ହିଟୱେଭ ନେଇ ୮ ଜିଲ୍ଲାପାଳଙ୍କୁ ଏସଆରସିଙ୍କ ଚିଠି

ଭୁବନେଶ୍ୱର(କେନ୍ୟୁଜ୍): ପଶ୍ଚିମ ଓଡ଼ିଶା ସମେତ ଏକାଧିକ ସ୍ଥାନରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ନେଇ ଏସଆରସିଙ୍କ ପକ୍ଷରୁ ଆଡଭାଇଜରୀ ଜାରି ହୋଇଛି । ଆଗାମୀ ୫ ଦିନ ପର୍ଯ୍ୟନ୍ତ ଜାରି ରହିବ ଗ୍ରୀଷ୍ମ ପ୍ରବାହ । ପଶ୍ଚିମ ଓଡ଼ିଶାର ୮ ଜିଲ୍ଲାର ଜିଲ୍ଲାପାଳଙ୍କୁ ଅତିରିକ୍ତ SRC ଚିଠି ଲେଖିଛନ୍ତି । ହିଟୱେଭ ନେଇ ପଦକ୍ଷେପ ନେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ଦିନ ୧୧ଟାରୁ ୩ଟା ମଧ୍ୟରେ ବାହାରେ କାର୍ଯ୍ୟ ନକରିବାକୁ ପରାମର୍ଶ ଦିଆଯାଇଛି । ବାହାରକୁ ବାହାରିଲେ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ । ଆବଶ୍ୟକ ଅନୁଯାୟୀ ପାଣି ପିଇବା ସହ ପାଖରେ ପାଣି ରଖିବେ । ଏପଟେ ରାଜ୍ୟରେ ଅଂଶୁଘାତରେ ୪୧ ଲୋକଙ୍କ ମୃତ୍ୟୁ । ଅନ୍ୟ ୭୩ ଲୋକଙ୍କ ମୃତ୍ୟୁର ତଦନ୍ତ ଚାଲିଛି । ଏନେଇ ସୂଚନା ଦେଇଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର ।
୧୫୧ ଜଣଙ୍କ ଅଂଶୁଘାତ ଜନିତ ମୃତ୍ୟୁ ନେଇ ଅଭିଯୋଗ ଆସିଥିଲା । ତେବେ କିଛି ମୃତକଙ୍କ ପରିବାର ଲୋକ ପୋଷ୍ଟମର୍ଟମ ନକରି ନେଇ ଯାଇଛନ୍ତି । ଗତକାଲି ୧୬ ଜଣ ବିଭିନ୍ନ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧ ୨୨ ଶହ ୬୯ ରୋଗୀ ଚିକିତ୍ସିତ ହୋଇଥିବା କହିଛନ୍ତି ଡାକ୍ତର ନୀଳକଣ୍ଠ ମିଶ୍ର ।