ସରିଲା ଶ୍ରୀଜୀଉଙ୍କ ଜନ୍ମବେଦୀ ଲୀଳା, ଆଜି ପୁଣି ରତ୍ନବେଦୀକୁ ଲେଉଟିବେ ଚତୁର୍ଦ୍ଧା ମୂର୍ତ୍ତି

ସରିଲା ଶ୍ରୀଜୀଉଙ୍କ ଜନ୍ମବେଦୀ ଲୀଳା । ଆଜି ପୁଣି ରତ୍ନବେଦୀକୁ ଲେଉଟିବେ ଚତୁର୍ଦ୍ଧା ମୂର୍ତ୍ତି । ଆଜି ନବମୀ ତିଥିରେ ସନ୍ଧ୍ୟା ଦର୍ଶନରେ ବିଶ୍ୱନିଅନ୍ତାଙ୍କୁ ଦର୍ଶନ କରିଛନ୍ତି ଲକ୍ଷାଧିକ ଶ୍ରଦ୍ଧାଳୁ । ସନ୍ଧ୍ୟା ଦର୍ଶନ ବନ୍ଦ ପରେ ଆରମ୍ଭ ହୋଇଛି ବାହୁଡା ନୀତି । କୋଠ ସୁଆଁସିଆ ମାନେ ସିଂହାସନକୁ ଚାରମାଳ ବାନ୍ଧିବା ଆରମ୍ଭ କରିଛନ୍ତି । ପରମ୍ପରା ମୁତାବକ ଆସନ୍ତାକାଲି ମାଉସୀମା ହାତରୁ ପୋଡ଼ପିଠା ଖାଇ ବାହୁଡିବେ କଳାଠାକୁର । ସେଥିପାଇଁ ବଳଗଣ୍ଡି ମାଉସୀମା ମନ୍ଦିର ପକ୍ଷରୁ ସରିଛି ପ୍ରସ୍ତୁତି। ଏପଟେ ବାହୁଡା ଯାତ୍ରା ପାଇଁ ପ୍ରଶାସନ ପକ୍ଷରୁ ଅଧିକ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଦୁଇ ଦ୍ୱାରରେ ବନ୍ଧୁକ ଧାରୀ ପୋଲିସ ଥିବା ବେଳେ ସ୍ପେଶାଲ ଟାକ୍ଟିକାଲ ୟୁନିଟକୁ ମଧ୍ୟ ମୁତୟନ କରାଯାଇଛି । ସେହିପରି ସିସିଟିଭି ବଳୟ ଭିତରେ ରହିଛି ଗୁଣ୍ଡିଚା ମନ୍ଦିର । ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ପୁରୀ ଯାଇ ରଥଯାତ୍ରାର ଅବଶିଷ୍ଟ ରୀତିନୀତି ନିରୀକ୍ଷଣ କରୁଛନ୍ତି। ଆସନ୍ତାକାଲି ଭୋର ୪ ଟାରେ ମଙ୍ଗଳ ଆଳତି ସହ ଅନ୍ୟାନ୍ୟ ନୀତିକାନ୍ତି ପରେ ମଧ୍ୟାହ୍ନ ୧୨ଟାରୁ ୨.୩୦ ମଧ୍ୟରେ ବାହୁଡ଼ା ପହଣ୍ଡି, ଅପରାହ୍ନ ୨.୩୦ରୁ ୩.୩୦ ଛେରାପହଁରା, ଅପରାହ୍ନ ୩ ଟାରୁ ୪ଟା ମଧ୍ୟରେ ଚାରମାଳ ଫିଟା ଓ ଘୋଡ଼ା ଲାଗିବା ପରେ ଦିନ ୪ ଟାରେ ରଥ ଟାଣିବା ପାଇଁ ନୀତି ନିର୍ଘଣ୍ଟ ହୋଇଛି। ଗୁଣ୍ଡିଚା ଯାତ୍ରା ବେଳେ କିଛି ଶ୍ରଦ୍ଧାଳୁ ଅଣନିଶ୍ବାସୀ ହୋଇଥିବା ବେଳେ ଆଡ଼ପ ବିଜେ ପହଣ୍ଡି ବେଳେ ରଥ ଚାରମାଳ ଉପରେ ପ୍ରଭୁ ବଳଭଦ୍ର ପଡ଼ିଯାଇଥିଲେ । ତେଣୁ ବାହୁଡା ଯାତ୍ରାକୁ ଶୃଙ୍ଖଳତ କରିବାକୁ ପ୍ରଶାସନ ଜୋର ଦେଇଛି ।