ଷ୍ଟାଫନର୍ସଙ୍କୁ ପିଟିପିଟି ମାରିଦେଲେ ! ସ୍ୱାମୀଙ୍କୁ ଅଟକ ରଖି ତଦନ୍ତ ଜାରି

ପାଟଣାଗଡ଼: ଯୌତୁକ ପାଇଁ ଷ୍ଟାଫନର୍ସଙ୍କୁ ପିଟିପିଟି ହତ୍ୟା ଅଭିଯୋଗ । ମରିବା ପୂର୍ବରୁ କାନ୍ଦି କାନ୍ଦି ବଖାଣିଲେ ଦୁଃଖ ଭରା କାହାଣୀ । ସ୍ୱାମୀଙ୍କୁ ଅଟକ ରଖି ତଦନ୍ତ ଚଳାଇଛି ପାଟଣାଗଡ଼ ଥାନା ପୋଲିସ୍ । ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟରେ ଷ୍ଟାଫନର୍ସ ଭାବେ କାମ କରନ୍ତି କ୍ରିଷ୍ଣା ସାହୁ । କ୍ରିଷ୍ଣାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ତାଙ୍କ ବାପା ।

ମୃତ୍ୟୁ ଚିରନ୍ତନ ସତ୍ୟ । ଜୀବନ ଅଛି ମାନେ ମୃତ୍ୟୁ ସୁନିଶ୍ଚିତ । କିନ୍ତୁ କିଛି ଲୋକ ମୃତ୍ୟୁ କଥା ଭାବିବା ମାତ୍ରେ ଡରିଯାଆନ୍ତି । ଭୟ କରିଯାଆନ୍ତି ମରଣ କଥା ଶୁଣି । ଆଉ କିଛି ଲୋକ ମୃତ୍ୟୁକୁ ଏମିତି ଆପଣାଇ ନିଅନ୍ତି ଯେମିତି ଏଇ ଜୀବନ ସେମାନଙ୍କ ପାଇଁ ବୋଝ ପାଲଟିଯାଏ । ଜୀବନରେ ସହୁଥିବା କଷ୍ଟ ଠାରୁ ବର୍ତ୍ତିବା ପାଇଁ ସେ ମରିଯିବାକୁ ପସନ୍ଦ କରିଥାଏ ।

ଏଇ ଯେମିତି ଷ୍ଟାଫନର୍ସ କ୍ରିଷ୍ଣା । ଚାକିରି କରୁଥିଲେ । ନିଜେ ଦି ପଇସା ରୋଜଗାର କରୁଥିଲେ । ହେଲେ ଜୀବନରେ ନଥିଲା ଶାନ୍ତି । ସବୁବେଳେ ପାରିବାରିକ ଅଶାନ୍ତି ଲାଗିରହୁଥିଲା । ଆଉ ଶେଷରେ ମିଳିଲା ସନ୍ଦେହଜନକ ଅବସ୍ଥାରେ ତାଙ୍କ ମୃତ ଶରୀର । କଣ ସତରେ ନିଜେ ଜୀବନ ହାରିଲେ କ୍ରିଷ୍ଣା? ନା ତାଙ୍କୁ ଶାଶୁ ଘର ଲୋକେ ମାରି ଶୁଆଇ ଦେଲେ?

ସୂଚନା ମୁତାବକ, ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ନେହେନାବନ୍ଧରେ ଯୌତୁକ ପାଇଁ ଷ୍ଟାଫନର୍ସଙ୍କୁ ପିଟି ପିଟି ମାରିଦେଇଥିବା ନେଇ ଆସିଛି ଅଭିଯୋଗ । ଅଭିଯୋଗ ଆଣିଛନ୍ତି ଷ୍ଟାଫ ନର୍ସଙ୍କ ବାପା ଠାକୁର ସାହୁ । ମୃତ ଷ୍ଟାଫନର୍ସ ହେଲେ କ୍ରିଷ୍ଣା ସାହୁ । କ୍ରିଷ୍ଣା ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟରେ  ଷ୍ଟାଫନର୍ସ ଭାବରେ କାର୍ଯ୍ୟରତ ଥିଲେ । ବରଗଡ଼ ଜିଲ୍ଲା ଗାଈସିଲେଟ ଥାନା ଅଏଁଳାଭଟା ଗାଁ ର ଝିଅ କ୍ରିଷ୍ଣା ସାହୁ, ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ନେହେନାବନ୍ଦ ଗାଁରେ ବିବାହ କରିଥିଲେ । ତାଙ୍କର ଗୋଟିଏ ଦୁଇ ବର୍ଷର ଶିଶୁପୁତ୍ର ଅଛି ।

ଖବର ମୁତାବକ, ୨୦୨୨ ମସିହାରେ କ୍ରିଷ୍ଣା ସାହୁ ନେହେନାବନ୍ଧ ଗାଁର ଆଲୋକ ସାହୁଙ୍କୁ ବିବାହ କରିଥିଲେ । ଯୌତୁକ ପାଇଁ ଶାଶୁଙ୍କ ନିର୍ଦ୍ଦେଶରେ ସ୍ୱାମୀ ମାଡ ମାରୁଥିବା ନିଜ ମୋବାଇଲରେ ଗୋଟିଏ ଭିଡିଓ କରି ବାପାଙ୍କ ପାଖକୁ ସକାଳୁ ପଠାଇଥିଲେ କ୍ରିଷ୍ଣା । ଏହାପରେ କ୍ରିଷ୍ଣା ଚରମ ନିଷ୍ପତ୍ତି ନେଇଥିଲେ । ଘଟଣା ପରେ କ୍ରିଷ୍ଣାଙ୍କୁ ଉଦ୍ଧାରକରି ପାଟଣାଗଡ଼ ଡାକ୍ତରଖାନାକୁ ଆଣିଥିବା ପରିବାର ତରଫରୁ କୁହାଯାଉଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ପୂର୍ବରୁ ଯୌତୁକ ପାଇଁ ପରିବାରରେ ଅନେକଥର ଝଗଡା ଲାଗିରହୁଥିବା କହିଛନ୍ତି କ୍ରିଷ୍ଣାଙ୍କ ପରିବାର । ଏବେ ଉପଯୁକ୍ତ ନ୍ୟାୟ ପାଇଁ ଦାବି ରଖିଛନ୍ତି । ପାଟଣାଗଡ଼ ପୋଲିସ୍ ସାଇଣ୍ଟିଫିକ ଟିମ୍ ସହ ପ୍ରାଥମିକ ତଦନ୍ତ କରି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ସ୍ୱାମୀ ଆଲୋକ ସାହୁଙ୍କୁ ଥାନାରେ ଅଟକ ରଖି ଅଧିକ ତଦନ୍ତ ଜାରିରଖିଥିବା କହିଛନ୍ତି ଏସଡିପିଓ ସଦାନନ୍ଦ ପୂଜାରୀ ।

ଫାଭିଓ: ସତ କଣ ତାହା ତ ତଦନ୍ତ ପରେ ସାମ୍ନାକୁ ଆସିବ, ହେଲେ ମୃତ୍ୟୁ ପୂର୍ବରୁ କ୍ରିଷ୍ଣାଙ୍କ ଭିଡିଓ ବଖାଣୁଛି କେତେ କଷ୍ଟରେ ଥିଲେ ସେ । ଶାଶୁ, ସ୍ୱାମୀଙ୍କ ଠାରୁ କେମିତି ସେ ନିର୍ଯାତିତ ହେଉଥିଲେ । ଆଜିକାଲି ସମାଜରେ ଏମିତି ବି ଅମିଣିଷ ଅଛନ୍ତି । ଯେଉଁମାନେ ଯୌତୁକ ପାଇଁ ଏଭଳି ନାରକୀୟ କାଣ୍ଡ ଘଟାଉଛନ୍ତି । ଏଭଳି ଅପରାଧିଙ୍କୁ ଯେତେ ଦଣ୍ଡ ଦେଲେ ବି କମ୍ ।

ଆହୁରି ପଢନ୍ତୁ: କାଜୁ ତୋଳିବାକୁ ଯିବାବେଳେ ଦୁଇ ଗୋଷ୍ଠୀ ମୁହାଁମୁହିଁ, ୧୫ରୁ ଅଧିକ ଆହତ