ଭୁବନେଶ୍ୱର: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଓ ଗୁଳୁଗୁଳିକୁ ଦୃଷ୍ଟିରେ ରଖି ସ୍ବତନ୍ତ୍ର ରିଲିଫ କମିଶନର- SRCଙ୍କ କଡ଼ା ନିର୍ଦ୍ଦେଶ। ଉତ୍ତର ଓ ଦକ୍ଷିଣ ଡିଭିଜନର ମୋଟ୍ ୯ ଜ୍ଲଲାପାଳଙ୍କୁ ନିର୍ଦ୍ଦେଶନାମା ଜାରି କରିଛନ୍ତି SRC। ୯ ଜିଲ୍ଲାକୁ ହିଟ୍ ୱେଭ୍ ୱାର୍ଣ୍ଣିଂ ଜାରି କରି ଆବଶ୍ୟକୀୟ ପଦକ୍ଷେପ ନେବା ସହ ସଚେତନ କରିବାକୁ ନିର୍ଦେଶ ଦେଇଛନ୍ତି SRC ।
ସେପଟେ ଆହୁରି ୩ ଦିନ ଯାଏଁ ଗ୍ରୀଷ୍ମ ପ୍ରବାହ ଲାଗି ରହିବ ବୋଲି କହିଛି ପାଣିପାଗ ବିଭାଗ। ଆସନ୍ତା ୨୪ ଘଣ୍ଟାରେ ପ୍ରବଳ ଗ୍ରୀଷ୍ମପ୍ରବାହ ରହିବ। ହିଟ୍ ୱେବ୍ ସହ ଉଷ୍ମ ରାତି ଓ ଉପକୂଳରେ ହଟ୍ ଆଣ୍ଡ ହ୍ୟୁମିଡ ସ୍ଥିତି ରହିବ। ଗତକାଲି ଝାରସୁଗୁଡ଼ାରେ ତାପମାତ୍ରା ୪୭ ଡିଗ୍ରୀ ଛୁଇଁଛି । ସେହିପରି ଟିଟିଲାଗଡ଼ ୪୬.୫, ବରଗଡ଼ ୪୬.୩, ସମ୍ବଲପୁରରେ ୪୬.୨, ତାପମାତ୍ରା ରହିଛି । ୪୫ ଡିଗ୍ରୀ ଉପରେ ରହିଛି ୯ ସହରର ପାରଦ ।
ତେବେ ରାଜ୍ୟରେ ଅସହ୍ୟ ଗୁଳୁଗୁଳି ସହ ଗରମ ଅନୁଭୂତ ହେଉଥିବା ବେଳେ ରାଜ୍ୟର କିଛି କିଛି ସ୍ଥାନରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି । ବିଜୁଳି ଘଡଘଡି ସହ ବର୍ଷା ଓ ଝଡତୋଫାନ ନେଇ ସତର୍କତା ଜାରି କରିଛି ପାଣିପାଗ କେନ୍ଦ୍ର । ଅନ୍ୟପଟେ ମେ ୩୧ରୁ ଜୁନ ୧ ତାରିଖ ସୁଦ୍ଧା ସଠିକ ସମୟରେ ମୌସୁମୀ ବାୟୁ କେରଳ ଛୁଇଁବାର ସମ୍ଭାବନା ରହିଛି ବୋଲି କହିଛି ବିଭାଗ। ମୌସୁମୀ ବାୟୁ କେରଳ ଆସିବା ନେଇ ପାଗ ଅନୁକୂଳ ରହିଛି।