ସମ୍ପତ୍ତି ଲୋଭରେ ଧରମ ପୁଅର ନାରକୀୟ କାଣ୍ଡ

ବାରିପଦା (କେନ୍ଯୁଜ୍) : ସମ୍ପତ୍ତି ଲୋଭରେ ଧରମ ପୁଅ ସାଜିଲା ହତ୍ୟାକାରୀ । ବାରିପଦା ଟାଉନ ଥାନା ଅଧିନ ୩ ନମ୍ବର ଓ୍ଵାର୍ଡର ଓ୍ଵାଲିଗଞ୍ଜରେ ଘଟିଛି ହତ୍ୟାକାଣ୍ଡ । ମୃତକ ହେଉଛନ୍ତି ୬୫ ବର୍ଷୀୟା ରାଧାରାଣୀ ବେହେରା । ଧରମ ପୁଅ ଦୀପୁ ଓରଫ ଅଜିତ ସାହୁ ତାଙ୍କ ବେକ ଚିପିବା ସହ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛି ।

ଗତକାଲି ରାତିରେ ଅଭିଯୁକ୍ତ ଦୀପୁ ବୃଦ୍ଧାଙ୍କ ସାନ ପୁଅ ସହ ମିଶି ମଦ ପିଇବାକୁ ଯାଇଥିଲା । ସେଠାରୁ ଏକାଏକା ଆସି ବୃଦ୍ଧାଙ୍କୁ ହତ୍ୟା କରି ନିଜ ଘରକୁ ପଳାଇଥିଲା । ପୋଲିସ ତଦନ୍ତ କରି ପ୍ରଥମେ ବୃଦ୍ଧାଙ୍କ ଦୁଇ ପୁଅ ଏବଂ ୩ ଜଣ ପଡ଼ୋଶୀଙ୍କୁ ଅଟକ ରଖିଥିଲା । ତେବେ ସ୍କୁଟି ଚାବି ହିଁ ପ୍ରକୃତ ହତ୍ୟାକାରୀକୁ ଧରାଇ ଦେଇଥିଲା । ହତ୍ୟା କରିବା ପରେ ମୃତକଙ୍କ ପାଖରେ ସ୍କୁଟି ଚାବିକୁ ଛାଡିଦେଇ ଯାଇଥିଲା ଦୀପୁ । ତେଣୁ ତାକୁ ଧରିବାରେ ପୋଲିସ୍‌କୁ ବେଶୀ ସମୟ ଲାଗି ନଥିଲା । ସମ୍ପତ୍ତି ଲୋଭରେ ଏହି ହତ୍ୟାକାଣ୍ଡ ହୋଇଥିବା ଜଣାପଡ଼ିଛି ।