ଅଙ୍ଗଦାନ ଓ ଅଙ୍ଗପ୍ରତିରୋପଣ ପ୍ରସଙ୍ଗ: ହାଇକୋର୍ଟରେ ଜବାବ ଦାଖଲ କଲେ ରାଜ୍ୟ ସରକାର, ପରବର୍ତ୍ତୀ ଶୁଣାଣି ଏପ୍ରିଲ ୨୦ରେ

କଟକ(କେନ୍ଯୁଜ୍): ମାନବ ଶରୀରରେ ଅଙ୍ଗ ପ୍ରତିରୋପଣ ଓ ଅଙ୍ଗଦାନ ପ୍ରସଙ୍ଗକୁ ନେଇ ବିଚାରାଧୀନ ଜନସ୍ୱାର୍ଥ ମାମଲାରେ ରାଜ୍ୟ ସରକାର ହାଇକୋର୍ଟରେ ଜବାବ ଦାଖଲ କରିଛନ୍ତି । ଏହି ଜବାବ ଉପରେ ପ୍ରତିଜବାବ ଦାଖଲ ପାଇଁ ଆବେଦନକାରୀଙ୍କୁ ଉଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ ୨୦କୁ ଧାର୍ଯ୍ୟ କରାଯାଇଛି ।

ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଆର.କେ.ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ଡକ୍ଟର ପ୍ରଭାସ ଚନ୍ଦ୍ର ଆଚାର୍ଯ୍ୟଙ୍କ ଜନସ୍ୱାର୍ଥ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି । ଦାୟର ମାମଲାରେ ଦର୍ଶାଯାଇଛି ଯେ ଅଙ୍ଗଦାନ ଓ ଅଙ୍ଗପ୍ରତିରୋପଣ ବର୍ତ୍ତମାନ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ।

ଏହା ଫଳପ୍ରଦ ହେବା ପାଇଁ ଟ୍ରାନ୍ସପ୍ଲାଣ୍ଟେସନ୍‌ ଅଫ୍‌ ହ୍ୟୁମାନ ଅର୍ଗାନ ଆଣ୍ଡ୍‌ ଟିସ୍ୟୁଜ୍‌ ଆକ୍ଟରେ ଥିବା ବ୍ୟବସ୍ଥା ସଂପୂର୍ଣ୍ଣ କାର୍ଯ୍ୟକାରୀ ହେବା ଉଚିିତ । ଏହି ପ୍ରକ୍ରିୟା ଅଧିକ ସଫଳ ଓ ଫଳପ୍ରଦ କରିବା ଲାଗି ଆଇନ ଅନୁସାରେ ଉପଯୁକ୍ତ ଅଧିକାରୀଙ୍କୁ ନିଯୁକ୍ତି ଦିଆଯିବା ଉଚିତ । ୨୪ ଘଣ୍ଟିଆ ହେଲ୍ପ ଲାଇନ ନମ୍ବର ବ୍ୟବସ୍ଥା କରାଯାଉ। ଏଥି ସହିତ ହେଲ୍ପ ଡେସ୍କ ବ୍ୟବସ୍ଥା ମଧ୍ୟ କରାଯାଉ ବୋଲି ଆବେଦନରେ ଦର୍ଶାଯାଇଛି । ମାମଲା ରାଜ୍ୟ ସରକାର ଓ ଷ୍ଟେଟ୍‌ ଅର୍ଗାନ ଆଣ୍ଡ୍‌ ଟ୍ରାନ୍ସପ୍ଲାଣ୍ଟ ଅର୍ଗାନାଇଜେସନକୁ ପକ୍ଷଭୁକ୍ତ କରାଯାଇଛି ।

Leave A Reply

Your email address will not be published.