ଭଦ୍ରକରେ ରାମମୟ ପରିବେଶ: ଶୋଭାଯାତ୍ରାରେ ସାମିଲ ହେବେ ୯୦ରୁ ଅଧିକ ମେଢ଼, ଗଳିକନ୍ଦିରେ ଜଗିଛି ପୋଲିସ

ଭଦ୍ରକ : ପବିତ୍ର ଶ୍ରୀ ରାମ ନବମୀ ପାଇଁ ଉତ୍ସବ ମୁଖରିତ ଭଦ୍ରକ ସହର । ଗେରୁଆ ପତାକାରେ ଅଚ୍ଛାଦିତ ହୋଇ ଯାଇଛି ଭଦ୍ରକର ରାସ୍ତାଘାଟ । ଭଦ୍ରକ ଗାନ୍ଧୀ ପଡିଆରେ ଚାଲିଛି ତ୍ରିଦିବାସିୟ ଶ୍ରୀ ରାମ ମହାଯଜ୍ଞ । ଆଜି ଯଜ୍ଞର ପୂର୍ଣ୍ଣାହୁତି ସହିତ ବିଶାଳ ନଗର ସଂକୀର୍ତନ ଶୋଭାଯାତ୍ରା ବାହାରିବ । ବିଶାଳ ନଗର ସଂକୀର୍ତନ ଶୋଭାଯାତ୍ରା ଦୀର୍ଘ ୧୨ କିଲୋମିଟର ପରିକ୍ରମା କରିବ । ଏଥିରେ ୯୦ରୁ ଅଧିକ ମେଢ଼ ସାମିଲ ହେବ । ବିଶାଳ ନଗର ସଂକୀର୍ତନ ଶୋଭାଯାତ୍ରାରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଭଦ୍ରକରେ ୨୬ ପ୍ଲାଟୁନ ପୋଲିସ ଫୋର୍ସ ସମେତ ୫ ଜଣ ଅତିରିକ୍ତ ଏସପି, ୧୮ ଜଣ ଡି ଏସପି, ୩୭ ଜଣ ଇନ୍ସପେକ୍ଟର ଏବଂ ୧୪୨ ଜଣ ଏସଆଇ ଏବଂ ଏଏସଆଇ ନିୟୋଜିତ ରହିବେ । ସହର ସମ୍ବେଦନଶୀଳ ଅଞ୍ଚଳରେ ତୀକ୍ଷ୍ଣ ନଜର ରଖାଯାଉଛି । ଏଥିପାଇଁ ଡ୍ରୋନର ସହାୟତା ନିଆଯାଉଛି । ରାମନବମୀ ପାଳନ ବେଳେ କୌଣସି ପ୍ରକାର ଅଘଟଣକୁ ଏଡ଼ାବାକୁ ଆମ୍ବୁଲାନ୍ସ, ଅଗ୍ନିଶମ ବିଭାଗକୁ ସଜାଗ ରଖାଯାଇଥିବା ବେଳେ ଭିଡିଓ ଗ୍ରାଫିକୁ ଗୁରୁତ୍ୱ ଦିଆଯାଇଛି ।
ସେହିପରି ବାଲେଶ୍ଵରରେ ମଧ୍ୟ ରାମ ନବମୀ ଶାନ୍ତି ଶୃଙ୍ଖଳାର ସହ ପାଳନ ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ବାଲେଶ୍ୱର ସହରରେ ଲଗାତାର ଫ୍ଲାଗମାର୍ଚ୍ଚ କରାଯାଉଛି । ସୋରରେ ସୁରକ୍ଷା କଡ଼ାକଡ଼ି କରିବା ସହ ପୋଲିସ ଫୋର୍ସ ଫ୍ଲାଗମାର୍ଚ୍ଚ କରିଛନ୍ତି । ଅନ୍ୟପଟେ ଭଦ୍ରକ ପାଲଟିଛି ପୋଲିସ ଛାଉଣୀ । ସହରରେ ରାପିଡ଼ ଆକ୍ଲନ ଫୋର୍ସ, ବିଏସଏଫ ଯବାନ ମୁତୟନ ହୋଇଛନ୍ତି । ସାମ୍ପ୍ରଦାୟିକ ଉତ୍ତେଜନା ଦୃଷ୍ଟିରୁ ସମ୍ୱେଦନଶୀଳ ଅଞ୍ଚଳରେ ଫ୍ଲାଗମାର୍ଚ୍ଚ, ପାଟ୍ରୋଲିଂ କଡ଼ାକଡ଼ି କରି ତୀକ୍ଷଣ ନଜର ରଖିଛି ପୋଲିସ ପ୍ରଶାସନ ।
ଆହୁରି ପଢ଼ନ୍ତୁ : ଆଜି ପବିତ୍ର ଶ୍ରୀରାମ ନବମୀ, ରାଜ୍ୟର ବିଭିନ୍ନ ମନ୍ଦିରରେ ଚାଲିଛି ରାମ ଚରିତ ମାନସ ପାଠ