ଆଜି ବସିବ ଚଳିତ ବର୍ଷର ଶେଷ ରାଜ୍ୟ କ୍ୟାବିନେଟ ବୈଠକ, କିଛି ବଡ଼ ଘୋଷଣା କରିପାରନ୍ତି ସରକାର

ଭୁବନେଶ୍ବର: ଆଜି ବସିବ ରାଜ୍ୟ କ୍ୟାବିନେଟ ବୈଠକ । ୨୦୨୦ ବର୍ଷରେ ରାଜ୍ୟ କ୍ୟାବିନେଟ୍ର ଏହା ଶେଷ ରାଜ୍ୟ କ୍ୟାବିନେଟ୍ ବୈଠକ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସଂଧ୍ୟା ସାଢେ ୫ଟାରେ ବୈଠକ ଅନୁଷ୍ଠିତ ହେବ । କ୍ୟାବିନେଟରେ ସମବାୟ ବିଭାଗ ପକ୍ଷରୁ ପ୍ରସ୍ତାବିତ ଓଏପିଏମ୍ ଅଧ୍ୟାଦେଶ ତୃତୀୟ ଥର ପାଇଁ ଆସୁଥିବା ସୂଚନା ମିଳିଛି । କ୍ୟାବିନେଟରେ ୧୨ରୁ ଅଧିକ ପ୍ରସ୍ତାବ ଆସିପାରେ । ବର୍ଷର ଶେଷ କ୍ୟାବିନେଟ୍ ହୋଇଥିବାରୁ କିଛି ବଡ଼ ଘୋଷଣା କରିପାରନ୍ତି ସରକାର ।
ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଓ ମଧୁସୂଦନ ଦାସଙ୍କ ଭଳି ମହାପୁରୁଷଙ୍କ ଗ୍ରାମ ତଥା ଜନ୍ମସ୍ଥଳୀକୁ ଆଦର୍ଶ ଗ୍ରାମର ମାନ୍ୟତା ଦେବା ପାଇଁ ସରକାରଙ୍କ ପ୍ରସ୍ତାବ ରହିଛି । ଏହା ସହ କୃଷି ବିପଣନ ଅଧ୍ୟାଦେଶ ସାଙ୍ଗକୁ ଓଏଏସ୍ ମାନଙ୍କୁ ଅଧିକ ସୁବିଧା ଯୋଗାଇ ଦିଆଯାଇପାରେ । ସେମାନଙ୍କ କ୍ୟାଡର ପୁନର୍ଗଠନ ସହ ଅଧିକ ପଦ ଦିଆଯିବ ।
ଓଏଏସ୍ ସଂଘ ପକ୍ଷରୁ ଦୀର୍ଘ ଦିନ ଧରି ୪ଟି ବିଭାଗର ସଚିବ ସହ ୫୦ ସ୍ୱତନ୍ତ୍ର ସଚିବ ଓ ୨୫୦ ଅତିରିକ୍ତ ସଚିବ ପଦବୀ ମଗାଯାଇଛି । ଏନେଇ ଆଜି ପୂର୍ବାହ୍ନରେ ବୈଠକ ବସିବା ପରେ କ୍ୟାବିନେଟ୍ରେ ପ୍ରସ୍ତାବ ଆସିପାରେ। ଭୁବନେଶ୍ୱରରେ ଉପସ୍ଥିତ ଥିବା ମନ୍ତ୍ରୀମାନେ ଲୋକସେବା ଭବନର ତୃତୀୟ ମହଲା ସମ୍ମିଳନୀ କକ୍ଷରେ ବସିବେ । ଜିଲ୍ଲାରେ ଥିବା ମନ୍ତ୍ରୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରୁ ଭିଡିଓ କନ୍ଫରେନ୍ସିଂରେ ସାମିଲ ହେବେ ।