ପ୍ରବାସୀ ଭାରତୀୟ ଦିବସ ପାଇଁ ଭୁବନେଶ୍ୱରରେ କଡ଼ା ଚେକି, ଛକ ଛକରେ ଜଗିଛନ୍ତି ସିଆରପିଏଫ ଜବାନ
![check e](https://knewsodisha.com/wp-content/uploads/2025/01/check-e.jpg)
ଭୁବନେଶ୍ୱର : ଆଉ ମାତ୍ର ୪ ଦିନ । ୮ ତାରିଖଠାରୁ ଭୁବନେଶ୍ୱର ଜନତା ମଇଦାନରେ ଆରମ୍ଭ ହେବ ‘ପ୍ରବାସୀ ଭାରତୀୟ ଦିବସ’ର ଅଷ୍ଟଦଶ ସଂସ୍କରଣ । ପ୍ରଥମ ଥର ପାଇଁ ଓଡ଼ିଶାରେ ଆୟୋଜିତ ହେଉଥିବା ଏହି ସମ୍ମେଳନ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏହା ପୂର୍ବରୁ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଭୁବନେଶ୍ବର ସହରକୁ ହାଇ ଆଲର୍ଟରେ ରଖାଯାଇଛି । ଏହାରି ଭିତରେ ସହରରେ ମୁତୟନ ହୋଇଛନ୍ତି ଏସ୍ଟିୟୁ କମାଣ୍ଡୋ । ଏହି କମାଣ୍ଡୋ ଟଇମ୍ ଗତକାଲି ପୋଲିସ ଡିଜି କ୍ୟାମ୍ପ ଅଫିସରେ ପହଞ୍ଚିଛନ୍ତି । ପ୍ରବାସୀ ଭାରତୀୟ ଦିବସ ପାଇଁ ପୋଲିସ ପକ୍ଷରୁ ୨୪ ଘଣ୍ଟିଆ ହେଲ୍ପ ଲାଇନ୍ ନମ୍ବର ମଧ୍ୟ ଜାରି କରାଯାଇଛି । ଭୁବନେଶ୍ବର ଓ କଟକ ସହରକୁ ଜଗିବେ ୮୩ ପ୍ଲାଟୁନ୍ ପୋଲିସ ଫୋର୍ସ ସହ ୪୫୦ ଜଣ ପୋଲିସ ଅଧିକାରୀ ।
ସେହିପରି ପ୍ରବାସୀ ଭାରତୀୟ ଦିବସ ଭଣ୍ଡୁର କରିବାକୁ ଗତକାଲି ଖଲିସ୍ତାନୀ ଆତଙ୍କୀ ପନ୍ନୁର ଧମକ ପୂର୍ଣ୍ଣ ଭିଡିଓ ମିଳିଛି । ବରିଷ୍ଠ ସାମ୍ୱାଦିକ ଅକ୍ଷୟ ସାହୁଙ୍କୁ ଇ-ମେଲ ଜରିଆରେ ଭିଡିଓ ବାର୍ତ୍ତା ପଠାଇ ଧମକ ଦେଇଛି ଗୁରୁପତୱନ୍ତ ସିଂ ପନ୍ନୁ । ଯେଉଁଥିରେ ଷ୍ଟେ ଆଓ୍ବେ ଷ୍ଟେ ସେଫ୍ ଷ୍ଟେ ଆଲର୍ଟର ଧମକ ଦିଆଯାଇଛି । ଭୁବନେଶ୍ୱର ବିମାନ ବନ୍ଦରରୁ ଜନତା ମଇଦାନ ପର୍ଯ୍ୟନ୍ତ ସତର୍କ ରହିବାକୁ ବାର୍ତ୍ତା ପଠାଇଛି ପନ୍ନୁ। ପନ୍ନୁର ଧମକ ପରେ ଆଲର୍ଟ ମୋଡ଼ରେ ରହିଛି କମିଶନରେଟ ପୋଲିସ ।