କଂଗ୍ରେସ ଦଳରେ କନ୍ଦଳ, ପିସିସିର ବିଭିନ୍ନ ପଦପଦବୀରୁ ଇସ୍ତଫା ଦେଲେ ଶ୍ରୀକାନ୍ତ ଜେନା

ଭୁବନେଶ୍ବର : ପିସିସିର ସବୁ କମିଟିରୁ ଇସ୍ତଫା ଦେଇଛନ୍ତି ବରିଷ୍ଠ ନେତା ଶ୍ରୀକାନ୍ତ ଜେନା । କଂଗ୍ରେସର କାର୍ଯ୍ୟକାରିଣୀ ଓ ନିର୍ବାଚନ କମିଟିର ସଦସ୍ୟ ପଦରୁ ଓହରିଯାଇଛନ୍ତି । ନିଜ ଆଡୁ ଇସ୍ତଫା ଦେଇଛନ୍ତି ଶ୍ରୀକାନ୍ତ । ଏନେଇ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ସେ ଅବଗତ କରାଇଛନ୍ତି । ପୂର୍ବରୁ ତାଙ୍କୁ ପିସିସି ଇସ୍ତାହାର କମିଟି ଅଧ୍ୟକ୍ଷ ପଦରୁ ହଟାଯାଇଥିଲା । ତାଙ୍କ ସ୍ଥାନରେ ଦାୟିତ୍ୱ ମିଳିଥିଲା ଗଣେଶ୍ୱର ବେହେରାଙ୍କୁ । ଏହାକୁ ନେଇ କ୍ଷୁବ୍ଧ ଥିଲେ ଶ୍ରୀକାନ୍ତ । ଏହାପରେ ସେ ସମସ୍ତ କମିଟିରୁ ଇସ୍ତଫା ଦେଇଛନ୍ତି ।

ନିରଞ୍ଜନ ପଟ୍ଟନାୟକ ପିସିସି ସଭାପତି ହେବା ପରେ ନିଜ ମନ୍ତବ୍ୟକୁ ନେଇ ବିବାଦୀୟ ହୋଇଥିଲେ ଶ୍ରୀକାନ୍ତ ଜେନା । ଦଳ ଭିତରେ ସେ ବିଶୃଙ୍ଖଳା ସୃଷ୍ଟି କରୁଥିବା ବିଭିନ୍ନ ସମୟରେ ଅଭିଯୋଗ ବି ହେଉଥିଲା । ଏବେ ଗଣମାଧ୍ୟମରେ ଶ୍ରୀକାନ୍ତଙ୍କ ମନ୍ତବ୍ୟ ଉପରେ ପିସିସି ସଭାପତି କହିଛନ୍ତି, ଏହା ତାଙ୍କର ବ୍ୟକ୍ତିଗତ ମତ । ପିସିସି ପ୍ରଭାରୀ ଜିତେନ୍ଦ୍ର ସିଂ କହିଛନ୍ତି, ମିଡିଆରେ ଶ୍ରୀକାନ୍ତ ମୁହଁ ଖୋଲିବା ଠିକ୍‌ ହୋଇ ନାହିଁ । ଶୃଙ୍ଖଳା କମିଟି ଯାହା କିଛି ନିଷ୍ପତ୍ତି ନେବ ।

ପ୍ରଥମେ ଇସ୍ତାହାର କମିଟିରୁ ଶ୍ରୀକାନ୍ତଙ୍କୁ ଆଉଟ୍‌ କରିବା ଓ ଏବେ ସେ ପିସିସିର ସବୁ କମିଟିରୁ ଇସ୍ତଫା ଦେବାକୁ ନେଇ କଂଗ୍ରେସ ପାଓ୍ଵାର କରିଡରରେ ନାନା ଚର୍ଚ୍ଚା ଚାଲିଛି । କଣ ହେବ ଶ୍ରୀକାନ୍ତଙ୍କ ରାଜନୈତିକ ଭବିଷ୍ୟତ ?

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like