ଭୁବନେଶ୍ୱର (କେନ୍ୟୁଜ): ଗ୍ରୀଷ୍ମ ପ୍ରବାହ ସମୟରେ ଟାଣ ଖରାରେ ବାହାରକୁ ବାହାରନ୍ତୁ ନାହିଁ । ଆଗାମୀ ୩ ଦିନ ଯାଏ ରାଜ୍ୟରେ ଭୀଷଣ ଗ୍ରୀଷ୍ମ ପ୍ରବାହ ଜାରି ରହିବ । ଏଥିପାଇଁ ଦିନ ୧୧ଟାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ଘରୁ ନ ବାହାରିବାକୁ ଏସଆରସି ସତ୍ୟବ୍ରତ ସାହୁ ପରାମର୍ଶ ଦେଇଛନ୍ତି । ନମାନିଲେ ବିପର୍ଯ୍ୟୟ ପରିଚାଳନା ଆଇନରେ କାର୍ଯ୍ୟାନୁଷ୍ଠାନ ହେବ । ଜିଲ୍ଲା ପ୍ରଶାସନ ସହ ସହଯୋଗ କରିବା ପାଇଁ ଏସଆରସି ଅନୁରୋଧ କରିଛନ୍ତି । ଅତି ଜରୁରୀ ନ ହେଲେ ବାହାରକୁ ବାହାରନ୍ତୁ ନାହିଁ । ଯଦି ବାହାରୁଛନ୍ତି ତେବେ ପୂର୍ଣ୍ଣ ସତର୍କତା ଅବଲମ୍ବନ କରନ୍ତୁ ।
ବର୍ତ୍ତମାନ ସ୍କୁଲ,କଲେଜ ବନ୍ଦ ଥିବା ବେଳେ, ନିର୍ବାଚନୀ ପ୍ରକ୍ରିୟ ସରି ଯାଇଛି। ତେଣୁ ପିକ୍ ଆୱାରରେ ଘରୁ ନ ବାହାରିବା ଉଚିତ। ସକାଳେ କିମ୍ବା ସନ୍ଧ୍ୟାରେ ଆମେ ସବୁ କାମ କରିନେବା ଉଚିତ । ପ୍ରଚାର କରି ଲୋକଙ୍କୁ ଏନେଇ ସଚେତନ କରାଯାଉଛି। ଏଥିନିମନ୍ତେ ମାର୍ଗଦର୍ଶିକା ଜାରି କରାଯାଇଛି। ଏଯାଏ ରାଜ୍ୟରେ ଅଂଶୁଘାତରେ ୫ ଜଣଙ୍କ ମୃତ୍ୟୁ ଘଟିଥିବା ସ୍ପଷ୍ଟ ହୋଇଛି । ସେହିପରି ଗତକାଲି ସନ୍ଧ୍ୟା ସୁଦ୍ଧା ୧୮ଟି ଅଂଶୁଘାତ ଅଭିଯୋଗ ଆସିଛି । ତଦନ୍ତ କରିବା ପାଇଁ ଜିଲ୍ଲାପାଳ ସେଠାକୁ ଯାଇଛନ୍ତି । ତଦନ୍ତ ରିପୋର୍ଟ ଆସିବା ପରେ ହିଁ କାରଣ ଜଣାପଡ଼ିବ । ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶା ପାଇଁ ସତର୍କ ରହିବା ସମୟ । ଭୟଭୀତ ନ ହୋଇ ସତର୍କ ରହିବାକୁ SRC ପରାମର୍ଶ ଦେଇଛନ୍ତି ।
ସୂଚନା ଅନୁସାରେ ସୁନ୍ଦରଗଡ଼ ଜିଲ୍ଲାରେ ୧୬ ଜଣଙ୍କ ଅଂଶୁଘାତଜନିତ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଗତକାଲି ୧୪ ଜଣଙ୍କ ଅସ୍ବାଭାବିକ ମୃତ୍ୟୁ ଘଟିଥିଲା । ଆଜି ଆଉ ୨ ଜଣଙ୍କ ମୃତ୍ୟୁ ଘଟିଛି । ଗତକାଲି ରାଉରକେଲା ହସ୍ପିଟାଲରେ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲା ହସ୍ପିଟାଲରେ ୪ ଜଣଙ୍କ ମୃତ୍ୟୁ ଘଟିଥିଲା । ଆଜି ଆଉ ୨ ଜଣଙ୍କ ମୃତ୍ୟୁ ଘଟିଛି । ସେହିଭଳି ରାଉରକେଲା ହସ୍ପିଟାଲରେ ୨୩ ଜଣ ଚିକିତ୍ସାଧୀନ ଅଛନ୍ତି । ଅଂଶୁଘାତ ଜନିତ ମୃତ୍ୟୁ କି ନୁହେଁ ତାହା ତଦନ୍ତ କାର୍ଯ୍ୟ ସରିଲା ପରେ ସ୍ପଷ୍ଟ ହେବ ବୋଲି ଏସଆରସି କହିଛନ୍ତି।