ତୁଣ୍ଡ ନେଲା ମୁଣ୍ଡ : ଶ୍ରୀକାନ୍ତ ଜେନା ଓ କୃଷ୍ଣ ଚନ୍ଦ୍ର ସଗରିଆ ବହିଷ୍କୃତ

ଭୁବନେଶ୍ବର (କେନ୍ଯୁଜ୍) : କଂଗ୍ରେସରୁ ବହିଷ୍କାର ପରେ ବର୍ଷିଲେ ଶ୍ରୀକାନ୍ତ ଜେନା । କହିଲେ, ଖଣି ମାଫିଆଙ୍କ ଆଗରେ ମୁଣ୍ଡ ନୁଆଁଇଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାହୁଲା ଗାନ୍ଧି ଏକ ହୋଇଛନ୍ତି । ଆସନ୍ତା ୨୫ ତାରିଖରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଓଡ଼ିଶା ଗସ୍ତରେ ଆସୁଛନ୍ତି । ଏହି ଦିନ ଶ୍ରୀକାନ୍ତ ଜେନା ଏକ ବଡ଼ ଖୁଲାସା କରିବେ । ଫଳରେ ରାହୁଲ ଗାନ୍ଧି ଆଉ ଦେଶରେ ମୁହଁ ଦେଖାଇ ପାରିବେ ନାହିଁ ବୋଲି କହିଛନ୍ତି । ତେବେ କଂଗ୍ରେସରୁ ବହିଷ୍କାର ପରେ କେଉଁ ଦଳରେ ଯୋଗଦେବ ନିଷ୍ପତ୍ତି ନେଇନଥିବା କହିଛନ୍ତି ଶ୍ରକାନ୍ତ ଜେନା ।

ଦଳ ବିରୋଧୀ କାର‌୍ୟ୍ୟ ପାଇଁ ଗତକାଲି ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା ଓ କୋରାପୁଟର ପୂର୍ବତନ ବିଧାୟକ କୃଷ୍ଣ ଚନ୍ଦ୍ର ସଗରିଆଙ୍କୁ ଦଳରୁ ବହିଷ୍କାର କରାଯାଇଛି । ବାରମ୍ବାର ଦଳ ବିରୋଧୀ ମନ୍ତବ୍ୟ ଓ ପ୍ରଦେଶ କଂଗ୍ରେସ କମିଟି ପଦାଧିକାରୀଙ୍କ ବିରୋଧରେ ଟିପ୍ପଣୀ ଦେବା, ଦଳର କ୍ଷତି ପାଇଁ ଗଣମାଧ୍ୟମରେ ବୟାନବାଜି କରିବା ଅଭିଯୋଗରେ ଉଭୟଙ୍କ ବିରୋଧରେ କାର‌୍ୟ୍ୟାନୁଷ୍ଠାନ ନିଆଯାଇଛି । ଉଭୟଙ୍କୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କୃତ କରାଯାଇଛି । ଏଆଇସିସି ନିଷ୍ପତ୍ତି ଓ ନିର୍ଦ୍ଦେଶରେ ଉଭୟ ନେତା ବହିଷ୍କୃତ ହୋଇଛନ୍ତି । ଏନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରତିକ୍ରିୟା ଦେଇ କହିଛନ୍ତି, ଦଳକୁ ଶୃଙ୍ଖଳିତ କରିବା ପାଇଁ ଏହି କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।