ଦଉଡ଼ି ଦଉଡ଼ି ଚପଲ ଘୋରିଗଲାଣି ତଥାପି ପକ୍କା ଘରଟିଏ ପାଇପାରୁନାହାନ୍ତି ଯୋଗ୍ୟ ହିତାଧିକାରୀ
ଗରିବ ସୀମାରେଖା ଲୋକଙ୍କ ଉନ୍ନତି ସହ ସମାଜରେ ସେମାନଙ୍କୁ ମୁଖ୍ୟ ସ୍ରୋତ ରେ ସାମିଲ କରିବା ପାଇଁ ସରକାର କରୁଛନ୍ତି ଅନେକ ଯୋଜନା । କିନ୍ତୁ ଅନେକ ସ୍ଥାନରେ ସ୍ଥାନୀୟ ଲୋକ ପ୍ରତିନିଧିଙ୍କ ଅବହେଳା ହେଉ ବା ପ୍ରଶାସନର ଉଦାସୀନତା ଯୋଗୁଁ ଏହି ଯୋଜନାରୁ ବଞ୍ଚିତ ହେଉଛନ୍ତି ପ୍ରକୃତ ଗରିବ ହିତାଧିକାରୀ । ଏବେବି ଅନେକ ପରିବାର ଭଙ୍ଗା ଦଦରା ଚାଳ ଘରେ ଭୟରେ ଜୀବନ ବିତାଉଛନ୍ତି ।

ସାଲେପୁର(କେନ୍ୟୁଜ୍): ଗରିବ ସୀମାରେଖା ଲୋକଙ୍କ ଉନ୍ନତି ସହ ସମାଜରେ ସେମାନଙ୍କୁ ମୁଖ୍ୟ ସ୍ରୋତ ରେ ସାମିଲ କରିବା ପାଇଁ ସରକାର କରୁଛନ୍ତି ଅନେକ ଯୋଜନା । କିନ୍ତୁ ଅନେକ ସ୍ଥାନରେ ସ୍ଥାନୀୟ ଲୋକ ପ୍ରତିନିଧିଙ୍କ ଅବହେଳା ହେଉ ବା ପ୍ରଶାସନର ଉଦାସୀନତା ଯୋଗୁଁ ଏହି ଯୋଜନାରୁ ବଞ୍ଚିତ ହେଉଛନ୍ତି ପ୍ରକୃତ ଗରିବ ହିତାଧିକାରୀ । ଏବେବି ଅନେକ ପରିବାର ଭଙ୍ଗା ଦଦରା ଚାଳ ଘରେ ଭୟରେ ଜୀବନ ବିତାଉଛନ୍ତି ।
ଥରେ ଦେଖନ୍ତୁ ଏ ହେଉଛି କଟକ ଜିଲ୍ଲା ସାଲେପୁର ବ୍ଲକ ମଧ୍ୟଗଛ ପଞ୍ଚାୟତ ବାରୋଗୋଡ଼ିଆ ଗାଁ । ଏହି ଗାଁର ୧୪ ନମ୍ବର ୱାର୍ଡର ରଞ୍ଜିତ କୁମାର ସ୍ଵାଇଁଙ୍କ ଘରର ଅବସ୍ଥା ନକହିବା ଭଲ । ଭଙ୍ଗା କାନ୍ଥକୁ ସାହା ପାଲଟିଛି ପଲିଥିନ । ରଞ୍ଜିତଙ୍କ ସ୍ତ୍ରୀ ରୋଗରେ ପଡ଼ି ପଡି ଆରପାରିକୁ ଚାଲିଗଲା ପରେ ଦୁଇ ପିଲାଙ୍କୁ ନେଇ ଏହି ଭଙ୍ଗା ଘରେ ନିଜ ପିଲାଙ୍କ ଭବିଷ୍ୟତ ଗଢ଼ିଛନ୍ତି ରଞ୍ଜିତ ।
ଦିନ ମଜୁରିଆ ଭାବେ କାମ କରି ପରିବାର ପ୍ରତିପୋଷଣ କରୁଥିବା ବେଳେ ଘର ଖଣ୍ଡିକ ପାଇଁ ଅନେକ ଥର ଦରଖାସ୍ତ ଦେଇଥିଲେ ବି କୌଣସି ସୁଫଳ ମିଳିନାହିଁ ।ସେଇଭଳି ଡମ୍ବରୁଧର ମିନାକ୍ଷୀ ଓ ନିରଜାଙ୍କ ଭଳି ଅନେକ ପରିବାର ଏବେବି ଛାଟି ମାଟି ଘରେ ଦିନ ସୂର୍ଯ୍ୟ ଓ ରାତିରେ ତାରା ପୁଣି ଏବେ ବର୍ଷା ଦିନରେ ନାନା ସମସ୍ୟା ମଧ୍ୟରେ ଜୀବନ ବିତାଉଛନ୍ତି । ପକ୍କା ଘର ଖଣ୍ଡେ ପାଇ ଏମାନେ ପଞ୍ଚାୟତରୁ ବ୍ଲକ ଦଉଡ଼ି ଦଉଡ଼ି ଚପଲ ଘୋରିଗଲାଣି ସିନା କିନ୍ତୁ ସରକାରୀ ସ୍ତରରେ ଘର ଖଣ୍ଡେ ମିଳିପାରୁନି ।
ବହୁ ଅଯୋଗ୍ୟ ହିତାଧିକାରୀ ଘର ପାଉଥିବା ବେଳେ ଏହି ୱାର୍ଡରେ କିନ୍ତୁ ଅନେକ ଯୋଗ୍ୟ ହିତାଧିକାରୀ ସରକାରୀ ଘର ଖଣ୍ଡେ ପାଇବା ପାଇ ୧୦ ରୁ ୧୫ବର୍ଷ ହେବ ଅପେକ୍ଷା କରି ରହିଛନ୍ତି । ଅନେକ ସରକାରୀ ବାବୁ ଆସି ତଦନ୍ତ କରି ଘର ଦିଆଯିବ ବୋଲି କହି ଦେଇ ଯାଉଛନ୍ତି କିନ୍ତୁ ଘର ଖଣ୍ଡେ ମିଳିବା ଆଶା, ଆଶାରେ ରହି ଯାଇଛି । ଅନ୍ୟପଟେ ଏ ନେଇ ଅବଗତ ଥିବାବେଳେ, ତଦନ୍ତ ଚାଲିଛି ଖୁବ ଶୀଘ୍ର ଘର ଯୋଗାଇ ଦିଆଯିବ ବୋଲି କହିଛନ୍ତି ବିଡ଼ିଓ ।
ସମସ୍ତଙ୍କୁ ପକ୍କା ଘର ଯୋଗାଇ ଦେବାକୁ ହେଉଛି ଯୋଜନା ଉପରେ ଯୋଜନା। ଏଥିପାଇଁ ରାଜକୋଷରୁ ଆସୁଛି କୋଟି କୋଟି ଟଙ୍କା । କିନ୍ତୁ ପ୍ରଶାସନିକ ଅଧିକାରୀଙ୍କ ଅବହେଳାରୁ ପ୍ରକୃତ ହିତାଧିକାରୀ ଘର ଖଣ୍ଡେ ପାଇବାରୁ ବଞ୍ଚିତ ହେଉଛନ୍ତି । ତେବେ ଏହି ବାରୋଗୋଡ଼ିଆ ଗାଁର ପ୍ରକୃତ ହିତାଧିକାରୀ କେବେ ପାଉଛନ୍ତି ପକ୍କା ଘର ତାହା ଦେଖିବାକୁ ବାକି ରହିଲା ।