ଆଜିଠୁ ରିମାଣ୍ଡରେ ଆସିବ ସ୍ପାଇଡର ସତୀଶ, ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଲୁଟ ଘଟଣାର ପର୍ଦ୍ଦାଫାସ କରିବ ପୋଲିସ

ଭୁବନେଶ୍ୱର : ଆଜିଠାରୁ ରିମାଣ୍ଡରେ ଆସିବ କୋଟିପତି ଚୋର ସ୍ପାଇଡର ସତୀଶ । ତାକୁ ୫ ଦିନିଆ ରିମାଣ୍ଡରେ ନେବାକୁ କମିଶନରେଟ ପୋଲିସକୁ ଅନୁମତି ଦେଇଛନ୍ତି କୋର୍ଟ । ଏହି ପାଞ୍ଚ ଦିନିଆ ରିମାଣ୍ଡରେ କମିଶନରେଟ ପୋଲିସ ତାକୁ ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଚୋରି ଓ ନୟାପଲ୍ଲୀ ARSS ମାଲିକଙ୍କ ଘରୁ ଚୋରି ମାମଲା ନେଇ ପଚରା ଉଚୁରା କରିବ ।
ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଚୋରି ଘଟଣାରେ ବିଶାଖାପାଟଣାରୁ ଗିରଫ ସତୀଶ ରେଡ୍ଡୀ ଏବେ ଭୁବନେଶ୍ବର ଝାରପଡ଼ା ଜେଲରେ ଅଛି । ସତୀଶକୁ ରିମାଣ୍ଡରେ ଆଣି ଗୁଡ଼େଇତୁଡ଼େଇ ଜେରା କରିବ ପୋଲିସ । ସେ ଆଉ କେଉଁ କେଉଁ ଚୋରି ଘଟଣାରେ ସଂପୃକ୍ତ ? ଘଟଣା ଦିନ ନିରଞ୍ଜନ କିମ୍ବା ତାଙ୍କ ପୁଅ ବୋହୂ ଘରେ ନ ଥିଲେ ବୋଲି କେମିତି ଜାଣିଲା ଲୁଟେରା ? ହାଇ ସିକ୍ୟୁରିଟି ସତ୍ତ୍ବେ କିଭଳି ଚୋରି କଲା ? ସ୍ପାଇଡର ସତୀଶକୁ ରିମାଣ୍ଡରେ ଆଣି ପୂରା ଘଟଣାର ପରଦା ଖୋଲିବ କମିଶନରେଟ ପୋଲିସ ।
ପୂର୍ବରୁ ୨୦୨୩ ମସିହାରେ ନୂଆପଲ୍ଲୀ ଥାନା ଭିଭିଆଇପି ଅଞ୍ଚଳରେ ଥିବା ଏଆରଏସଏସ ମାଲିକଙ୍କ ଘରେ ପଶି କଳାକନା ବୁଲାଇଥିଲା । ଏନେଇ ମଧ୍ୟ ତାକୁ ପଚରାଉଚରା କରାଯିବ । ଚୋରି ଟଙ୍କାରେ ସତୀଶ ଦୁଇ ସ୍ତ୍ରୀ ଓ ପ୍ରେମିକା ପାଇଁ ଫ୍ଲାଟ୍, କିଛି ମୂଲ୍ୟବାନ ପ୍ଲଟ କିଣିଛି । ୫ ରାଜ୍ୟରେ କୋଟିପତିଙ୍କ ଘରୁ ସତୀଶ ୨ଶହ କୋଟିର ସମ୍ପତ୍ତି ଲୁଟିଛି ବୋଲି ପୋଲିସ ସୂଚନା ଦେଇଛି । ଗୁଗୁଲ ଓ ୟୁ ଟ୍ୟୁବରୁ ସତୀଶ କୋଟିପତି ଲୋକଙ୍କ ଠିକଣା ଠାବ କରୁଥିଲା ।
ଆହୁରି ପଢ଼ନ୍ତୁ : ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ରୋଷେୟା ମୃତ୍ୟୁ ମାମଲା, ୩ ବର୍ଷ ପରେ ପୁଣି ଖୋଲା ହେବ ଫାଇଲ