ରାଜ୍ୟରୁ ମୂଳପୋଛ ହେବ ଡ୍ରଗ୍ କାରବାର,ଗଠନ ହେଲା ରାଜ୍ୟସ୍ତରୀୟ ଟାସ୍କ ଫୋର୍ସ

କେନ୍ୟୁଜ୍(ବ୍ୟୁରୋ): ରାଜ୍ୟରୁ ମୂଳପୋଛ ହେବ ଡ୍ରଗ୍ କାରବାର। ନିଶା କାରବାର ରୋକିବା ଓ ଚାଲାଣ ବନ୍ଦ କରିବାକୁ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ। ଗଠନ ହୋଇଛି ରାଜ୍ୟସ୍ତରୀୟ ଟାସ୍କ ଫୋର୍ସ। ପୂର୍ବତନ ଡିଜି ଅଭୟ ଏହାର ଅଧ୍ୟକ୍ଷ ଭାବେ ଟାସ୍କ ଫୋର୍ସ ମଙ୍ଗ ସମ୍ଭାଳିବେ। ଏଥିପାଇଁ ଏକ ବହୁ ବିଭାଗୀୟ କମିଟି ମଧ୍ୟ ଗଠନ କରାଯାଇଛି। ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବହୁ ବିଭାଗୀୟ ସମନ୍ଵୟ କମିଟି କାର୍ଯ୍ୟ କରିବ। ଟାସ୍କ ଫୋର୍ସ ଅଧ୍ୟକ୍ଷ ଏହାର ଉପାଧ୍ୟକ୍ଷ ଭାବେ କାର୍ଯ୍ୟ କରିବେ। କମିଟିରେ ରାଜ୍ୟ ଡିଜିପି, ଗୃହ ସଚିବ, ସ୍ୱାସ୍ଥ୍ୟ ସଚିବ, ଅବକାରୀ ବିଭାଗ, ସ୍କୁଲ ଓ ଗଣଶିକ୍ଷା ବିଭାଗ, ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ସଚିବ ଏହାର ସଦସ୍ୟ ରହିବେ। ସୂଚନା ଓ ଲୋକସଂପର୍କ ଏବଂ ଆଇଟି ବିଭାଗକୁ ମଧ୍ୟ କମିଟିରେ ସାମିଲ କରାଯାଇଛି। ବହୁ ବିଭାଗୀୟ କମିଟି ସହ ସମନ୍ଵୟ ରକ୍ଷା କରି ଡ୍ରଗ୍ ଟାସ୍କ ଫୋର୍ସ ଅଧ୍ୟକ୍ଷ ନିଶା କାରବାର ସହ ନିଶାଡ଼ିଙ୍କୁ ରୋକିବେ।
ଆବଶ୍ୟକସ୍ଥଳେ କୌଣସି ଅଧ୍ୟୟନ କିମ୍ବା ପ୍ରସ୍ତାବ କାର୍ଯ୍ୟକାରୀ କରିବାକୁ ଟାସ୍କ ଫୋର୍ସ ଅଧ୍ୟକ୍ଷ ଛୋଟ ସବ୍ କମିଟି ମଧ୍ୟ ଗଠନ କରିପାରିବେ। ସବ୍ କମିଟିରେ କୌଣସି ରାଜ୍ୟ କିମ୍ବା କେନ୍ଦ୍ରୀୟ ନଚେତ ବିଶେଷଜ୍ଞଙ୍କୁ ସାମିଲ କରିପାରିବେ ଟାସ୍କ ଫୋର୍ସ ଅଧ୍ୟକ୍ଷ। ଏହା ସହ ବିଭିନ୍ନ କେନ୍ଦ୍ରୀୟ ସଂସ୍ଥା ସହ ନାର୍କୋଟିକ୍ସ କଣ୍ଟ୍ରୋଲ ବୋର୍ଡ, ଗୃହ ମନ୍ତ୍ରାଳୟ, ସାମାଜିକ ନ୍ୟାୟ ଓ ସଶକ୍ତି କରଣ ମନ୍ତ୍ରାଳୟ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ, ଅର୍ଥ ମନ୍ତ୍ରାଳୟର ରାଜସ୍ୱ ବିଭାଗ, ଡିଜିସିଆଇ ଓ ସେଣ୍ଟ୍ରାଲ ବ୍ୟୁରୋ ଅଫ୍ ନାର୍କୋଟିକ୍ସ ସହ ସମନ୍ଵୟ ରକ୍ଷା କରି ନିଶା କାରବାର ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ।
ରାଜ୍ୟରେ ନିଶା କାରବାର ପ୍ରତିହତ ଓ ନିଶାଡ଼ିଙ୍କୁ ରୋକିବାକୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିବ ଟାସ୍କ ଫୋର୍ସ। ନିଶା ସେବନର କୁଫଳ ସଂପର୍କରେ ଜଣାଇବାକୁ ସାମାଜିକ ସଚେତନତା, ସାମାଜିକ ସହଯୋଗ ବୃଦ୍ଧି, ଆଶ୍ରିତ ଜନସଂଖ୍ୟା ଚିହ୍ନଟ ଏବଂ ସ୍କୁଲ, କଲେଜ ଓ ଯୁବବର୍ଗଙ୍କ ମଧ୍ୟରେ କ୍ୟାମ୍ପେନ କରାଯିବ। ନିଶାସେବନକାରୀଙ୍କୁ ଏଥିରୁ ନିବୃତ କରିବାକୁ ପଦକ୍ଷେପ ଗ୍ରହଣ କରାଯିବ। ନିଶା ସେବନକାରୀ ଓ ବିକ୍ରି ନେଇ ବିଭିନ୍ନ ଦିଗ ଉପରେ ତଥ୍ୟ ହାସଲ କରାଯିବ। ନିଶାବେପାରୀଙ୍କୁ ସମାଜର ମୁଖ୍ୟସ୍ରୋତକୁ ଫେରାଇ ଆଣିବାକୁ ସେମାନଙ୍କୁ ଜୀବନଜୀବିକା ପାଇଁ ସହାୟତା ପ୍ରଦାନ କରାଯିବ।
ନିଶା କାରବାର ରୋକିବାକୁ ବେଆଇନ ଚାଷ ହେଉଥିବା ଗଞ୍ଜେଇ ଓ ଅଫିମକୁ ନଷ୍ଟ କରାଯିବ। ନିଶାସାମଗ୍ରୀକୁ ଜବତ ସହ ଏହାର ତଦନ୍ତ ଓ ବେପାରୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହାର ଆର୍ଥିକ କାରବାର ଦିଗକୁ ମଧ୍ୟ ଦୃଷ୍ଟି ଦେଖାଯିବ। ଏନଡିପିଏସ ଆଇନ ବଳରେ ହେବ କାର୍ଯାନୁଷ୍ଠାନ। ବିଭିନ୍ନ ଔଷଧ ନିର୍ମାତା ମାନଙ୍କ ସହ ମଧ୍ୟ ଆଲୋଚନା କରାଯାଇ ନିଶା ଔଷଧର ଅପବ୍ୟବହାରକୁ ରୋକିବା କ୍ଷେତ୍ରରେ କାର୍ଯ୍ୟ କରିବା ଟାସ୍କ ଫୋର୍ସ।
ଜାନୁଆରୀ ୩୧ତାରିଖରେ ଡିଜିପି ପଦରୁ ଅବସରର ନେବା ପରେ ଅଭୟଙ୍କୁ ରାଜ୍ୟ ଡ୍ରଗ୍ ଟାସ୍କ ଫୋର୍ସର ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଛନ୍ତି ରାଜ୍ୟ ସରକାର। ପୂର୍ବରୁ ସେ ବିଭିନ୍ନ ପଦପଦବୀ ସହ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଛନ୍ତି। ଆନ୍ତର୍ଜାତିକ ନିଶା କାରବାର ନିୟନ୍ତ୍ରଣ କ୍ଷେତ୍ରରେ ମଧ୍ୟ ଅଭୟଙ୍କର ବହୁ ଅଭିଜ୍ଞତା ରହିଛି।