ଫିଲ୍ମରେ ଚିଟଫଣ୍ଡ୍ ଟଙ୍କା ଲାଗିଥିବା ମୁଁ ଜାଣିନଥିଲି : ଇଡିରୁ ବାହାରିବା ପରେ ଅଭିନେତା ଶ୍ରୀତମଙ୍କ ପ୍ରତିକ୍ରିୟା

ଭୁବନେଶ୍ବର : ଚିଟ୍ଫଣ୍ଡ ତଦନ୍ତ ଜାଲରେ ନୂଆ ଆକ୍ଟର । ଅଭିନେତା ଶ୍ରୀତମ ଦାସଙ୍କୁ ଜେରା କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି । ହାଜର ହେବା ପାଇଁ ଇଡି ତାଙ୍କୁ ସମନ କରିଥିଲା । ଷ୍ଟାର କନ୍ସଲ୍ଟାନ୍ସି ମୁଖ୍ୟ ତ୍ରିବେଣୀ ମହାନ୍ତି ଲିଙ୍କ୍ରେ ଶ୍ରୀତମଙ୍କୁ ଜେରା କରାଯାଇଛି । ଷ୍ଟାର୍ କନ୍ସଲ୍ଟାନ୍ସି ନାଁରେ ରହିଛି ଜମି ଓ ଜାଗା ଦେବା ନାଁରେ ଶହେ କୋଟି ଟଙ୍କାର ଠକେଇ ଅଭିଯୋଗ । ସଂସ୍ଥାର ପ୍ରାୟ ୮୩ ଲକ୍ଷ ଟଙ୍କାର ସମ୍ପତ୍ତି ସିଲ୍ କରାଯାଇଛି । ସଂସ୍ଥାର ମୁଖ୍ୟ ତ୍ରିବେଣୀ ମହାନ୍ତି ୨୦୧୦ରେ ନିର୍ମାଣ କରିଥିଲେ ‘ତୁ ଥା ମୁଁ ଯାଉଛି ରୁଷି’ ଫିଲ୍ମ । ନିର୍ଦ୍ଦେଶକ ଥିଲେ ଶ୍ରୀତମ ଦାସ୍ । ଅଭିଯୋଗ ହେଉଛି, ସିନେମାରେ ଚିଟ୍ଫଣ୍ଡ ଟଙ୍କା ଲାଗିଥିଲା । ସିନେମାରେ କେତେ ଟଙ୍କା ଲାଗିଥିଲା? କେଉଁ କଳାକାର କେତେ ନେଇଥିଲେ? ସିନେମାରୁ କେତେ ମିଳିଥିଲା ? ଶ୍ରୀତମଙ୍କୁ ଏପରି ଅନେକ ପ୍ରଶ୍ନ ଇଡି ଅଧିକାରୀ ପଚାରିଥିବା ସୂଚନା ମିଳିଛି ।
ଇଡିରୁ ବାହାରିବା ପରେ ଅଭିନେତା ଶ୍ରୀତମ ଦାସଙ୍କ କହିଛନ୍ତି- ଫିଲ୍ମରେ ଚିଟ୍ଫଣ୍ଡ ଟଙ୍କା ଲାଗିଥିବା ମୁଁ ଜାଣିନଥିଲି, ରିଲିଜ୍ ପରେ ପ୍ରଯୋଜକ ଗିରଫ ହୋଇଥିଲେ, ଏବେ ଜଣାପଡ଼ିବା ପରେ ମୁଁ ଟଙ୍କା ଫେରାଇଦେବି; ଯଦି ମୋ ପାଖକୁ କୌଣସି ଟଙ୍କା ଆସିଥିବ, ମୋ ପାରିଶ୍ରମିକ ବାବଦକୁ ଆସିଥିବା ଟଙ୍କା ଫେରାଇଦେବି।
ସେହିପରି କ୍ରମାଗତ ଦ୍ୱିତୀୟ ଦିନ ପାଇଁ ସିସୋର୍ ମୁଖ୍ୟ ପ୍ରଶାନ୍ତ ଦାଶଙ୍କୁ ସିବିଆଇ ଜେରା କରିଛି । ଗତକାଲି ପ୍ରାୟ ୩ ଘଣ୍ଟା ଧରି ଜେରା କରାଯାଇଥିଲା। ଆଜି ପୁଣି ୪ ଘଣ୍ଟା ଧରି ସିବିଆଇ ଅଧିକାରୀମାନେ ତାଙ୍କୁ ଜେରା କରିଛନ୍ତି । ପ୍ରଶାନ୍ତ ଦାଶ ଜେରା ନେଇ କୌଣସି ସ୍ପଷ୍ଟ ସୂଚନା ଦେଇ ନାହାଁନ୍ତି। କିନ୍ତୁ ଅନୁମାନ କରାଯାଉଛି, ସିସୋର ସହ ଆଇଏଏସ୍ ଅଧିକାରୀଙ୍କ ଲିଙ୍କ୍ରେ ସିବିଆଇ ପ୍ରଶ୍ନ ପଚରାଉଚରା କରିଛି । ସିସୋର୍ ସହ ଦୁଇ ଆଇଏଏସ୍ ଅଧିକାରୀଙ୍କ ସମ୍ପର୍କ ନେଇ ଅଭିଯୋଗ ଥିଲା ।
ଚିଟ୍ଫଣ୍ଡ ତଦନ୍ତ ବେଶ୍ କିଛିଦିନ ହେବ ଶିଥିଳ ଥିଲା । ଏବେ ପୁଣି ଥରେ ତଦନ୍ତକାରୀ ସଂସ୍ଥା ସକ୍ରିୟ ହୋଇ ଉଠିଛନ୍ତି । ଆରମ୍ଭ ହୋଇଛି ଜେରା ଓ ସମନ ପ୍ରକ୍ରିୟା ।