ରାଜ୍ୟ କଂଗ୍ରେସରେ ଶ୍ରୀକାନ୍ତଙ୍କ ପକ୍ଷଚ୍ଛେଦନ : ଇସ୍ତାହାର କମିଟି ଅଧ୍ୟକ୍ଷ ପଦରୁ ଆଉଟ୍, ଇନ୍ କଲେ ଗଣେଶ୍ୱର

ଭୁବନେଶ୍ବର : ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନାଙ୍କ ପକ୍ଷଚ୍ଛେଦନ । ଇସ୍ତାହାର କମିଟି ଅଧ୍ୟକ୍ଷ ପଦରୁ ହଟିଲେ । କମିଟିର ନୂଆ ଅଧ୍ୟକ୍ଷ ଭାବେ ଗଣେଶ୍ୱର ବେହେରାଙ୍କୁ ମିଳିଛି ନିଯୁକ୍ତି । ସେହିପରି ଶରତ ରାଉତଙ୍କୁ ଆବାହକ ପଦରୁ ମଧ୍ୟ ବାଦ୍ ଦିଆଯାଇଛି । ୨୦୧୯ ବିଧାନସଭା ନିର୍ବାଚନ ପାଇଁ ବରିଷ୍ଠ ନେତା ଗଣେଶ୍ୱରଙ୍କ ନେତୃତ୍ୱରେ ୧୦ ଜଣିଆ କମିଟି ଗଠନ କରାଯାଇଛି । ଏହାକୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଅନୁମୋଦନ କରିଛନ୍ତିି । କମିଟିରେ ଅଛନ୍ତି ୮ ଜଣ ସଦସ୍ୟ ଓ ଜଣେ ଆବାହକ ଅଛନ୍ତି । ନରସିଂହ ମିଶ୍ର, ପ୍ରସାଦ ହରିଚନ୍ଦନ, ଶ୍ୟାମସୁନ୍ଦର ହାଁସଦା ପ୍ରମୁଖ କମିଟି ସଦସ୍ୟ ଭାବେ ସ୍ଥାନ ପାଇଛନ୍ତି । ନୂଆ ନିଯୁକ୍ତି ପରେ ଗଣେଶ୍ୱର ବେହେରା କହିଛନ୍ତି, ଲୋକଙ୍କ ପାଖକୁ ଯାଇ ଦଳୀୟ ଇସ୍ତାହାର ପ୍ରସ୍ତୁତ କରାଯିବ ।
ଇସ୍ତାହାର କମିଟି ଅଧ୍ୟକ୍ଷ ପଦରୁ ବିଦା ହେବା ଶ୍ରୀକାନ୍ତଙ୍କ ପାଇଁ ଶକ୍ତ ଝଟକା । କିଛି ମାସ ତଳେ ଶ୍ରୀକାନ୍ତ ଜେନା ନିର୍ବାଚନ ଇସ୍ତାହାର ପାଇଁ କେତେକ ବିବାଦୀୟ ପ୍ରସ୍ତାବ ରଖିଥିଲେ । ରାଜ୍ୟରେ କଂଗ୍ରେସ କ୍ଷମତାକୁ ଆସିଲେ ପଛୁଆବର୍ଗର ଜଣେ ନେତାଙ୍କୁ ମୁଖ୍ୟମନ୍ତ୍ରୀ ଏବଂ ଅନୁସୂଚିତ ଜାତି ଓ ଜନଜାତି ବର୍ଗରୁ ଦୁଇଜଣଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯିବ ବୋଲି ପ୍ରସ୍ତାବ ରଖି ସୃଷ୍ଟି କରିଥିଲେ ହଟ୍ଟଚମଟ । ଏବେ ପ୍ରତିକ୍ରିୟାରେ ଶ୍ରୀକାନ୍ତ କହିଛନ୍ତି, ତାଙ୍କୁ ପ୍ରଚାର କମିଟି ଅଧ୍ୟକ୍ଷ ପଦରୁ ବାଦ୍ ଦିଆଯିବା କଂଗ୍ରେସର ପଛୁଆ ବର୍ଗ ବିରୋଧୀ ମନୋଭାବର ପ୍ରତିଫଳନ ।
ହାତମୁଠାକୁ ଟାଣ କରିବା ପାଇଁ କଂଗ୍ରେସ କରୁଛି ସାରା ରାଜ୍ୟରେ ପରିବର୍ତ୍ତନ ଯାତ୍ରା । ଆଉ ଏବେ ଇସ୍ତାହାର କମିଟିର ପୁନର୍ଗଠନ ହୋଇଛି । ରାଜ୍ୟ କଂଗ୍ରେସରେ ଏକତା ରକ୍ଷା କରିବାରେ ଏହା କେତେଦୂର ସହାୟକ ହେବ ତାହା ଆଗକୁ ଜଣାପଡ଼ିବ ।