ଆଜି ରାଜ୍ୟ କ୍ୟାବିନେଟ୍‌ ବୈଠକ, ୧୦ରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମିଳିବ ଅନୁମୋଦନ

ଭୁବନେଶ୍ୱର(କେନ୍ଯୁଜ୍): ଆଜି ରାଜ୍ୟ କ୍ୟାବିନେଟ୍‌ ବୈଠକ । ପୂର୍ବାହ୍ନ ୧୧ଟା ୩୦ରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ । ଏଥିରେ ୧୦ରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ ମିଳିବ । ପଞ୍ଚାୟତିରାଜ, ଅର୍ଥ, ରାଜସ୍ୱ, ପୂର୍ତ୍ତ ଓ ସାଧାରଣ ପ୍ରଶାସନ ବିଭାଗର ପ୍ରସ୍ତାବ ବୋଲି ସୂଚନା ମିଳିଛି । ଆଗକୁ ପଞ୍ଚାୟତ ନିର୍ବାଚନ ଆସୁଥିବା ବେଳେ କ୍ୟାବିନେଟ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଉପରେ ମୋହର ଲଗାଇବା ନେଇ ଅନୁମାନ କରାଯାଉଛି ।

ମେଗା ପାଇପ ପାଣି ପ୍ରକଳ୍ପ ଉପରେ ଲାଗିପାରେ ମୋହର। କ୍ୟାଡର ପୁର୍ନଗଠନ ଓ ସର୍ଭିସ ରୁଲ୍‌ରେ ସଂଶୋଧନ ଉପରେ ମଧ୍ୟ ନିଷ୍ପତ୍ତି ନିଆଯାଇପାରେ। ଭୁବନେଶ୍ୱରରେ ଥିବା ମନ୍ତ୍ରୀମାନେ ଲୋକସେବା ଭବନରେ ଓ ବାହାରେ ଥିବା ମନ୍ତ୍ରୀମାନେ ଜିଲ୍ଲା ମୁଖ୍ୟାଳୟରୁ ଭିଡିଓ କନଫରେନ୍‌ସିଂ ଜରିଆରେ କ୍ୟାବିନେଟ୍‌ ବୈଠକରେ ଯୋଗଦେବେ।

ଅନ୍ଯପଟେ ସୂଚନା ଥାଉକି, ବର୍ତ୍ତମାନ ବିଭିନ୍ନ ଜିଲ୍ଲାରେ BSKY ସ୍ମାର୍ଟ ହେଲଥ କାର୍ଡର ଶୁଭାରମ୍ଭ କରୁଛନ୍ତି ମୁଖ୍ଯମନ୍ତ୍ରୀ । ପର୍ଯ୍ୟାୟକ୍ରମେ ନଭେମ୍ବର ସୁଦ୍ଧା ସବୁ ଜିଲ୍ଲାରେ ହିତାଧିକାରୀଙ୍କୁ କାର୍ଡ ବଣ୍ଟନ କରାଯିବ । ଯୋଜନା ଅଧିକ ସ୍ମାର୍ଟ ହେବା ସହ ଆସିବ ନୂଆ ମାନଦଣ୍ଡ। ବର୍ତ୍ତମାନ ସମସ୍ତ ବିଜୁ କୃଷକ କଲ୍ୟାଣ କାର୍ଡଧାରୀ, ଅନ୍ତୋଦେୟଅନ୍ନ ଯୋଜନା କାର୍ଡଧାରୀ ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ଯୋଜନା ହିତାଧିକାରୀ ଥିଲେ। ଉପକୃତ ହେଉଥିଲେ ୭୧ ଲକ୍ଷ ୬୯ ହଜାର ୬୭୨ ପରିବାର। ନୂଆମାଦଣ୍ଡରେ ସମସ୍ତ ଜାତୀୟ ଖାଦ୍ୟ ସୁରକ୍ଷା ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଆଇନରେ ଅନ୍ତର୍ଭୁକ୍ତ ହିତାଧିକାରୀଙ୍କୁ ଦିଆଯିବ BSKY ସ୍ମାର୍ଟ ହେଲ୍ଥ କାର୍ଡ। ଫଳରେ ଅଧିକ ୨୦ ଲକ୍ଷ ୮୦ ହଜାର ୩୨୮ ହିତାଧିକାରୀ ଉପକୃତ ହେବେ। ଅର୍ଥାତ ପ୍ରାୟ ୯୨ ଲକ୍ଷ ୫୦ ହଜାର ପରିବାରଙ୍କୁ ମିଳିବ ଏହି ସ୍ମାର୍ଟ କାର୍ଡ ସୁବିଧା ।

ଏହାସହିତ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ରାଜ୍ୟର ସମସ୍ତ ସରକାରୀ ମେଡିକାଲରେ ମାଗଣ ଚିକିତ୍ସା ମିଳୁଛି । ଏହା ସହ ରାଜ୍ୟ ସରକାରଙ୍କ ସହ ଯେଉଁ ଘରୋଇ ମେଡିକାଲ ସହ ଯୋଡି ହୋଇ ରହିଛନ୍ତି ସେଠାରେ ମଧ୍ୟ ମାଗଣା ଚିକିତ୍ସା ମିଳୁଛି । ବର୍ଷକୁ ଗୋଟିଏ ପରିବାରକୁ ୫ ଲକ୍ଷ ଓ ମହିଳାଙ୍କୁ ୧୦ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟବୀମା ଯୋଗାଇ ଦିଆଯାଉଛି। ସରକାରୀ ତଥ୍ୟ ଅନୁଯାୟୀ ୧୮୩ ଟି ହସ୍ପିଟାଲ୍ ସହ ରାଜ୍ୟ ବାହାରର ୧୭ ଟି ହସ୍ପିଟାଲ୍ ରେ ଏହି ସହାୟତା ମିଳିପାରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.