ଆସନ୍ତାକାଲି ପବିତ୍ର ଜନ୍ମାଷ୍ଟମୀ, ଶ୍ରୀମନ୍ଦିରରେ ଠାକୁରଙ୍କୁ ୬ ମୂର୍ତ୍ତି ଅଳଙ୍କାର ଲାଗି କରାଯିବ

ପୁରୀ : ଆସନ୍ତାକାଲି ପବିତ୍ର ଜନ୍ମାଷ୍ଟମୀ । ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମ ଉତ୍ସବ । ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥି ଅର୍ଥାତ ପବିତ୍ର ଜନ୍ମାଷ୍ଟମୀ । ଏନେଇ ଆଜି ଶ୍ରୀମନ୍ଦିରରେ ସନ୍ଧ୍ଯା ଆଳତି ସମୟରେ ଠାକୁରଙ୍କୁ ୬ ମୂର୍ତ୍ତି ଅଳଙ୍କାର ଲାଗି କରାଯିବ । ସନ୍ଧ୍ଯା ଧୂପ ପରେ ଜୟ ବିଜୟ ଦ୍ୱାର ବନ୍ଦ କରାଯିବ ।
ଟେରା ବନ୍ଧା ହେବା ପରେ ମହାପ୍ରଭୁଙ୍କ ନିକଟରେ ଯେଉଡ ଭୋଗ ଅର୍ଥାତ ସାଗ, ତରକାରୀ, ପିଠା, ଝିଲି, ଖିରି ଆଦି ରୋଷ ଘରୁ ଆସି ଅଣସର ପିଣ୍ଡିରେ ରଖାଯିବ । ମୁଦିରସ୍ତ ସେବାୟତ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ପ୍ରସାଦ ଲାଗି କରିବେ ।
ତିନି ପୂଜାପଣ୍ଡା ପଞ୍ଚାକ୍ଷର ମନ୍ତ୍ରରେ ପୂଜା କରିବା ସହ ପୂଜାପଣ୍ଡା, ପତି ମହାପାତ୍ର ଓ ମୁଦିରସ୍ତ ତିନି ବାଡରେ ବନ୍ଦାପନା କରିବେ । ଏହାକୁ ଗର୍ଭଉଦକ ବନ୍ଦାପନା କୁହାଯାଇଥାଏ । ସ୍ୱୟଂ ଶ୍ରୀଜଗନ୍ନାଥ ମହାପ୍ରଭୁ ଦେବକୀ ରୂପ ଧାରଣ କରି ଗର୍ଭଧାରଣ କରିଥିବାରୁ ସୁଖ ପ୍ରସବ ଲାଗି ତାଙ୍କୁ ଜେଉଡ ପ୍ରସାଦ ଲାଗି କରାଯାଇଥାଏ ।