କ୍ରୀଡ଼ା ଶିକ୍ଷକଙ୍କ ଆଖି ଟେରା ହେଲା ଭଳି ସମ୍ପତ୍ତି, ରହିଛି ମଦ ଭାଟିଠୁ ଆରମ୍ଭ କରି ପେଟ୍ରୋଲ ପମ୍ପ ଓ ଗ୍ୟାସ ଗୋଦାମ

ଗଞ୍ଜାମ(କେନ୍ୟୁଜ୍):  କ୍ରୀଡ଼ା ଶିକ୍ଷକଙ୍କ ଅମାପ ସମ୍ପତ୍ତି । ମଦ ଭାଟିଠୁ ଆରମ୍ଭ କରି ପେଟ୍ରୋଲ ପମ୍ପ ଓ ଗ୍ୟାସ ଗୋଦାମ ବି ରହିଛି। ତା ସହ ବହୁତଳ ବିଶିଷ୍ଟ କୋଠା। ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକର ଜୟନ୍ତପୁର ଦିବ୍ୟସିଂହ ବିଦ୍ୟାପୀଠ ଉଚ୍ଚ ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ଜନାର୍ଦ୍ଦନ ସାହୁଙ୍କ ଘରେ ଭିଜିଲାନ୍‌ସ ଚଢାଉ ହୋଇଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ କରୁଛି ବ୍ରହ୍ମପୁର ଭିଜିଲାନ୍‌ସ । ଘରୁ ଜବତ ହୋଇଛି କେଜି କେଜି ସୁନା ଓ ପୁଳା ପୁଳା ଟଙ୍କା।

 

ବ୍ରହ୍ମପୁର ଅନନ୍ତନଗର ସ୍ଥିତ ବାସଭବନ ସହ ୧୩ଟି ସ୍ଥାନରେ ଏକକାଳୀନ ରେଡ୍‌ ଚାଲିଛି। ଜୟନ୍ତପୁରରେ ଥିବା ପେଟ୍ରୋଲ ପମ୍ପ, ଗ୍ୟାସ ଗୋଦାମ, ମଦ ଭାଟି ସହ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି ବ୍ରହ୍ମପୁର ଭିଜିଲାନ୍‌ସ ବିଭାଗ। ଜନାର୍ଦ୍ଦନଙ୍କ ବ୍ରହ୍ମପୁର ଅନନ୍ତନଗର ଲେନ୍‌ ନଂ୧ରେ ୩ ମହଲା ବିଶିଷ୍ଟ କୋଠା, ତୃତୀୟ ଲେନ୍‌ରେ ୨ ମହଲା ଘର ଓ ଜୟନ୍ତୀପୁରରେ ଏକ ମହଲା ଘର ରହିଛି। ଏହାଛଡା ଜୟନ୍ତୀପୁରରେ ପୋଷ୍ଟ ଅଫିସ ଚାଲିଥିବା ଦୁଇ ମହଲା ଘର, ୪ଟି ଦୋକାନ ଘର ରହିଛି। ତେବେ କିଛି ବ୍ୟକ୍ତି ଉଦ୍ଦେଶ୍ୟମୂଳକ ଭାବେ ଏଭଳି କରିଥିବା ଅଭିଯୋଗ କରିଛନ୍ତି ଜନାର୍ଦ୍ଦନ ସାହୁ। ଆୟ ବହିର୍ଭୂତ ସମ୍ପତ୍ତି କିଛି ନାହିଁ ବରଂ ଯାହା ସମ୍ପତ୍ତି ଅଛି ତାହା ନିଜ ଦରମା ଓ ପୁଅଙ୍କ ପରିଶ୍ରମରୁ ଅର୍ଜନ ହୋଇଛି ବୋଲି ସେ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.