ଆଡପ ପହଣ୍ଡି ବେଳେ ପଡିଗଲେ ବଡ଼ ଠାକୁର, ୫ ସେବାୟତ ଆହତ

ଆଡପ ପହଣ୍ଡି ବେଳେ ପଡିଗଲେ ବଡ଼ ଠାକୁର ଶ୍ରୀ ବଳଭଦ୍ର । ଚାରମାଳ ଉପରେ ଖସି ପଡିଲେ ବଡ଼ ଠାକୁର । ପହଣ୍ଡିରେ ସାମିଲ ହୋଇଥିବା ୫ ସେବାୟତ ଆହତ ହୋଇଥିବା ସୂଚନା ମିଳିଛି । ବଡ଼ ଠାକୁରଙ୍କୁ ପହଣ୍ଡି କରୁଥିବା ବେଳେ ଚାରମାଳ ଉପରେ ସେବାୟତାମାନେ ନିୟନ୍ତ୍ରଣ ହରାଇଥିଲେ । ଫଳରେ ବଡ ଠାକୁର ଚାରମାଳ ଉପରେ ପଡିଯାଉଥିବା ବେଳେ ସେବାୟତମାନେ ଧରି ରଖିବାକୁ ଚେଷ୍ଟା କରିଥିଲେ । ଏହି ସମୟରେ ସେବାୟତମାନେ ପଛରୁ ବଡ଼ ଠାକୁରଙ୍କୁ ଉଠାଇ େ ନଇଥିଲେ ।

ଏହି ଘଟଣା ପରେ ସମସ୍ତ ସେବାୟତମାନେ ମର୍ମାହତ ହେବା ସହ କାନ୍ଦିଥିବା ଜଣେ ସେବାୟତ କହିଛନ୍ତି । ପୂଜାରେ କିଛି ତ୍ରୁଟି ହୋଇନି, ଏହା କେବଳ ଏକ ଦୁର୍ଘଟଣା । ଭଗବାନ କିଛି ଅମଙ୍ଗଳ କରିବେନି ବୋଲି ଜଣେ ସେବାୟତ କହୁଥିବାର ଦେଖିବାକୁ ମିଳିଛି । ତେବେ ଏହା ଏକ ଦୁର୍ଘଟଣା ନା ଏହା ପଛରେ ଲୀଳାମୟ ଙ୍କର କିଛି ଲୀଳା ରହିଛି ତାକୁ ନେଇ ଆଲୋଚନା ହେଉଛି । ସତରେ ବଡ଼ ଠାକୁରଙ୍କ ଏପରି ପଡିଯିବା ରାଜ୍ୟ ଓ ଦେଶ ପାଇଁ କିଛି ବାର୍ତ୍ତା ଦେଉନି ତ !

ପୁରୀରେ ଆଜି ଆଡପ ମଣ୍ଡପ ବିଜେ ପହଣ୍ଡି ସମୟରେ ବଡ ଠାକୁର ଶ୍ରୀ ବଳଭଦ୍ର ଚାରମାଳରେ ଖସି ପଡିବା ଖବର ପାଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଃଖ ପ୍ରକାଶ କରିଛନ୍ତି । ସେ ଆଇନମନ୍ତ୍ରୀ ପୃଥିରାଜ ହରିଚନ୍ଦନଙ୍କୁ ତୁରନ୍ତ ପୁରୀ ଯାଇ ଉପଯୁକ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଆହତ ସେବାୟତମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।