ଆଇନଜୀବୀଙ୍କ ଆନ୍ଦୋଳନରେ ପଶିଲା ରାଜନୈତିକ ପେଞ୍ଚ

ଆଇନ ମନ୍ତ୍ରୀ କହିଲେ, ନିଆଁରେ ଘିଅ ଢାଳୁଛନ୍ତି ପେଟ୍ରୋଲିୟମ ମନ୍ତ୍ରୀ

କଟକ(କେନ୍ଯୁଜ୍) : କଟକରେ ହାଇକୋର୍ଟ ଆଇନଜୀବୀଙ୍କ ଆନ୍ଦୋଳନ ଜାରି ରହିଛି । ଏ ଘଟଣାକୁ ନେଇ ଆଇନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ଆନ୍ଦୋଳନ ନିଆଁରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଘିଅ ଢ଼ାଳୁଛନ୍ତି। ବିଜେପି ଆନ୍ଦୋଳନକୁ ଉସକାଉଛି।

ଆଇନଜୀବୀଙ୍କୁ ମାଡ଼ ମରା ଘଟଣାରେ ୪ ଜଣ ପୋଲିସ କର୍ମଚାରୀ ନିଲମ୍ବିତ ହୋଇଥିଲେ। ମାମଲାଟି ସବ୍‌ ଜୁଡିସ୍‌ ଅଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଆଇଜି ର‍୍ୟାଙ୍କର ଅଧିକାରୀ ଘଟଣାର ତଦନ୍ତ କରୁଛନ୍ତି। ହାଇକୋର୍ଟଙ୍କ ତତ୍ୱାବଧାନରେ ତଦନ୍ତ ହେଉଛି। ଏଭଳି ସ୍ଥିତିରେ ଧର୍ମେନ୍ଦ୍ର ପ୍ରଧାନଙ୍କ ମନ୍ତବ୍ୟ ଦୁର୍ଭାଗ୍ୟଜନକ ବୋଲି ଆଇନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ।

ଗତକାଲି ଧର୍ମେନ୍ଦ୍ର ପ୍ରଧାନ କହିଥିଲେ, ରାଜ୍ୟ ସରକାରଙ୍କ ଦୁଇ ହାତ କିଏ କଣ କରୁଛି ଜାଣୁନାହାନ୍ତି। ପୋଲିସ-ଓକିଲ ବିବାଦ ତୁଟାଇବାକୁ ସରକାର ହସ୍ତକ୍ଷେପ କରୁ ନାହାନ୍ତି। ଓକିଲ-ପୋଲିସ ବିବାଦକୁ ନେଇ ସରକାରଙ୍କ ଅପାରଗତାକୁ ଦାୟୀ କରିଥିଲେ ଧର୍ମେନ୍ଦ୍ର ପ୍ରଧାନ ।