ପୁରୀ : ଆଉ ଦିନକ ପରେ ସରିବ ଧର୍ମମାସ କାର୍ତ୍ତିକ। ପଞ୍ଚୁକର ତୃତୀୟ ଦିନ ପବିତ୍ର ତ୍ରୟଦଶୀ ତିଥିରେ ତ୍ରିବିକ୍ରମ ବେଶରେ ଦର୍ଶନ ଦେଇଛନ୍ତି ମହାପ୍ରଭୁ । ସକାଳୁ ଦୈନନ୍ଦିନ ନୀତି କାନ୍ତି ପରେ ପୁଷ୍ପାଳକ ସେବକମାନେ ମହାପ୍ରଭୁଙ୍କୁ ସଜ୍ଜିତ କରିଥିଲେ । ଆସନ୍ତା କାଲି ମହାପ୍ରଭୁଙ୍କ ରାଜାରାଜେଶ୍ୱରୀ ବା ସୁନାବେଶ ଅନୁଷ୍ଠିତ ହେବ । ପଞ୍ଚକ ବ୍ରତ ପାଳନ କରିବା ପାଇଁ ଶ୍ରୀମନ୍ଦିର ସହ ପୁରୀର ବିଭିନ୍ନ ମଠ, ମନ୍ଦିର ଓ ଧର୍ମାନୁଷ୍ଠାନ ଗୁଡ଼ିକରେ ଭକ୍ତଙ୍କର ପ୍ରବଳ ଭିଡ଼ ଲାଗି ରହିଛି ।
ଆଜି ପଞ୍ଚକ ବ୍ରତର ତୃତୀୟ ଦିନରେ ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁ ଓ ହବିଷ୍ୟାଳୀଙ୍କ ପ୍ରବଳ ଭିଡ଼ ଲାଗିଥିବାରୁ ଏହାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର, ଜିଲ୍ଲା ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଛି । ତେବେ ଆସନ୍ତାକାଲି ରାଜରାଜେଶ୍ଵର ବେଶ ଥିବାରୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ ଶ୍ରୀକ୍ଷେତ୍ରରେ । ଶୃଙ୍ଖଳିତ ଦର୍ଶନ ଓ ସୁରକ୍ଷା ପାଇଁ ମୁତୟନ ହେବେ ୬ ଅତିରିକ୍ତ ଏସପି, ୧୪ ଡିଏସପି, ୩୭ ଇନ୍ସପେକ୍ଟର, ୫ ଶହ ହୋମାଗାର୍ଡ, ୩୬ ପ୍ଲାଟୁନ ପୋଲିସ ଫୋର୍ସ । ଭିଡ ନିୟନ୍ତ୍ରଣ, ଟ୍ରାଫିକ ନିୟନ୍ତ୍ରଣ ଉପରେ ବିଶେଷ ଧ୍ୟାନ ଦିଆଯାଇଛି । ସମୁଦ୍ର କୂଳରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଆସନ୍ତାକାଲି କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ବୈଠକ ଚାଲିଛି ।