ପାରାୟଣ ବେଳେ ମହାପ୍ରୟାଣ: ଭଗବାନଙ୍କ କଥା କହିବା ବେଳେ ଟଳି ପଡ଼ିଲେ ପ୍ରବଚକ

ଭଦ୍ରକ: ଆଜିକାଲି ହୃଦଘାତ ବା ହାର୍ଟ ଆଟାକ୍‌ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଚାଲୁଥିବା, ବୁଲୁଥିବା ଅବସ୍ଥାରେ ଲୋକେ ହୃଦଘାତର ଶୀକାର ହେଉଛନ୍ତି ଏବଂ ମୃତ୍ୟୁବରଣ କରୁଛନ୍ତି । ଯାହାକୁ ନେଇ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହୋଇସାରିଛି । ଯେଉଁଥିରେ କିଛି ଲୋକ ଜିମ୍‌ରେ ଓ୍ଵାର୍କଆଉଟ୍‌ କରୁଥିବା ବେଳେ ହୃଦଘାତର ଶୀକାର ହେଉଛନ୍ତି ତ ଆଉ କିଛି ଲୋକ ନାଚିବା ସମୟରେ ହଠାତ୍‌ ତଳେ ପଡ଼ିଯାଉଛନ୍ତି । ଯାହାଫଳରେ ଘଟଣାସ୍ଥଳରେ ହିଁ ସେମାନଙ୍କ ପ୍ରାଣବାୟୁ ଉଡ଼ିଯାଉଛି । ଏବେ ପୁଣିଥରେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ।

କଥାରେ ଅଛି ତୋ ହରି ନାମ ମୋର ତୁଣ୍ଡରେ ଥାଉ… ଏତିକି ବେଳେ ମୋ ଜୀବନ ଯାଉ । ଯାହା ଏବେ ସତ ହୋଇଛି ଆଜ୍ଞା । ଭଗବାନଙ୍କ କଥା କହିବା ବେଳେ ଭଗବାନଙ୍କ ପାଖକୁ ଚାଲିଗଲେ ଜଣେ ପ୍ରବଚକ । ରାମଚରିତ ମାସନ ପରାୟଣ ବେଳେ ଛାଡିଗଲା ତାଙ୍କ ପ୍ରାଣବାୟୁ । ରାମ କଥା କହିବା ବେଳେ ହଠାତ୍ ଟଳି ପଡ଼ିଲେ ପ୍ରବଚକ ଅଧ୍ୟାପକ ଗୋପାଳ ପ୍ରସାଦ ବେଜ । ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଭଦ୍ରକ ବ୍ଲକ ସାହାଡା ପଞ୍ଚାୟତରେ । ଯାହା ସୂଚନା ମିଳିଛି, ଏକ ରାମ ମନ୍ଦିରରେ ପ୍ରବଚନ ଦେବା ବେଳେ ତାଙ୍କୁ ହୃତଘାତ ହୋଇଥିଲା ।

ତେବେ ତିନି ଦିନ ପାଇଁ ଶ୍ରୀରାମ ଚରିତ ମାନସ ନବାହ୍ନ ପାରାୟଣ ଓ ପ୍ରବଚନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଯେଉଁଥିରେ ପ୍ରବଚକ ଭାବରେ ଯୋଗଦେଇଥିଲେ ବାସୁଦେବପୁର ବ୍ଲକ ଆଢୁଆଁ ଧାତାପୁରର ପ୍ରବଚକ ତଥା ଅଧ୍ୟାପକ ଗୋପାଳ ପ୍ରସାଦ ବେଜ । ଗତକାଲି ଦ୍ଵିତୀୟ ସଂନ୍ଧ୍ୟାରେ ପ୍ରବଚନ ଦେଉଥିବା ବେଳେ ସେ ହଠାତ୍ ଅସୁସ୍ଥ ହୋଇ ଟଳିପଡ଼ିଥିଲେ । ପରେ ତାଙ୍କର ସହଯୋଗୀ ମାନେ ତାଙ୍କୁ ଭଦ୍ରକ ମେଡିକାଲକୁ ତୁରନ୍ତ ନେଇଆସିଥିଲେ । ମାତ୍ର ମାଡିକାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଯାହାକୁ ନେଇ ସମଗ୍ର ଅଞ୍ଚଳରେ ଖେଳିଯାଇଛି ଶୋକର ଛାୟା ।

ସତରେ ମୃତ୍ୟୁ କେତେବେଳେ କେମିତି ଆସେ, ତାହା କାହାକୁ ଜଣାନାହିଁ । ଏକ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଚାଲିଥିବା ସମୟରେ ଭଗବାନଙ୍କ କଥା କହୁ କହୁ ଚାଲିଗଲା ଜୀବନ । ସତରେ ଜୀବନର ଅର୍ଥ କଣ? କିଏ କେବେ ବୁଝିଛି ତ କିଏ ବୁଝିକି ବି ଅବୁଝା । ଏସଂସାରକୁ ଆସିଛେ ମାନେ ଦିନେ ନା ଦିନେ ବିଦାୟ ନେବା । ଏ କଥା ସତ ଆମେ ସଭିଏଁ ଜାଣିଛେ । ହେଲେ ଏମିତି ତୁଣ୍ଡରେ ଭଗବାନଙ୍କ ନାମ ନେଉଥିବାବେଳେ ଏହି ସମୟରେ ଭଗବାନଙ୍କ ସହିତ ସବୁଦିନ ପାଇଁ ଲୀନ ହୋଇଯିବା ଭାଗ୍ୟରେ ଥିଲେ ମିଳେ ।

ଆହୁରି ପଢନ୍ତୁ:ସାବଧାନ ! ଆହୁରି କଲବଲ କରିବ ଭୀଷଣ ତାତି, ଏପ୍ରିଲରୁ ଜୁନ୍ ଯାଏ ହେବ ଅଗ୍ନି ବର୍ଷା