ଏଆଇଏଫଏଫ ସ୍କାଉଟିଂ ଦାୟିତ୍ୱରେ ଶ୍ରଦ୍ଧାଞ୍ଜଳି ସାମନ୍ତରାୟ

ଭାରତୀୟ ମହିଳା ଫୁଟବଲ୍‌ ଦଳର ପୂର୍ବତନ ଅଧିନାୟିକା ଶ୍ରଦ୍ଧାଞ୍ଜଳି ସାମନ୍ତରାୟଙ୍କୁ ମିଳିଛି ଆଉ ଏକ ସୁଯୋଗ। ଆସାମର ଗୁଆହାଟୀଠାରେ ଚାଲିଥିବା ଜାତୀୟ ୧୭ ବର୍ଷରୁ କମ୍‌ ବାଳିକା ପ୍ରତିଯୋଗିତାରୁ ଜାତୀୟ ଦଳପାଇଁ ଖେଳାଳି ଚୟନ ପ୍ରକ୍ରିୟାରେ ସାମିଲ ହେବାକୁ ଶ୍ରଦ୍ଧାଞ୍ଜଳିଙ୍କୁ ଆମନ୍ତ୍ରିତ କରାଯାଇଛି। ଶ୍ରଦ୍ଧାଞ୍ଜଳି ଏହି ନିମନ୍ତ୍ରଣ ପାଇଁ ତୁରନ୍ତ ଗୁଆହାଟୀ ଗସ୍ତ କରିଛନ୍ତି।

୧୭ ବର୍ଷରୁ କମ୍‌ ବୟସ ବର୍ଗର ଖେଳାଳିଙ୍କୁ ବାଛି ଜାତୀୟ ଶିବିର ଲାଗି ମନୋନୀତ କରିବାକୁ ଶ୍ରଦ୍ଧାଞ୍ଜଳିଙ୍କୁ କୁହାଯାଇଛି। ଖେଳାଳି, ପ୍ରଶିକ୍ଷକ ଏବଂ ଚୟନକର୍ତ୍ତା ଭାବେ ଶ୍ରଦ୍ଧାଞ୍ଜଳିଙ୍କ ନିକଟରେ ଥିବା ଅଭିଜ୍ଞତାକୁ ନଜରରେ ରଖି ଏଆଇଏଫଏଫ୍‌ ତାଙ୍କୁ ଡାକରା ଦେଇଛି। ଏଥିପାଇଁ ଶ୍ରଦ୍ଧାଞ୍ଜଳି ତାଙ୍କ ବୃତ୍ତିଗତ ସଂସ୍ଥା ନାଲକୋ ସହିତ ଏଆଇଏଫଏଫ୍‌ ଏବଂ ଫାଓ(ଫୁଟବଲ ଆସୋସିଏସନ ଅଫ ଓଡିଶା)କୁ କୃତଜ୍ଞତା ଜଣାଇଛନ୍ତି।