ଦୋଳ ପୂର୍ଣ୍ଣିମାରେ ଗୋପାଳ ସମ୍ପ୍ରଦାୟ ଲୋକଙ୍କ ଖାସ୍ ପୂଜା, ଗୋଠପୂଜାରେ ଜମିଲା ଅଞ୍ଚଳ

ଓଡିଆ ପରମ୍ପରାରେ ବାର ମାସରେ ପାଳନ କରାଯାଏ ତେର ପର୍ବ । ବିଭିନ୍ନ ସଂପ୍ରଦାୟ ଏବଂ ପରମ୍ପରାକୁ ନେଇ ଓଡ଼ିଶାରେ ରହିଛି ଅନେକ ପୂଜା ଏବଂ ମହୋତ୍ସବ । ସମାନ ଭାବେ  ଗୋପାଳ ସମ୍ପ୍ରଦାୟର ଲୋକମାନଙ୍କ ମୁଖ୍ୟ ପର୍ବ ହେଉଛି ଦୋଳ ପୂର୍ଣ୍ଣିମା ପର୍ବ । ଏହି ପର୍ବକୁ ଗୋପାଳ ଭାଇମାନେ ବେଶ ଧୁମଧାମରେ ପାଳନ କରିଥାନ୍ତି । ପରମ୍ପରା ଅନୁଯାୟୀ ଗୋପାଳ ପରିବାରର ସଦସ୍ୟମାନେ ଗୋଠ ପଡିଆଠାରେ ଏକାଠି ହୋଇ ପୂର୍ଣ୍ଣିମା ପୂର୍ବଦିନ କଳସ ସ୍ଥାପନ କରି ଦୋଳ ପୂର୍ଣ୍ଣିମା ଦିନ ସେଠାରେ ପୂଜା ଆରମ୍ଭ କରିଥାନ୍ତି ।

ଏହି ଗୋଠ ପୂଜାରେ ଏକ ସ୍ବତନ୍ତ୍ର ପରମ୍ପରା ରହିଛି ଯାହାକୁ ହିଣ୍ଡଳା ଉଠିବା ବୋଲି କୁହାଯାଇଥାଏ । ଗୋଠ ପଡିଆ ଠାରେ ଏକ ଚୁଲି ପ୍ରସ୍ତୁତ କରାଯାଇ ସେଥିରେ  ଏକ ମାଟି ହାଣ୍ଡିରେ ଘିଅକୁ ରଖାଯାଇ ନିଆଁ ଜଳାଇ ଦିଆ ଯାଇଥାଏ । ହାଣ୍ଡିରେ ରହିଥିବା ଘିଅ ଗରମ ହେଲେ ସେଥିରେ କ୍ଷୀର ଢଳାଯାଇ ଥାଏ । ଏହାପରେ ସେଥିରୁ ଏକ ନିଆଁ ପିଣ୍ଡୁଳା ସୃଷ୍ଟି ହୋଇ ଉପରକୁ ଉଠିଥାଏ ଯାହାକୁ ଇଶ୍ବରଙ୍କ ପ୍ରତିସ୍ବରୂପ ଭାବରେ ଗୋପାଳ ଭାଇମାନେ ଗ୍ରହଣ କରି ପୂଜାର୍ଚ୍ଚନା କରିଥାନ୍ତି ।

ଏହି ପରମ୍ପରା ପୌରାଣିକ କିମ୍ବଦନ୍ତୀ ଅନୁଯାୟୀ ଦ୍ଵାପର ଯୁଗର ଶ୍ରୀକୃଷ୍ଣଙ୍କ ଲୀଳା କଥାମ୍ବୃତରୁ ଆସିଥିବା ବେଳେ ଏହା କେଉଁ ଆବାହମାନ କାଳରୁ ପାଳନ କରାଯାଇ ଆସୁଛି ତାହା କହିବା ମୁସ୍କିଲ । ଅସ୍ତରଙ୍ଗ ନିକଟ ସିଲାରି ଗାଁ ଠାରେ ରହିଥିବା ଗୋଠ ପଡିଆ ଠାରେ ଏହି ପୂଜା କରାଯାଇଥାଏ ।

ଏଠାରେ ରହିଥିବା ଏକ ବଟବୃକ୍ଷ ସମସ୍ତଙ୍କର କେନ୍ଦ୍ରବିନ୍ଦୁ ରହିଆସିଛି । ଅନେକ ସ୍ଥାନରେ ଅନେକ ଶତାୟୁ ବରଗଛ ରହିଥିବା ବେଳେ ସେଗୁଡିକର ଆକାର ବେଶ ବଡ଼ ହୋଇଥିବା ଦେଖିବାକୁ ମିଳିଥାଏ । କିନ୍ତୁ ଏହି ଗୋଠ ପଡିଆରେ ରହିଥିବା ବଟ ବୃକ୍ଷର ବୟସ ଶହେ ବର୍ଷରୁ ଅଧିକ ହୋଇଥିଲେ ବି ଏହାର ଆକାର ସ୍ଥିର ରହିଛି । ଅନ୍ୟପଟେ ସବୁବେଳେ ଚିର ହରିତ ହୋଇ ରହିଛି ଏହି ବଟ ବୃକ୍ଷ । ଯେଉଁଥିପାଇଁ ଏଠାରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଆସୁଛି ।

Also Read:ଦୋଳପୂର୍ଣ୍ଣିମାରେ ପାଞ୍ଜିର ମହତ୍ତ୍ୱ, ସୋରଡାର ଜଗନ୍ନାଥ ମନ୍ଦିରରେ ପାଠ ହୁଏ ସ୍ଵତନ୍ତ୍ର ପାଞ୍ଜି