ମହାନଦୀ ଜଳ ବିବାଦକୁ ନେଇ ପୁଣିଥରେ ରାଜ୍ୟ ରାଜନୀତି ସରଗରମ, ମୁହାଁମୁହିଁ ବିଜେଡି-ବିଜେପି
ମହାନଦୀ ଜଳ ବିବାଦକୁ ନେଇ ପୁଣିଥରେ ରାଜ୍ୟ ରାଜନୀତି ସରଗରମ। ମୁହାଁମୁହିଁ ହୋଇଛନ୍ତି ବିଜେଡି-ବିଜେପି। ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ପୂର୍ବ ସରକାରଙ୍କ ଆଭିମୁଖ୍ୟକୁ ନେଇ ମନ୍ତବ୍ୟ ଦେଇଥିଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ଏହା ଉପରେ ଆଜି ଜବାବ ରଖିଛି ବିଜେଡି।
ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଥିଲେ ମହାନଦୀ ଜଳ ବିବାଦର ସମାଧାନ ପାଇଁ ଏକାଧିକ ପ୍ଲାଟଫର୍ମ ଥିବା ସତ୍ତ୍ୱେ ବିଜେଡି ସରକାର କୌଣସି ଚେଷ୍ଟା କଲେ ନାହିଁ। ୱାଟର ଟ୍ରିବ୍ୟୁନାଲରେ ନିଜର ପକ୍ଷ ସଠିକ ଢଙ୍ଗରେ ଉପସ୍ଥାପନ କଲେ ନାହିଁ। ଜଳ ବିବାଦର ସମାଧାନ ପାଇଁ ଆମେ ସବୁ ପଦକ୍ଷେପ ଗ୍ରହଣ କରିବୁ।
ଜବାବରେ ବିଜେଡି ଆଜି ସାମ୍ବାଦିକ ସମ୍ମିଳନୀ କରି କହିଛି, ଆଉ ବାହାନା ଖୋଜା ନଯାଉ। ଏବେ ଡବଲ ନୁହେଁ ଟ୍ରିପଲ ଇଞ୍ଜିନ ସରକାର ତାଙ୍କର ରହିଛି। ଛତିଶଗଡ଼, ଓଡ଼ିଶା ଓ କେନ୍ଦ୍ରରେ ବିଜେପି ସରକାର ଅଛି। ମହାନଦୀ ଜଳ ବିବାଦରେ ଓଡିଶାବାସୀଙ୍କୁ ନ୍ୟାୟ ଦିଅନ୍ତୁ। କେନ୍ଦ୍ର ସରକାରଙ୍କ ଠାରୁ ଆରମ୍ଭ କରି ୱାଟର ଟ୍ରିବ୍ୟୁନାଲ, ସବୁ ଫୋରମରେ ଓଡିଶାବାସୀଙ୍କ ହକ୍ ପାଇଁ ପୂର୍ବ ସରକାର ଲଢେଇ କରିଛନ୍ତି।
ଏବେ ଜନମତକୁ ବିଭ୍ରାନ୍ତ ନକରି ଓଡିଶାବାସୀଙ୍କୁ ନ୍ୟାୟ ପ୍ରଦାନ କରାଯାଉ ବୋଲି ବିଜେଡି ଦାବି କରିଛି । ଏହା ସହ ବିଜେଡି ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଏବଂ କୋଇଲା ରୟାଲଟିର ସଂଶୋଧନ କରିବା ପାଇଁ ବିଜେଡି ଦାବି କରିଛି। ୨୪ ବର୍ଷ ଧରି ବିଜେଡି ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଦାବି କରି ଆସୁଛି ।
ତେଣୁ ଓଡିଶାର ମୁଖ୍ୟମନ୍ତ୍ରୀ, ଉପ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ବେଳେ ଏ ଦାବି ରଖନ୍ତୁ। ସେହିପରି ୧୭ଟି କୋଲ ବ୍ଲକ ନିଲାମ ହେବାକୁ ଯାଉଛି। ତେଣୁ କୋଇଲା ରୟାଲଟି ସଂଶୋଧନ ପାଇଁ ଓଡ଼ିଶା ସରକାର କେନ୍ଦ୍ର ସରକାରଙ୍କ ନିକଟରେ ଦାବି ଜଣାନ୍ତୁ ବୋଲି ବିଜେଡି ବିଧାୟକ ପ୍ରତାପ ଦେବ କହିଛନ୍ତି।