ନିସ୍ତୁକ ବାଡ଼େଇ ପର୍ଯ୍ୟଟକଙ୍କ ଠାରୁ ନେଲେ ୩୦ ହଜାର, ନିଛାଟିଆ ଜଙ୍ଗଲରେ କଲେ ଏମିତି

ପର୍ଯ୍ୟଟକଙ୍କ ସହ ଅତ୍ୟାଚାର । ଆକ୍ରମଣ କରି ଲୁଟିନେଲେ ୩୦ ହଜାର ଟଙ୍କା । ପ୍ରଥମେ ପର୍ଯ୍ୟଟକଙ୍କ ବିଶ୍ୱାସ ଜିତିଲେ ଆଉ ପରେ ନିଛାଟିଆ ଜଙ୍ଗଲକୁ ନେଇ ମାଡ ମାରିଲେ । ଅନୁଗୁଳର ଶୈଳଶ୍ରୀକ୍ଷେତ୍ର ବୁଲିବାକୁ ଆସିଥିବା ପର୍ଯ୍ୟଟକ ହୋଇଛନ୍ତି ଆକ୍ରମଣର ଶିକାର । ଖାଲି ଆକ୍ରମଣର ଶିକାର ହୋଇଛନ୍ତି ତା ନୁହେଁ କିଛି ଦୁର୍ବୃତ୍ତ ତାଙ୍କ ଠାରୁ ଲୁଟି ନେଇଛନ୍ତି ୩୦ ହଜାର ଟଙ୍କା । ଏବେ କାନ୍ଦି କାନ୍ଦି ନ୍ୟାୟ ମାଗୁଛନ୍ତି ଯୁବକ । ପାଖରେ ଟଙ୍କା ଟିଏ ବି ନାହିଁ । ସୁଦୂର ମୁମ୍ବାଇରୁ ଓଡିଶା ବୁଲିବାକୁ ଆସିଥିବା ବେଳେ ତାଙ୍କ ସହ ଏମିତି ହୋଇଛି ।

ମୁମ୍ବାଇରୁ ଅନୁଗୋଳ ବୁଲି ଆସିଥିବା ଜଣେ ପର୍ଯ୍ୟଟକଙ୍କ ଠାରୁ ଦୁର୍ବୃତ୍ତ ମାନେ ୩୦ ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । ଅର୍ବାଜ୍ କାୟୁମ୍ ଖାଁ ଏବଂ ତାଙ୍କର ବନ୍ଧୁ ସରୋଜ ବର୍ମା ଗତ ଶୁକ୍ରବାର ରାତିରେ ମୁମ୍ବାଇରୁ ଟ୍ରେନ ଯୋଗେ ଆସି ଅନୁଗୋଳ ଷ୍ଟେସନରେ ପହଞ୍ଚିଥିଲେ । ସେଠାରେ ଦୁଇ ଜଣ ଯୁବକ ତାଙ୍କ ସହ ମିଶି ବନ୍ଧୁତା ଜମାଇଥିଲେ ଏବଂ ଏକ ଭଲ ହୋଟେଲରେ ରଖାଇ ଦେବେ ବୋଲି କହି ଅନୁଗୋଳର ଏକ ଲଜରେ ରଖାଇ ଥିଲେ । କିଛି ସମୟ ପରେ ଅର୍ବାଜଙ୍କୁ ଉକ୍ତ ଦୁଇ ଯୁବକ ଖାଇବାକୁ ପାଖ ହୋଟେଲରୁ ପାର୍ଶଲ ଆଣିବାକୁ କହି ଡାକି ନେଇଥିଲେ । ଏହାପରେ ଆଉ ଜଣେ ଯୁବକ ତାଙ୍କ ସହ ମିଶିଥିଲା ତିନି ଯୁବକ ମିଶି ଅରବାଜ୍ କୁ ପାଖ ଏକ ଜଙ୍ଗଲ କୁ ନେଇଥିଲେ । ସେଠାରେ ମାରଣାସ୍ତ୍ର ଦେଖାଇବା ସହ ନିସ୍ତୁକ ମାଡ ମାରିବା ପରେ ତାଙ୍କ ପର୍ସରୁ ନଗଦ ପାଞ୍ଚ ହଜାର ଏବଂ ଫୋନ୍ ରୁ ୨୫ ହଜାର ନେଇ ଯାଇଥିଲେ ।

ମାଡ଼ ଖାଇଥିବା ଯୁବକ କୌଣସିମତେ ଉକ୍ତ ଲଜରେ ପହଞ୍ଚି ଆଜି ସକାଳେ ଡାକ୍ତରଖାନାରେ ଚିକିତ୍ସିତ ହୋଇଥିଲେ । ଅନୁଗୁଳର ଶୈଳଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର ବୁଲିବାକୁ ଆସି ଏଭଳି ଲୁଟର ଶିକାର ହୋଇଥିବା ଯୁବକ ଏକ ଭିଡିଓ ବାର୍ତ୍ତାରେ ଅନୁଗୋଳର ଆଇନ ଶୃଙ୍ଖଳା ଠିକ୍ ନଥିବାରୁ ଏଠାକୁ ପର୍ଯ୍ୟଟକ ଆଉ ଆସିବେ ନାହିଁ ବୋଲି କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like