ଲଘୁଚାପର ଲଗାଣ ବର୍ଷାରେ ବେହାଲ୍ ରାଜ୍ୟ !

ଭୁବନେଶ୍ବର : ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ଘନୀଭୂତ ହୋଇଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଜାରି ରହିଛି । ବିଶେଷକରି ଉତ୍ତର ଓ ଦକ୍ଷିଣ ଓଡିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ସେହିପରି ରାୟଗଡା, କନ୍ଧମାଳ, କଳାହାଣ୍ଡି, ବଲାଙ୍ଗିର, ନୂଆପଡ଼ା, ନବରଙ୍ଗପୁର, ଜଗତସିଂହପୁର, କଟକ, କେନ୍ଦ୍ରାପଡା, ଅନୁଗୁଳ, ଢେଙ୍କାନାଳ, ସମ୍ବଲପୁର, ବରଗଡ ଆଦି ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷା ହେଉଛି । ଗତକାଲି ରାତିରୁ କଟକ, ଭୁବନେଶ୍ୱର ସମେତ ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳ ବର୍ଷା ଜାରି ରହିଛି ।

ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ଗଜପତି ଓ ରାୟଗଡ଼ା ଜିଲ୍ଲାରେ ବଂଶଧାରା ନଦୀରେ ବନ୍ୟା ଜଳ ଆସିଛି । ରାୟଗଡ଼ା ଜିଲ୍ଲା ଗୁଣୁପୁରରେ ବିପଦ ସଂକେତ ଉପରେ ବହୁଛି। ଏଠାରେ ବିପଦସଂକେତ ୮୩ ମିଟର ଥିବା ବେଳେ ଜଳସ୍ତର ରହିଛି ୮୪ ମିଟର। ଗଜପତି ଜିଲ୍ଲା କାଶୀନଗରରେ ମଧ୍ୟ ବନ୍ୟା ଜଳ ବିପଦ ସଂକେତ ଉପରେ ବହୁଛି। ଏଠାରେ ବିପଦ ସଂକେତ ୫୪ ଦଶମିକ ୬୦ ମିଟର ଥିବା ବେଳେ ଜଳସ୍ତର ରହିଛି ୫୫ ଦଶମିକ ୨୮ ମିଟର। ବଂଶଧାରା ନଦୀରେ ଜଳସ୍ତର ବଢୁଥିବାରୁ ପରିସ୍ଥିତିର ମୁକାବିଲା ପାଇଁ ରାୟଗଡ଼ା ଓ ଗଜପତି ଜିଲ୍ଲା ପ୍ରଶାସନ ସତର୍କ ଅଛି ।

ସେପଟେ ଆନ୍ଧ୍ରପ୍ରଦେଶ ଗୋଟା ବ୍ୟାରେଜରେ ୨୨ଟି ଖୋଲାଯାଇ ୯ହଜାର ୧୫ କ୍ୟୁସେକ୍ ବନ୍ୟାଜଳ ଗୋଟା ବ୍ୟାରେଜରେ ପ୍ରବେଶ କରୁଥିବାବେଳେ ୧୪ହଜାର ୪୨୭କ୍ୟୁସେକ୍ ଜଳ ବାହାରକୁ ଛଡାଯାଉଛି। କଳାହାଣ୍ଡି ଜିଲ୍ଲାରେ ପ୍ରବଳ ବର୍ଷା। ଗତକାଲିଠାରୁ ଲଗାଣ ବର୍ଷା ଜାରି ରହିଛି। କରଞ୍ଜିପିଟା, ହଳିଆପଡ଼ା, ଧୋବାପଡ଼ା କନ୍ଧପଡ଼ା ଆଦି ଅଞ୍ଚଳରେ ଲୋକେ ଜଳବନ୍ଦୀ ହୋଇ ରହିଛନ୍ତି। ଘର ଭିତରେ ପାଣି ପଶିଯାଇଛି। ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ସେହିପରି ଥୁଆମୂଳ, ରାମପୁର ଓ ଲାଞ୍ଜିଗଡ଼ରେ ମଧ୍ୟ ପ୍ରବଳ ବର୍ଷା ହେଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.