ଗ୍ୟାଙ୍ଗଷ୍ଟର ଟିଟୋକୁ ପୁଣି ରିମାଣ୍ଡରେ ନେଲା କ୍ରାଇମ୍ବ୍ରାଞ୍ଚ୍ ଏସ୍ଟିଏଫ୍

କେନ୍ଦ୍ରାପଡା : ଗ୍ୟାଙ୍ଗଷ୍ଟର ଟିଟୋକୁ କ୍ରାଇମ୍ବ୍ରାଞ୍ଚ୍ ଏସ୍ଟିଏଫ୍ ପୁଣି ରିମାଣ୍ଡରେ ନେଇଛି । ଦ୍ୱିତୀୟ ପର୍ଯ୍ୟାୟରେ ୪ ଦିନ ରିମାଣ୍ଡ ପାଇଁ କେନ୍ଦ୍ରାପଡା ଏସ୍ଡିଜେଏମ୍ କୋର୍ଟ ଅନୁମତି ଦେଇଛନ୍ତି । ପ୍ରଥମ ପର୍ଯ୍ୟାୟ ରିମାଣ୍ଡ ବେଳେ ଜେରାରୁ ଟିଟୋର କ୍ରାଇମ୍ ସିଣ୍ଡିକେଟ୍ ଓ ବିଶାଳ ଆର୍ଥିକ ସାମ୍ରାଜ୍ୟର ସୁରାକ୍ ମିଳିଛି । ଦ୍ୱିତୀୟ ପର୍ଯ୍ୟାୟରେ ଆହୁରି ସତ ଓଗାଳିବ କ୍ରାଇମ୍ବ୍ରାଞ୍ଚ୍ । ସେପଟେ ଗ୍ୟାଙ୍ଗଷ୍ଟର ଟିଟୋ ନାଁରେ ଆଉ ଏକ ଅଭିଯୋଗ ସାମ୍ନାକୁ ଆସିଛି । କେନ୍ଦ୍ରାପଡ଼ାର ଆଉଜଣେ ଗ୍ୟାଙ୍ଗଷ୍ଟର ସୁଲେମାନର ହତ୍ୟାରେ ଟିଟୋର ସଂପୃକ୍ତି ରହିଛି ।
୨୦୦୯ ଜୁଲାଇ ୩୦ । ସ୍ଥାନ- ପାରାଦ୍ୱୀପ-ଦୈତାରି ଏକ୍ସ୍ପ୍ରେସ୍ ହାଇୱେ’ର ବଡ଼ପାଳ ଗଡ଼ା ମଙ୍ଗଳା ଛକ । ବୋଲେରୋ ଗାଡ଼ି ଭିତରେ କେନ୍ଦ୍ରାପଡ଼ାର ଆଉଜଣେ ଗ୍ୟାଙ୍ଗଷ୍ଟର ସୁଲେମାନଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ମାରିଥିଲା ସୁଲେମାନର ମୁଖ୍ୟ ସହଯୋଗୀ ବିଜୟ ନାୟକ । ସେତେବେଳେ ସୁପାରି ଦେଇ ହତ୍ୟା କରିବା ଅଭିଯୋଗରେ ଟିଟୋକୁ କେନ୍ଦ୍ରାପଡା ପୋଲିସ ଗିରଫ କରିଥିଲା । ଏବେ ସୁଲେମାନ ହତ୍ୟା ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍ । ଟିଟୋ ନାଁରେ ଏମିତି ରହିଛି ୫୦ରୁ ଅଧିକ ମାମଲା ।
କେନ୍ଦ୍ରାପଡାରୁ କୋଲକାତା ପର୍ଯ୍ୟନ୍ତ ଲମ୍ବିଛି ଟିଟୋର କଳା ସାମ୍ରାଜ୍ୟ । ୫ ଦିନ ରିମାଣ୍ଡରେ ନେଇ ଅନେକ ଗୁମର ପାଇଛି କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍ । ଅଧିକ ଜେରା ପାଇଁ ତାକୁ ପୁଣି ରିମାଣ୍ଡରେ ଅଣାଯିବ । ଦ୍ୱିତୀୟ ପର୍ଯ୍ୟାୟରେ ବିଶେଷ କରି ଆର୍ଥିକ କାରବାରର ତନାଘନା କରିବ ଏସ୍ଟିଏଫ୍ । ସେହିପରି ଟିଟୋ ପାଖରେ ରହିଛି ଅଡି, ଜାଗୁଆର ଭଳି ୧୫ରୁ ଅଧିକ ଦାମୀ ଗାଡ଼ିି । କ୍ରାଇମ୍ବ୍ରାଞ୍ଚ୍ କେବଳ ଗୋଟିଏ ଅଡି ଗାଡ଼ିର ସନ୍ଧାନ ପାଇଛି । ଅନ୍ୟଗାଡ଼ି ସବୁ କେଉଁଠି ? ସେହିଭଳି ଟିଟୋ ପାଖରେ ଥିବା ୧୦୦ରୁ ଅଧିକ ବେନାମୀ ଗାଡ଼ିରୁ ଏପର୍ଯ୍ୟନ୍ତ ମାତ୍ର ୨୫ଟି ଜବତ ହୋଇଛି ।
ସ୍ତ୍ରୀ ନାଁରେ ଟିଟୋ ନିଜର ବ୍ୟବସାୟିକ ଅନୁଷ୍ଠାନଗୁଡିକୁ ଚଳାଉଛି । କୋଲକତାରେ ଦେଢ଼କୋଟି ଟଙ୍କାର ଜମି ବି ତା’ ସ୍ତ୍ରୀ ନାଁରେ ରହିଥିବା ଜାଣିବାକୁ ପାଇଛି ଏସ୍ଟିଏଫ୍ । ଏସବୁ ବେଆଇନ୍ ସମ୍ପତ୍ତିି ଓ କଳାସାମ୍ରାଜ୍ୟର ଖୁବ୍ଶୀଘ୍ର ଅଧିକ ତନାଘନା ହେବ ।