଜେନାଖାଲରେ ରଖାଯାଏ । ସେଠାରେ ସ୍ଵତନ୍ତ୍ର ରୀତିନୀତିରେ ଗୁପ୍ତ ପୂଜା ପରେ ନବମୀ ତିଥିରେ ମା’ଙ୍କ ବିଜୟ ପ୍ରତିମା ଛତର ମନ୍ଦିର ଅଭିମୁଖେ ପ୍ରତ୍ୟାବର୍ତ୍ତନ କରିଥାନ୍ତି । ଯାହାକୁ ଛତର ଯାତ୍ରା ବୋଲି କୁହାଯାଏ । ଏହି ସମୟରେ ମା’ଙ୍କ ଦର୍ଶନ ଓ ଆଶୀର୍ବାଦ ପାଇବା ପାଇଁ ଲକ୍ଷଲକ୍ଷ ଭକ୍ତଙ୍କ ସମାଗମ ହୋଇଥାଏ ।

କିମ୍ବଦନ୍ତୀ କହେ

ଦେବୀଙ୍କର ମନ୍ଦିର କଳାହାଣ୍ଡି ଜିଲ୍‌ଲାର ପୂର୍ବ ଶାସକଙ୍କ ରାଜଉଆସର ସୀମାକୁ ଲାଗିକି ରହିଛି । ଏଥିପାଇଁ କି ରାଜାମାନେ ଦେବୀଙ୍କର ମୁଖ୍ୟ ପର୍ବ ଛତ୍ରଯାତ୍ରା ଯାହା ଏବେ ବଦଳିକି ଛତର ଯାତ୍ରା ରୂପେ ପାଳନ କରାଯାଉଛି ତାହାକୁ ଅତି ପାଖରୁ ଦେଖିପାରିବେ ଏବଂ ସୁଚାରୁରୂପେ ତୁଲାଇପାରିବେ । ମାଆ ମାଣିକେଶ୍ୱରୀ ମହାଷ୍ଟମୀର ମଧ୍ୟରାତ୍ରରେ ଗର୍ଭଗୃହରୁ ବାହାରକୁ ଆସନ୍ତି ଏବଂ ପାଖାପାଖି ୩କିମି ଦୂର ଜେନଖଳକୁ ଯାଆନ୍ତି । ମହାଷ୍ଟମୀର ସକାଳେ ନ‌ଗର ପରିଭ୍ରମଣରୁ ଏହି ଯାତ୍ରା ଆରମ୍ଭ ହୁଏ । ଏକ ବାଉଁଶକୁ କଳା କପଡ଼ାରେ ଗୁଡ଼ାଯାଇ ମାଆ ମାଣୀକେଶ୍ୱରୀଙ୍କର ପ୍ରତିନିଧିତ୍ୱ କରାଯାଏ । ଚାନ୍ଦିର ଏକ ପାତ୍ର ଯାହା ଉପରେ ଦଶମହାବିଦ୍ୟା ଯନ୍ତ୍ର ଖୋଦିତ ହୋଇଥାଏ ଯାହାକି ହିନ୍ଦୁମାନଙ୍କର ତାନ୍ତ୍ରିକ ରୂପ ଦେଖାଏ । ଏଦି ଚାନ୍ଦିର ପାତ୍ରଟି କଳା କପଡ଼ା ଗୁଡ଼ାଯାଇଥିବା ବାଉଁଶର ଉର୍ଦ୍ଧ୍ୱରେ ଲଗାଯାଇଥାଏ ।

ବଳି ପ୍ରଥା

ଦୈବୀ ପୀଠ ସହ ପୂଜା ସଂସ୍କୃତି ଓତଃପୃତଃ ଭାବେ ଜଡିତ । ଯଦିଓ କାଳକ୍ରମେ ଏହା ପୂଜାର ଅଭିନ୍ନ ଅଙ୍ଗ ଭାବେ ରହିଆସିଛି ତେଣୁ ବର୍ତ୍ତମାନ ପ୍ରଶାସନର ହସ୍ତକ୍ଷେପ ଯୋଗୁଁ ବଳିପ୍ରଥା ପ୍ରାୟତଃ ବନ୍ଦ ହୋଇଗଲାଣି । ବହୁ ଶକ୍ତି ପୀଠରେ ଏହାକୁ ନେଇ କଟକଣା ମଧ୍ୟ ଲଗାଯାଇଛି । କିନ୍ତୁ ଏହା ସତ୍ତ୍ବେ ବି ମାଣିକେଶ୍ବରୀ ପୀଠରେ ଆଜି ବି ବହୁତ ସଂଖ୍ୟାର ବଳି ଏଠାରେ ଦିଆଯାଏ । ସେହି ପରମ୍ପରା ଅନୁଯାୟୀ ଆଜି ନବରାତ୍ର ସମେତ ମାଙ୍କ ଷୋଡ଼ଶଦିନାତ୍ମକ ଅଷ୍ଟମୀରେ ମା‘ଙ୍କ ନିକଟରେ ୧୦ ହଜାର ପଶୁବଳି ଦେଇଛନ୍ତି ମାନସିକଧାରୀ । ମାନସିକ ରଖିଥିବା ଶ୍ରଦ୍ଧାଳୁମାନେ ଛତର ଯାତ୍ରା ସମୟରେ ମାଣିକେଶ୍ବରୀଙ୍କ ନିକଟରେ କୁକୁଡ଼ା, ବୋଦା, ଛେଳି ଅର୍ପଣ କରିଥାଆନ୍ତି । ଏହାପରେ ରକ୍ତମୟ ହୋଇଯାଏ ରାଜ ରାସ୍ତା । ରାସ୍ତାରେ ଭକ୍ତମାନେ ଧୂପ, ଦୀପ, ନୈବେଦ୍ୟ ଅର୍ପଣ କରିଥାଆନ୍ତି । ଭକ୍ତ ମାନେ ଶାନ୍ତି ଓ ମୈତ୍ରିର ପ୍ରତୀକ ଶହଶହ କଳା ଓ ଧଳା ରଙ୍ଗର ପାରାକୁ ଛତର ଉପରେ ଉଡ଼ାଇବାର ପରମ୍ପରା ଦେଖିବାକୁ ମିଳେ । ମା’ଙ୍କ ବିଜୟ ପ୍ରତିମା ଛତର ମନ୍ଦିର ସିଂହ ଦ୍ଵାର ନିକଟରେ ପହଞ୍ଚିବା ପରେ ଜେନାବଳି ଦେବା ପରେ କଳାହାଣ୍ଡି ମହାରାଜଙ୍କ ପ୍ରତିମାକୁ ନେଇ ଗର୍ଭଗୃହ ମଧ୍ୟରେ ସ୍ଥାପନ କରିଥାନ୍ତି ।

ଆଇନ୍ ଶୃଙ୍ଖଳା

ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଟ୍ରାଫିକ ନିୟନ୍ତ୍ରଣ ଓ ସ୍ବତନ୍ତ୍ର ପାର୍କିଂ ବ୍ୟବସ୍ଥା ପ୍ରତି ଦୃଷ୍ଟି ରଖାଯାଇଛି । ସୁରକ୍ଷା ବ୍ୟବସ୍ଥା ପାଇଁ ୧୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ସହର ମଧ୍ୟରେ ଯାନବାହାନ ପ୍ରବେଶ ଉପରେ ମଧ୍ୟ କଟକଣା କରାଯାଇଥିବା ବେଳେ ୭ଟି ପାର୍କିଂ ବ୍ୟବସ୍ଥା ମଧ୍ୟ କରାଯାଇଥିବା ନେଇ ଏସପି ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like