ଘଟଗାଁ : ବିଦ୍ୟୁତ୍ ବିଲ୍ ଆଦାୟ କରିବେ ସ୍ବୟଂ ସହାୟିକା ଗୋଷ୍ଠିର ମହିଳା

ଘଟଗାଁ (କେନ୍ୟୁଜ୍) : ସ୍ବୟଂ ସହାୟିକା ଗୋଷ୍ଠିର ମହିଳାମାନେ ଆଦାୟ କରିବେ ବିଦ୍ୟୁତ୍ ବିଲ୍ । ସ୍ବୟଂ ସହାୟିକା ଗୋଷ୍ଠିର ମହିଳାମାନେ ବିଦ୍ୟୁତ ବିଲ୍ ବାଣ୍ଟିବା ସହ ବକେୟା ଅର୍ଥ ସଂଗ୍ରହ କରି ଆତ୍ମନିର୍ଭରଶୀଳ ହେବେ। କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକରେ ଚଳିତ ମାସଠାରୁ ସ୍ବୟଂ ସହାୟିକା ଗୋଷ୍ଠିର ମହିଳା ମାନେ ପ୍ରତ୍ୟକ ଗ୍ରାମରେ ବିଦ୍ୟୁତ ବିଲ୍ ବାଣ୍ଟି ଅର୍ଥ ସଂଗ୍ରହ କରି ରୋଜଗାର କରିବା ସହ ନେସ୍କୋ ସହ ଚୁକ୍ତିନାମା କରିଛନ୍ତି। ବିଭିନ୍ନ ସରକାରୀ ପ୍ରତ୍ସୋହନରେ ଆତ୍ମନିର୍ଭରଶୀଳ ହେଉଥିବା ବେଳେ ନେସ୍କୋ ପକ୍ଷରୁ ରୋଜଗାର ପନ୍ଥାପାଇ ବେଶ ଉତ୍ସାହିତ ହୋଇଥିବା ଦେଖାଦେଇଛି।
ବିଦ୍ୟୁତ ବିଭାଗର ଦାୟିତ୍ବ ତୁଲାଇବା ପାଇଁ ପ୍ରାରମ୍ଭିକ ସ୍ଥରରେ ମହିଳା ମାନଙ୍କୁ ତାଲିମ ଦିଆଯାଇଥିବା ବେଳେ ଆଗାମୀ ଦିନରେ ଅଧିକ ତାଲିମ ପ୍ରଦାନ କରାଯିବ ବୋଲି ନେସ୍କୋ ପକ୍ଷରୁ ପ୍ରକାଶ ପାଇଛି। ତେବେ ବିଦ୍ୟୁତ୍ ବିଭାଗରେ କର୍ମଚାରୀ ଅଭାବ କାରଣରୁ ସ୍ବୟଂ ସହାୟିକା ଗୋଷ୍ଠି ମହିଳା ମାନଙ୍କ ସହଯୋଗରେ ଉପଭୋକ୍ତା ମାନେ ଉତ୍ତମ ସେବା ପାଇ ପାରିବେ ବୋଲି ଆଶା କରାଯାଇଛି।