ଶ୍ରୀମନ୍ଦିର ଦ୍ୱାର ଫିଟିବ ଆଜି ରାତି ୨ଟାରେ, ଭକ୍ତ କରିବେ ଦର୍ଶନ

ପୁରୀ (କେ ନ୍ୟୁଜ୍) : ଆମ ରାଜ୍ୟର ଅଧିକାଂଶ ଲୋକ ଏବେ ପୁରୀ ମୁହାଁ । ସମସ୍ତଙ୍କର ଇଚ୍ଛା ଶ୍ରୀକ୍ଷେତ୍ର ଯାଇ ମହୋଦଧି କୂଳରେ ନୂଆ ବର୍ଷର, ନୂଆ ସକାଳରେ ଉଦିତ ସୂର୍ଯ୍ୟଙ୍କୁ ଦେଖିବେ ଏବଂ ଶ୍ରୀଜୀଉଙ୍କୁ ଦର୍ଶନ କରି ବର୍ଷ ଆରମ୍ଭ କରିବେ । ଏହି ଟ୍ରେଣ୍ଡ ଗତ କିଛି ବର୍ଷ ହେଲା ରାଜ୍ୟବାସୀଙ୍କୁ ଘାରିଛି । ତେଣୁ ଭକ୍ତଙ୍କ ମତିଗତିକୁ ନେଇ ବଦଳିଛି କାଳିଆ ଠାକୁରଙ୍କ ନୀତିକାନ୍ତି ।
ଏଥର ଡିସେମ୍ବର ୩୧ ତାରିଖ ରାତି ୨ଟାରେ ଦ୍ୱାର ଫିଟା ପରେ ମହାପ୍ରଭୁଙ୍କ ନୀତିକାନ୍ତି ଆରମ୍ଭ ହେବ । ମଙ୍ଗଳ ଆଳତୀ ପରେ ଭକ୍ତ ଚତୁର୍ଦ୍ଧା ମୂର୍ତ୍ତିଙ୍କ ଦର୍ଶନ କରି ପାରିବେ । କେବଳ ଭୋଗ ଲାଗି ବେଳେ କିଛି ସମୟ ପାଇଁ ଦର୍ଶନ ବନ୍ଦ ରହିବ । ନଚେତ ଅନ୍ୟ ସବୁ ବେଳେ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କରି ପାରିବେ ।
ଜିରୋ ନାଇଟ୍ ସେଲିବ୍ରେସନ୍ ପାଇଁ ଲକ୍ଷ ଲକ୍ଷ ଲୋକ ଏବେ ପୁରୀରେ ଡେରା ପକାଇ ରହିଛନ୍ତି । ସେମାନଙ୍କୁ ଦର୍ଶନ ଦେବା ଲାଗି ମହାବାହୁଙ୍କ ନୀତିକାନ୍ତିକୁ ସଅଳ କରାଯାଇଛି । ତେଣୁ କହିବାକୁ ଗଲେ ଭକ୍ତଙ୍କ ଭଗବାନ କାଳିଆ ଠାକୁର ବି ପାଳିବେ ଇଂରାଜୀ ନବବର୍ଷ । ସେଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ଓ ପୋଲିସ୍ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଉଭୟ ନୀତିକାନ୍ତି ଏବଂ ଦର୍ଶନ ଯେମିତି ଶୃଙ୍ଖଳାରେ ହୁଏ ସେଥିପ୍ରତି ଗୁରୁତ୍ୱ ଦିଆଯାଇଛି ।