ସ୍ପୋର୍ଟସ ହବ୍ ଓଡ଼ିଶା : ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଆ ଖେଳାଳିଙ୍କ ବଢୁଛି କରିସ୍ମା

kalingaଭୁବନେଶ୍ବର : ବିଭିନ୍ନ ଖେଳରେ ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣୁଛନ୍ତି ବହୁ ଓଡ଼ିଆ ଷ୍ଟାର୍ । ଗୌହାଟୀରେ ଜାତୀୟ ସିନିଅର ଆଥ୍ଲେଟିକ୍ ମିଟରେ ସଫଳତା ପରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ଦୂତୀ ଚାନ୍ଦ । ମୁଖ୍ୟମନ୍ତ୍ରୀଙ୍କ ସହ ସେ ସେଲଫି ବି ନେଇଥିଲେ। ସେପଟେ କ୍ରୀଡ଼ାର ବିକାଶ ପାଇଁ ରାଜ୍ୟ ସରକାର ବି ବହୁ ପଦକ୍ଷେପ ନେଉଛନ୍ତି । ଖେଳ ସହ ଖେଳାଳିଙ୍କ ବିକାଶକୁ ଗୁରୁତ୍ୱ ଦିଆଯାଉଛି । ଏହା ଭିତରେ ସରକାରଙ୍କ ଆଗରେ ଚ୍ୟାଲେଞ୍ଜ୍, ଭୁବନେଶ୍ୱରରେ ହକି ବିଶ୍ୱକପର ସଫଳ ଆୟୋଜନ ।

ଜାତୀୟ ସିନିୟର ଆଥଲେଟିକ୍ ମିଟ୍ ସଫଳତା ପରେ ମୁଖ୍ୟମନ୍ତ୍ରୀ ଭେଟିଛନ୍ତି ଦୂତୀ ଚାନ୍ଦ । ସଫଳତା ନେଇ ଦୂତୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ନବୀନ । ନିକଟରେ ଗୌହାଟୀରେ ଅନୁଷ୍ଠିତ ଆଥଲେଟିକ୍ ମିଟର ଶହେ ମିଟରରେ ସ୍ୱର୍ଣ୍ଣ ପଦକ ଜିତିବା ସହ ନୂଆ ଜାତୀୟ ରେକର୍ଡ କରିଥିଲେ । କିଟ୍ ଛାତ୍ରୀ ଦୂତୀ ୧୧ ଦଶମିକ ୨୯ ସେକେଣ୍ଡ ନେଇ ତାଙ୍କ ନିଜ ନାଁରେ ଥିବା ୧୧.୩୦ ସେକେଣ୍ଡ ରେକର୍ଡ଼କୁ ଭାଙ୍ଗିଥିଲେ । ଏବେ ଲକ୍ଷ୍ୟ ଆସନ୍ତା ଅଗଷ୍ଟରେ ଜାକର୍ତ୍ତାରେ ହେବାକୁ ଥିବା ଏସିଆନ୍ ଆଥଲେଟିକ୍ ମିଟରେ ପଦକ ହାସଲ କରିବା ।ଦିନକୁ ଦିନ ସ୍ପୋର୍ଟସ୍ ହବ୍ ହେବାରେ ଲାଗିଛି ଓଡ଼ିଶା । ରାଜ୍ୟର ବହୁ ଖେଳାଳି ଜାତୀୟ ଓ ଅନ୍ତର୍ଜୀତୀୟ ସ୍ତରରେ ସଫଳତା ସାଉଁଟୁଛନ୍ତି । ଦୂତୀଙ୍କ ସହ ଜାକର୍ତ୍ତା ଏସିଆନ୍ ଆଥଲେଟିକ୍ ମିଟ୍ ପାଇଁ ଯୋଗ୍ୟତା ହାସଲ କରିଛନ୍ତି ଜଉନା ମୁର୍ମୁ ଓ ପୂର୍ଣ୍ଣିମା ହେମ୍ବ୍ରମ୍ । ଏମାନଙ୍କ ସହ ଏସିଆଡରେ ଦବଦବା ଦେଖାଇବେ ଓଡ଼ିଆ ମହିଳା ବ୍ୟାଡମିଣ୍ଟନ୍ ଷ୍ଟାର ଋତୁପର୍ଣ୍ଣା ପଣ୍ଡା । ୨୦ ଜଣିଆ ଟିମର ତାଙ୍କୁ ସ୍ଥାନ ମିଳିଛି ।

dutee

ଓଡ଼ିଆ ଖେଳାଳି ଦୀପସାନ ତିର୍କୀ ହୋଇଛନ୍ତି ୨୩ ବର୍ଷରୁ କମ୍ ଭାରତୀୟ ହକି ଟିମ୍ ଅଧିନାୟକ । ତାଙ୍କ ସହ ଟିମ୍ରେ ସ୍ଥାନ ପାଇଛନ୍ତି ଅନ୍ୟ ୨ ଓଡ଼ିଆ ନିଲମ୍ ସଞ୍ଜୀବ ଖେସ୍ ଓ ଶିଳାନନ୍ଦ ଲାକ୍ରା । ଜୁଲାଇ ୧୪ରୁ ବେଲଜିୟମରେ ଷଡ଼ରାଷ୍ଟ୍ରୀୟ ଟୁର୍ଣ୍ଣାମେଣ୍ଟରେ ଏମାନେ ଖେଳିବେ। ସେହିପରି ନିକଟରେ ନେରଦଲ୍ୟାଣ୍ଡରେ ଶେଷ ହୋଇଥିବା ଚାମ୍ପିଅନ୍ସ ଟ୍ରଫି ହକିରେ ଭାରତ ଦମଦାର ପ୍ରଦର୍ଶନ କରିଥିଲା । କଡ଼ା ଟକ୍କର ସତ୍ତ୍ୱେ ଫାଇନାଲ୍ରେ ଅଷ୍ଟ୍ରେଲିଆଠାରୁ ହାରି ରନର୍ସ ଅପରେ ସନ୍ତୁଷ୍ଟ ହୋଇଥିଲା ଟିମ୍ ଇଣ୍ଡିଆ । ଏବେ ହକିରେ ଓଡ଼ିଶା ଟିମ୍ ଇଣ୍ଡିଆର ପ୍ରାୟୋଜକ ରହିଛି ।

hockey

ଓଡ଼ିଶା ପ୍ରାୟୋଜକ ହେବା ପରେ ଏହା ଭାରତର ବଡ଼ ଅଭିଯାନ ଥିଲା । ସେହିପରି ଆସନ୍ତା ନଭେମ୍ବର ୨୮ ତାରିଖରୁ ଓଡ଼ିଶାରେ ହେବ ହକିର କ୍ରୀଡ଼ା ମହାକୁମ୍ଭ ବିଶ୍ୱକପ୍ । ଏଥିପାଇଁ କଳିଙ୍ଗ ଷ୍ଟାଡିୟମ୍ ଏବେ ସଜେଇ ହେଉଛି । ନିକଟରେ ହକି ଫେଡେରେସନର ପ୍ରତିନିଧି ମଣ୍ଡଳୀ ଓଡ଼ିଶା ଆସି ବିଶ୍ୱକପ୍ ପ୍ରସ୍ତୁତି ରାଜ୍ୟ ସରକାରଙ୍କ ସହ ଆଲୋଚନା କରିଥିଲେ । ସେହିପରି ଲଣ୍ଡନରେ ହେବ ଓଡ଼ିଶା ବିଶ୍ବକପର ବ୍ରାଣ୍ଡିଂ ।

ରାଜ୍ୟରେ କ୍ରୀଡ଼ାର ବିକାଶ ପାଇଁ ରାଜ୍ୟ ସରକାର ବହୁ ପଦକ୍ଷେପ ହାତକୁ ନେଉଛନ୍ତି । ନିକଟରେ ରାଜ୍ୟ ସରକାର ହାଇଦ୍ରାବାଦ ସ୍ଥିତ ପୁଲେଲା ଗୋପିଚାନ୍ଦ ବ୍ୟାଡମିଣ୍ଟନ୍ ଫାଉଣ୍ଡେସନ୍ ସହ ଏମଓୟୁ କରିଛନ୍ତି । ଏହା ସହାୟତାରେ ଓଡ଼ିଶାରେ ହେବ ବିଶ୍ୱସ୍ତରୀୟ ବ୍ୟାଡବିଣ୍ଟନ ଏକାଡେମୀ । ସେହିପରି ପୂର୍ବରୁ ରାଜ୍ୟ ସରକାର ସଫଳତାର ସହ ହକି ଇଣ୍ଡିଆ ଲିଗ୍ ଓ ଏସିଆନ୍ ଆଥଲେଟିକ୍ ଚାମ୍ପିଅନସିପ୍ ଆୟୋଜନ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.