AI ତାଲିମ ନେବେ ରାଜ୍ୟ ସରକାରୀ ଅଫିସର, ‘ଓଡ଼ିଶା AI ମିଶନ’ ଆରମ୍ଭ କରିବାକୁ ନିଆଯାଉଛି ପଦକ୍ଷେପ

ଭୁବନେଶ୍ୱର : କୃତ୍ରିମ ବୁଦ୍ଧିମତା ବା ଏଆଇ ତାଲିମ ନେବେ ରାଜ୍ୟ ସରକାରୀ ଅଫିସର । ଏ.ଆଇ ପ୍ରୟୋଗ ଉପରେ ବ୍ୟବହାରିକ ତାଲିମ ନିମନ୍ତେ ଲୋକସେବା ଭବନରେ ଅନୁଷ୍ଠିତ ହୋଇଛି କର୍ମଶାଳା । ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ଏବଂ ଓ୍ୱାଧ୍‍ଓ୍ୱାନି ଫାଉଣ୍ଡେସନର ମିଳିତ ଆନୁକୁଲ୍ୟରେ କର୍ମଶାଳାର ଆୟୋଜିତ ହୋଇଥିଲା । ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ରାଜ୍ୟର ସରକାରୀ ଅଫିସରମାନଙ୍କୁ ‘କୃତ୍ରିମ ବୁଦ୍ଧିମତାର ପ୍ରୟୋଗ ଉପରେ ତାଲିମ ସମ୍ବନ୍ଧିତ ଏହା ଥିଲା ପ୍ରଥମ କର୍ମଶାଳା । ପର୍ଯ୍ୟାୟ କ୍ରମେ ରାଜ୍ୟର ସମସ୍ତ ଅଫିସରମାନଙ୍କୁ ଏ.ଆଇ ରେ ତାଲିମ ପ୍ରଦାନ ପାଇଁ ଲକ୍ଷ୍ୟ ରଖିଛନ୍ତି ସରକାର ।

ମୁଖ୍ୟ ସଚିବ କହିଥିଲେ, ଆଜି ଯାହା କଷ୍ଟକର ମନେହେଉଛି, ଆସନ୍ତାକାଲି ତାହା AI ର ପ୍ରୟୋଗ ମାଧ୍ୟମରେ ସହଜସାଧ୍ୟ ବୋଲି ପ୍ରମାଣିତ ହେବ । ଏହା ସହିତ, ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଘଟୁଥିବା ଦ୍ରୁତ ନବସୃଜନ ଯୋଗୁଁ ଏଆଇ ସମ୍ପର୍କରେ ସରକାରୀ ଅଧିକାରୀମାନେ ଜାଣିବା ଓ ବୁଝିବା ଜରୁରୀ ହୋଇପଡ଼ିଛି ବୋଲି ମୁଖ୍ୟ ସଚିବ କହିଥିଲେ । ଖୁବଶୀଘ୍ର ରାଜ୍ୟର ସ୍ବତନ୍ତ୍ର ଏ.ଆଇ. ପଲିସି ନିମନ୍ତେ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ବିଭାଗୀୟ ପ୍ରମୁଖ ଶାସନ ସଚିବ ବିଶାଲ ଦେବ ସୂଚନା ଦେଇଥିଲେ । ବିଭିନ୍ନ କ୍ଷେତ୍ର ମଧ୍ୟରେ ସମନ୍ୱୟ ସ୍ଥାପନ ପାଇଁ ‘ଓଡ଼ିଶା ଏ.ଆଇ. ମିଶନ’ ମଧ୍ୟ ଆରମ୍ଭ କରାଯିବାପାଇଁ ପଦକ୍ଷେପ ନିଆଯାଉଛି । ଏହି ପରିପ୍ରେକ୍ଷୀରେ ନାସ୍‍କମ୍ ଓ ଓ୍ୱାଧ୍‍ଓ୍ୱାନି ଫାଉଣ୍ଡେସନ ସହ ବୁଝାମଣାପତ୍ର ସ୍ୱାକ୍ଷର ମଧ୍ୟ କରାଯାଇଛି ।

 

ଆହୁରି ପଢ଼ନ୍ତୁ : ପଦ୍ମଶ୍ରୀ ପୁରସ୍କାର ବିବାଦ ମାମଲା, କୌଣସି ପ୍ରମାଣ ନଥିବାରୁ ୧୦ ହଜାର ଟଙ୍କା ଜରିମାନା କଲେ ହାଇକୋର୍ଟ