ଗାଁର ନାଁ ମାଣିକ ପାଟଣା, ହେଲେ ଏହା ପଛରେ ରହିଛି କିମ୍ବଦନ୍ତୀର କାହାଣୀ

ସୋରଡା : ଏମିତି ଏକ ଗାଁ, ଯାହାର ନାଁ ମାଣିକ୍ୟପୁର ଗାଁ । ଧରାକୋଟ ବ୍ଲକରେ ରହିଛି ଏହି ମାଣିକ୍ୟପୁର ପଞ୍ଚାୟତ । ଏହି ପଞ୍ଚାୟତ ୧୦ ଗୋଟି ଗାଁ ଏବଂ ୧୩ ଗୋଟି ୱାର୍ଡକୁ ନେଇ ଗଠିତ ପଞ୍ଚାୟତ । ପଞ୍ଚାୟତ ଗଠନ ହେବା ବେଳକୁ ଏହି ମାଣିକ୍ୟପୁର ଗାଁରେ ମଛାକୋଟ ପଞ୍ଚାୟତ ,ସାବାପଞ୍ଚାୟତ , ବଳରାମପୁର ପଞ୍ଚାୟତ ମିଶି ରହିଥିଲା କିନ୍ତୁ ପର୍ଯ୍ୟାୟ କ୍ରମେ ଏହା ଚାରି ଭାଗରେ ବିଭକ୍ତ ହେଲା । ଏହି ମାଣିକ୍ୟପୁର ନାମଟି ଶୁଣିବାକୁ ଅତି ସୁନ୍ଦର ଅଟେ ଏହାର ନାମ ପ୍ରଥମେ ମାଣିକପାଟଣା ଥିଲା । ଏହି ଗାଁରେ ଜଣେ ମାଣିକ ଗୁଡିଆଣୀ ବୋଲି ବୃଦ୍ଧା ବାସ କରୁଥିଲେ ସେ ଜଣେ ତନ୍ତ୍ର ସାଧକ ଥିଲେ । ନିଜ ଦୁଇ ଗୋଡକୁ ଚୁଲି ଭିତରେ ପୁରାଇ ଲିଆ ,ମୁଡି ଭାଜିବା ସହିତ ରୋଷେଇ କରୁଥିଲେ । ଏହା ସେହି ସମୟର ବଡଗଡ ରାଜା ଦେଖି ତାହାରି ନାମରେ ମାଣିକ ପାଟଣା ନାମରେ ନାମିତ କରିଥିଲେ କିନ୍ତୁ ପର୍ଯ୍ୟାୟ କ୍ରମେ ଏହା ମାଣିକ୍ୟପୁର ନାମରେ ନାମିତ ହେଲା ।

ଏହି ମାଣିକ୍ୟପୁର ଗାଁଟି ଦୀର୍ଘ ସହ ସହ ବର୍ଷ ତଳୁ ସ୍ଥାପିତ ହୋଇଛି । କିଛି ଚାଷୀ ପରିବାରକୁ ନେଇ ଏହି ଗ୍ରାମ ଗଠିତ ହୋଇଥିଲା । ସେହି ସମୟର ରାଜା ସାହେବ ଏହି ଗାଁର ଲୋକଙ୍କୁ ଜମି ଚାଷ କରିବାକୁ ଦେଇ ଖଜଣା ନେଉଥିଲେ । ଦିନକୁ ଦିନ ଏହାର ଲୋକସଂଖ୍ୟା ବଢି ବର୍ତମାନ ବାରସହ ପରିବାରର ଲୋକ ବସବାସ କରୁଛନ୍ତି । ସବୁ ବର୍ଗର ଲୋକ ମାନେ ଏହି ଗାଁରେ ଭାଇଚାରାର ସମ୍ପର୍କ ରଖୀ ଚଳୁଛନ୍ତି । ପଞ୍ଚାୟତରେ ପାଞ୍ଚ ହଜାରରୁ ଉର୍ଦ୍ଧ ଲୋକ ବସବାସ କରନ୍ତି । ସେମାନଙ୍କ ମଧ୍ୟରୁ ଅଧିକାଂଶ କୃଷି କାର୍ଯ୍ୟ ଉପରେ ନିର୍ଭର କରନ୍ତି । କିଛି ଲୋକ ବ୍ୟବସାୟ କରି ଚଳନ୍ତି । ତେବେ ଏହି ମାଣିକ୍ୟପୁର ଗାଁର ନାମ ମାଣିକ ଗୁଡିଆଣୀ ବୋଲି ଜଣେ ବୃଦ୍ଧାଙ୍କ ନାଁ ଅନୁଯାୟୀ ହୋଇଛି । ସେ ଏହି ଗ୍ରାମରେ ବସବାସ କରୁଥିଲେ । ସେହି ସମୟରେ ରାଜା ଶାସନ ରହିଥିଲା । ଏହି ଅଞ୍ଚଳକୁ ପ୍ରଥମେ କନ୍ଧ କିରାତ ମାନେ ଏହି ଅଞ୍ଚଳକୁ ରାଜୁତି କରୁଥିଲେ । ପରେ ଏହା ଖିଡିସିଙ୍ଗ ରାଜ୍ୟରେ ନାମିତ ହୋଇଥିଲା । ରାଜସ୍ଥାନରୁ ସୋଭା ଚନ୍ଦ୍ର ସିଂ ପାରିଧିରେ ଏହି ଅଞ୍ଚଳକୁ ଆସିଥିଲେ ଏବଂ କନ୍ଧ ରାଜା ପାଟ ମାଲିକ ତାଙ୍କୁ ରାଜ ଭାର ଦେଇଥିଲେ । ୧୧୬୮ ମସିହାରେ ଏଠାରେ ରାଜ ତନ୍ତ୍ର ଆରମ୍ଭ ହୋଇଥିଲା । ଏବଂ ବଡଗଡ ଠାରେ ରାଜ ଉଆସ କରିଥିଲେ । ସୋଭା ଚନ୍ଦ୍ର ସିଂ ଙ୍କ ସାତ ପିଢୀ ପରେ ୧୪୭୬ ରେ ଏହି ବଡଗଡରେ ଦମଣ ସିଂ ରାଜୁତି ଆରମ୍ଭ କରିଥିଲେ । ଏବଂ ସେତେବେଳେ ମାଣିକ୍ୟପୁର ବଡଗଡ ରାଜାଙ୍କ ଶାସନରେ ରହିଥିଲା । ତେବେ ଏହି ମାଣିକ୍ୟପୁର ଗାଁରେ ରହୁଥିଲେ ମାଣିକ୍ୟ ଗୁଡିଆଣୀ ନାମରେ ଏକ ବୃଦ୍ଧା । ସେ ତନ୍ତ୍ର ସାଧକ ଥିଲେ ନିଜ ସାଧନା ବଳରେ ସବୁ ଅସମ୍ଭବ ସମ୍ଭବ କରୁଥିଲେ । ଦିନେ ମାଣିକ ଗୁଡିଆଣୀ ଏକ ଭୋଜି ଉତ୍ସବରେ ଯୋଗ ଦେବା ପାଇଁ ବଡଗଡ ଆସିଥିଲେ, ସେତେବେଳେ ପାଦ ଚଲା ରାସ୍ତା ଥିଲା । ମାଣିକ ଗୁଡିଆଣୀ ନିଜ ଝିଅକୁ ସାଥିରେ ଧରି ଭୋଜି ଉତ୍ସବ ଯୋଗ ଦେଇ ଫେରିବା ସମୟରେ ବୈଶାଖ ମାସର ମୁଣ୍ଡ ଫଟା ଖରା ହେଉଥିଲା ରାସ୍ତାରେ ଉଦୁଉଦିଆ ଖରାରେ ଯିବା କଷ୍ଟ । ଝିଅ କହିଲା ଖରରେ ଯିବା କଷ୍ଟ ଛାଇ ହୋଇଥିଲେ ଭଲ ହୋଇଥାନ୍ତା ।

ଝିଅର କଥା ରଖୀ ମାଣିକ କହିଲା ଛାଇ ହେବ କିନ୍ତୁ ତୁ ପଛକୁ ଅନାଇବୁ ନାହି । ଝିଅ ଛାଇରେ ଗ୍ରାମ ମାଣିକପୁର ପୋଖରୀ ହୁଡା ପର୍ଯ୍ୟନ୍ତ ଆସି ପଛକୁ ଚାହିଁଲା ବେଳକୁ ବଡଗଡରୁ ଆସିଥିବା ଉସ୍ତ ଗଛଟି ସେଠାରେ ରହିଗଲା । ତାହାର କିମ୍ବଦନ୍ତୀ ଏବଂ ସେହି ସ୍ତାନ ରହିଛି । ମାଣିକ ଲିଆ ,ମୂଡି ଭାଜି ଲୋକଙ୍କୁ ବିକ୍ରି କରୁଥିଲା ସେତେବେଳେ ଲୋକମାନେ କାଠରେ ରୋଷେଇ କରୁଥିଲେ କିନ୍ତୁ ମାଣିକ ସାଧନା ବଳରେ ନିଜ ଗୋଡ ଦୁଇଟିକୁ ଚୁଲି ରେ ଭର୍ତି କରି ଲିଆ ଭାଜୁଥିଲା । ଏହି ଖବର ଗାଁରୁ ଗାଁ ଖେଳି ଗଲା । ଦିନେ ରାଜା ଏହା ପରିଖିବା ପାଇଁ ମାଣିକ ଗୁଡିଆଣୀର ଘରକୁ ଆସି ଦେଖିଲେ ମାଣିକ ନିଜ ଦୁଇ ଗୋଡକୁ ଚୁଲି ଭିତରେ ଭର୍ତି କରି ରୋଷେଇ କରୁଛି । ରାଜା ଏହା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଏବଂ ସେଠାରେ ପଡିଥିବା ପିଢା ଉପରେ ବସିପଡିଲେ । କିଛି ସମୟ ପରେ ରାଜା ମାଣିକକୁ ଚାହିଁ ଛିଡା ହୋଇଗଲେ କିନ୍ତୁ ପିଢାଟି ତାଙ୍କରି ପଛ ରେ ଲାଗି ଗଲା, ରାଜା ଆହୁରି ତାଟକା ହୋଇଗଲେ ଏବଂ ମାଣିକ କହିଲା ମୁଁ ଖାଇବା ପର୍ଯ୍ୟନ୍ତ ଆପଣ ଉଠିବେ ନାହି ମାଣିକ କହିବା ପରେ ପିଢାଟି ରହିଗଲା । ମାଣିକର ଏପରି ଚମତ୍କାର ଦେଖି ସେହି ଗାଁର ନାମ ରଖିଲେ ମାଣିକ ପାଟଣା । ମାଣିକ ତାନ୍ତ୍ରିକ ହୋଇଥିଲେ ମଧ୍ୟ ଲୋକଙ୍କ ଉପକାର କରୁଥିଲା ଆଗ ସମୟରେ କଲରା , ବସନ୍ତ , ଭୁତ ,ଡାହାଣୀକୁ ଲୋକ ବିଶ୍ଵାସ କରୁଥିଲେ କିନ୍ତୁ ମାଣିକ ଏହି ତନ୍ତ୍ର ମାଧ୍ୟମରେ ଲୋକଙ୍କୁ ସୁରକ୍ଷା ଦେଉଥିଲା । ତେବେ କିନ୍ତୁ ବର୍ତମାନ ଭାଇଚାରାର ଗ୍ରାମ ହୋଇଛି ନିର୍ବାଚନ ଆସିଲେ କିଛି ଲୋକଙ୍କ ମଧ୍ୟରେ ମନାନ୍ତର ମତାନ୍ତର ହୋଇଥାଏ ପରେ ପୁଣି ମିଶି ଭାଇଚାରା ହୋଇ ଚଳନ୍ତି ।

ମନ୍ଦିର ମାଳିନୀ ଗ୍ରାମ କହିଲେ ଅତୁକ୍ତି ହେବ ନାହିଁ ଏହି ଗାଁରେ ଭେରୁଣ୍ଡେଇ ମନ୍ଦିର ,ମାଣିକେଶ୍ବରୀ ମନ୍ଦିର ,ସପ୍ନେଶ୍ଵର ଶିବ ମନ୍ଦିର ,କାଲୀ ମନ୍ଦିର ,କୋଠିଶାଳା ମନ୍ଦିର ,ଠାକୁରାଣୀ ମନ୍ଦିର ରହିଛି ବାର ମାସରେ ତେର ଜାତ ହୋଇଥାଏ । ଦଣ୍ଡ ଯାତ୍ରା ,ଶିବରାତ୍ର ଓ ଠାକୁରାଣୀ ଯାତ୍ରାରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥାଏ ଏହି ଯାତ୍ରାରେ ସବୁ ଲୋକ ସହଯୋଗ କରି ଲୋକଙ୍କୁ ସେବା ଯୋଗାଇଥାନ୍ତି । ଭଲ ଶିକ୍ଷା ପାଇ ପ୍ରାଥମିକ ସ୍କୁଲ ଠାରୁ ଆରମ୍ଭ କରି ହାଇସ୍କୁଲ ରହିଛି ସ୍କୁଲର ପରିବେଶ ଅତି ସୁନ୍ଦର ପିଲା ମାନଙ୍କୁ ଭଲ ଶିକ୍ଷା ଦାନ ଦିଆଯାଏ । ସୁନ୍ଦର ମେଡିକାଲ ରହିଛି ସାଧାରଣ ଚିକିଛା ଏଠାରେ ରୋଗୀ ପାଇଥାନ୍ତି ପ୍ରତିଦିନ ଏହାକୁ ପାଖ ଆଖ ଅଞ୍ଚଳରୁ ବହୁ ରୋଗୀ ଆସି ଚିକିତ୍ସିତ ହେଉଛନ୍ତି । ଏହା ସହିତ ଅଙ୍ଗନାବାଡ଼ି ଗୃହ , କୋଠଗୃହ ,ସଭା ସମିତି ପାଇ ମଣ୍ଡପ ତିଆରି ହୋଇଛି । ପାନୀୟ ଜଳ ପାଇଁ ପାଣି ଟାଙ୍କି ନିର୍ମିତ ହୋଇ ପାରିଛି । ପଞ୍ଚାୟତର ଲୋକମାନଙ୍କର ରାସନ କାର୍ଡରେ ଚାଉଳ , ବାର୍ଦ୍ଧକ୍ୟ ଭତା ,ଆବାସ ଯୋଜନାରେ ଗୃହ , ରହିଛି । ସବୁ ସହରକୁ ପିଚୁ ରାସ୍ତା ସଂଯୋଗ ହୋଇଛି । ଅଧିକାଂଶ ସମୟରେ ବସ ଚଳାଚଳ କରୁଛି ପଞ୍ଚାୟତ ରୁ ବ୍ଲକ ପାଇଁ ସରକାରୀ ବସ ସୁବିଧା ରହିଛି । ପଞ୍ଚାୟତ ଠାରୁ ବ୍ଲକ ୧୫ କିଲୋମିଟର ରହିଥିବା ବେଳେ ଲୋକଙ୍କୁ କିଛି ଅସୁବିଧା ହୁଏ ନାହି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.