ଉଠା ଦୋକାନୀ ବ୍ୟବସାୟୀ ସଂଘ ମାମଲା, ହାଇକୋର୍ଟରେ ବ୍ୟକ୍ତିଗତ ଭାବେ ହାଜର ପାଇଁ ଜିଲ୍ଲାପାଳ ସମେତ ଅନ୍ୟମାନଙ୍କୁ ନୋଟିସ

ପୁରୀ : ପୁରୀ ବଡ଼ ବଜାର ଉଠା ଦୋକାନୀ ବ୍ୟବସାୟୀ ସଂଘ ପକ୍ଷରୁ ହାଇକୋର୍ଟରେ ରୁଜୁ ମାମଲାରେ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ,ପୁରୀ ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସମେତ ଅନ୍ୟମାନଙ୍କୁ ନୋଟିସ । ଫେବୃୟାରୀ ୧୦ ତାରିଖରେ ବ୍ୟକ୍ତିଗତ ଭାବେ ହାଜର ହୋଇ ଉତ୍ତର ରଖିବାକୁ ନୋଟିସ କରାଯାଇଛି । ୭୭ ଦିନର ଧାରଣା ଓ ୪ ଦିନର ଅନଶନ ପରେ ମଧ୍ୟ ଜିଲ୍ଲା ପ୍ରଶାସନ କିମ୍ବା ରାଜ୍ୟ ସରକାର ସେମାନଙ୍କ ସହ ଆଲୋଚନା ନ କରିବାରୁ ଉଠା ଦୋକାନୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ।

ବକେୟା ପାଉଣା ପ୍ରଦାନ ସହ ଶ୍ରୀ ସେତୁ ତଳେ ଉପଯୁକ୍ତ ଭିତ୍ତିଭୂମି ପାଇଁ ବାରମ୍ବାର ଦାବି କରି ଆସିଛନ୍ତି ଉଠା ଦୋକାନୀ । ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ପ୍ରକଳ୍ପ ଦ୍ବାରା ୧୨୦୮ ଉଠା ଦୋକାନୀ ଉଛେଦ ହୋଇଥିଲେ । ସେମାନଙ୍କୁ ଭିତ୍ତିଭୂମି ସହ ଶ୍ରୀସେତୁ ତଳେ ଥଇଥାନ କରାଯିବ ବୋଲି ପ୍ରତିଶ୍ରୁତି ମିଳିଥିଲା । ୧୪ ମାସ ହେବ ସେମାନେ ନିଜର ଜୀବନ ଜୀବିକା ହରାଇଛନ୍ତି । ସ୍ଥାନାନ୍ତର ନ ହେବା ଯାଏଁ ସେମାନଙ୍କୁ ଆର୍ଥିକ ସହାୟତା ଯୋଗାଇବାକୁ ପ୍ରଶାସନ ସହ ଚୁକ୍ତି ହୋଇଥିଲା ।

୧୨୦୮ ଉଠା ଦୋକାନୀଙ୍କ ମଧ୍ୟରୁ ୬୦୩ ଜଣ ଉଠା ଦୋକାନୀଙ୍କୁ ବକେୟା ୫ ମାସ ବଦଳରେ ଦୁଇ ମାସର ଆର୍ଥିକ ସହାୟତା ଦିଆଯାଇ କ୍ୟାବିନ ତିଆରି ପାଇଁ ବାକି ଥିବା ଅଧା ଟଙ୍କା ଦିଆଯାଇନାହିଁ । ଉଠା ଦୋକାନୀ ସ୍ଥାନାନ୍ତର ହେବାକୁ ଥିବା ଶ୍ରୀ ସେତୁ ତଳେ ନିକଟରେ ଜଣେ ଉଠା ଦୋକାନୀଙ୍କୁ ହତ୍ୟା କରାଯାଇଥିବାରୁ ସେହି ସ୍ଥାନ ବ୍ୟବସାୟ ପାଇଁ ମଧ୍ୟ ଅସୁରକ୍ଷିତ ବୋଲି ବଡ଼ ବଜାର ଉଠା ଦୋକାନୀ ବ୍ୟବସାୟୀ ସଂଘ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି ।