ରାଜ୍ୟ କ୍ୟାବିନେଟରେ ୧୦ଟି ପ୍ରସ୍ତାବକୁ ଅନୁମୋଦନ, ମୃତ ସରକାରୀ କର୍ମଚାରୀଙ୍କ ପରିବାର ସଦସ୍ୟଙ୍କୁ ପୁରୁଣା ନିୟମରେ ନିଯୁକ୍ତି

ଭୁବନେଶ୍ୱର : ରାଜ୍ୟ କ୍ୟାବିନେଟରେ୧୦ଟି ପ୍ରସ୍ତାବକୁ ଅନୁମୋଦନ। ଏ ନେଇ ବିଧାନସଭାରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ରାଜ୍ୟର ଜନସାଧାରଣଙ୍କ ପାଇଁ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାକୁ ମିଳିତ ଭାବେ ଲାଗୁ କରିବା ପାଇଁ ରାଜ୍ୟ ସରକାର ଜାତୀୟ ସ୍ଵାସ୍ଥ୍ୟ କର୍ତ୍ତୃପକ୍ଷଙ୍କ ସହ ବୁଝାମଣା ପତ୍ର ସ୍ଵାକ୍ଷର କରିଛନ୍ତି । ଆଗାମୀ ୫ ବର୍ଷରେ ଆୟୁଷ୍ମାନ ଭାରତ ଓ ଗୋପବନ୍ଧୁ ଜନ ଆରୋଗ୍ୟ ପାଇଁ ୨୭ ହଜାର ୧୯ କୋଟି ୨୫ ଲକ୍ଷ ଟଙ୍କାର ବ୍ୟୟ ଅଟକଳକୁ ଅନୁମୋଦନ ହୋଇଛି ।

ସେହିପରି ଖଣି କାର୍ଯ୍ୟ ଯୋଗୁଁ ଖଣି ଅଞ୍ଚଳରେ କ୍ଷତିଗ୍ରସ୍ତ ପରିବାରକୁ ଆଶ୍ୱସ୍ତି ଦେବା ପାଇଁ ଓଡ଼ିଶା ଜିଲ୍ଲା ଖଣିଜ ଫାଉଣ୍ଡେସନ ନିୟମ-୨୦୧୫ ପ୍ରଣୟନ ହୋଇଥିଲା। ସଂଶୋଧିତ ନିୟମାବଳୀ ଅନୁସାରେ ସିଧାସଳଖ ପ୍ରଭାବିତ ଅଞ୍ଚଳ ସୀମା ୧୦ କିମିରୁ ବୃଦ୍ଧି କରି ୧୫ କିମି କରାଯାଇଛି । ପରୋକ୍ଷ ପ୍ରଭାବିତ ଅଞ୍ଚଳର ସର୍ବାଧିକ ସୀମା ୨୫ କିମିରେ ସୀମିତ ରଖାଯାଇଛି। ରାଜ୍ୟ କ୍ୟାବିନେଟରେ ଓଡ଼ିଶା ରାଜ୍ୟ ସଡ଼କ ନୀତି ୨୦୨୫ର ପ୍ରସ୍ତାବକୁ ଅନୁମୋଦନ କରାଯାଇଛି । ରାଜ୍ୟରେ ୭୫ ହଜାର କିଲୋମିଟର ରାସ୍ତାକୁ ବିଶ୍ୱ ସ୍ତରୀୟ ରାସ୍ତା ନେଟୱାର୍କ ଭାବେ ବିକଶିତ କରିବାର ଲକ୍ଷ୍ୟ ରଖି ବିଭିନ୍ନ ଉଚ୍ଚ ମୂଲ୍ୟର ପ୍ରକଳ୍ପ ଗୁଡ଼ିକୁ ସୁଗମ ଏବଂ ସାମଗ୍ରିକ ଭାବରେ କାର୍ଯ୍ୟକାରୀ କରାଯିବ ।

ରାଜ୍ୟ କ୍ୟାବିନେଟ “ଓଡ଼ିଶା ରାଜ୍ୟ ରାଜପଥ ପ୍ରାଧିକରଣ ବିଲ୍-2025” କୁ ଅନୁମୋଦନ କରିଛନ୍ତି । ରାଜ୍ୟ କ୍ୟାବିନେଟର ବଡ଼ ନିଷ୍ପତ୍ତି ଅନୁଯାୟୀ, ଏଣିକି ସରକାରୀ ଚାକିରିରେ ଥାଇ ମୃତ୍ୟୁବରଣ କଲେ ପରିବାରର ଜଣକୁ ମିଳିବ ଅନୁକମ୍ପା ମୂଳକ ନିଯୁକ୍ତି । ୨୦୨୦ରେ ଗତ ସରକାର ଏ ନିୟମରେ ପରିବର୍ତ୍ତନ ଆଣିଥିଲେ । ମାତ୍ର ପୂର୍ବ ନିୟମ ଅନୁସାରେ ଏଣିକି ନିଯୁକ୍ତି ଦେବାକୁ କ୍ୟାବିନେଟ ନିଷ୍ପତ୍ତି ନେଇଛି । ସରକାରୀ କର୍ମଚାରୀଙ୍କ ମୃତ୍ୟୁ ହେଲେ ରାଜ୍ୟ ସରକାର ସିଭିଲ ସର୍ଭିସ ଥଇଥାନ ସହାୟତା ନିୟମ ୧୯୯୦ ଅନୁଯାୟୀ ପରିବାରର ଜଣେ ସଦସ୍ୟ ଗ୍ରୁପ ସି କିମ୍ବା ଗ୍ରୁପ ଡିରେ ନିଯୁକ୍ତି ହେଉଥିଲେ । ତେଣୁ ୨୦୨୦ ମସିହାରେ ନିଯମ ଲାଗୁ ହେବା ପୂର୍ବରୁ ଯେଉଁ କର୍ମଚାରୀଙ୍କ ମୃତ୍ୟୁ ଘଟିଛି ସେମାନଙ୍କ ପରିବାର ପାଇଁ ୧୯୯୦ ନିୟମ ଅନୁସାରେ ନିଯୁକ୍ତି ମିଳିବ ।

କ୍ୟାବିନେଟରେ ଅନୁମୋଦିତ ୧୦ଟି ପ୍ରସ୍ତାବ 

1.  ଆୟୁଷ୍ମାନ ଭାରତ ଏବଂ ଗୋପାବନ୍ଧୁ ଜନ ଆରୋଗ୍ୟ ଯୋଜନାର କାର୍ଯ୍ୟକାରିତା ।
2. ଓଡ଼ିଶା ବେସାମରିକ ସେବା (ଥଇଥାନ ସହାୟତା) ନିୟମ, ୨୦୨୦ ଆରମ୍ଭ ହେବା ତାରିଖ ପୂର୍ବରୁ, ଥଇଥାନ ସହାୟତା ସମ୍ବନ୍ଧିତ ସମସ୍ତ ବିଚାରାଧୀନ ଆବେଦନ ୧୯୯୦ରେ ପ୍ରଚଳିତ ନିୟମ ଅନୁଯାୟୀ ବିଚାର କରାଯିବ ।
3. ଓଡ଼ିଶା ରାଜ୍ୟ ସଡ଼କ ନୀତି ୨୦୨୫
4. ଓଡ଼ିଶା ରାଜସ୍ୱ ସେବା, ଗ୍ରୁପ୍- ବି (ପ୍ରୋବେସନ ଓ ବିଭାଗୀୟ ପରୀକ୍ଷା) ନିୟମାବଳୀ, ୨୦୧୬ର ପରିଶିଷ୍ଟ-୨ରେ ଥିବା ପାଠ୍ୟକ୍ରମର ଆବଶ୍ୟକୀୟ ସଂଶୋଧନ କରିବା ପାଇଁ ରାଜ୍ୟ କ୍ୟାବିନେଟ୍ ସମ୍ମତି ପ୍ରଦାନ କରିଛନ୍ତି।
5. ଓଡିଶା ପ୍ରାଶାସନିକ ସେବା, ଗ୍ରୁପ୍-ଏ (ଜୁନିୟର ବ୍ରାଞ୍ଚ)(ପ୍ରୋବେସନ ଓ ବିଭାଗୀୟ ପରୀକ୍ଷା) ନିୟମାବଳୀ, ୨୦୧୪ର ପରିଶିଷ୍ଟ-୨ ରେ ଥିବା ବିଭାଗୀୟ ପରୀକ୍ଷାର ପାଠ୍ୟକ୍ରମରେ ଆବଶ୍ୟକୀୟ ସଂଶୋଧନ କରିବା ନିମନ୍ତେ ରାଜ୍ୟ କ୍ୟାବିନେଟ୍ ସମ୍ମତି ପ୍ରଦାନ କରିଛନ୍ତି।
6. ଓଡ଼ିଶା ରାଜ୍ୟ ରାଜପଥ ପ୍ରାଧିକରଣ ବିଲ୍
7. ଜଳକର ବକେୟା ଆଦାୟ ପାଇଁ ଏକକାଳୀନ ସମାଧାନ ଯୋଜନା(OTS )
8.ବିକଶିତ ଗାଁ ବିକଶିତ ଓଡ଼ିଶା
9. ଜିଲ୍ଲା ଖଣି ଫାଉଣ୍ଡେସନ ନିୟମାବଳୀ 2025
10.ଭୂମିହୀନମାନଙ୍କ ପାଇଁ ନୂତନ ନିୟମ ଭୁବନେଶ୍ୱର